ତେହେରାନ ୫।୧୨: ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ଇରାନ ଜେଲରେ ବନ୍ଦୀ ମାନବାଧିକାର କାର୍ଯ୍ୟକର୍ତ୍ତା ନରଗିସ୍ ମହମ୍ମଦୀଙ୍କୁ ଇରାନୀ ଅଧିକାରୀମାନେ ଅସ୍ତ୍ରୋପଚାର ଯୋଗୁ ଚିକିତ୍ସକୀୟ ରୂପେ ସୁସ୍ଥ ହେବା ପାଇଁ ୨୧ ଦିନିଆ ମୁକ୍ତି ଦେଇଛନ୍ତି। ଡାହାଣଗୋଡ ପାଦରେ ଏକ ଅସ୍ତିକୁ ହଟାଇବା ପାଇଁ ସେ ନଭେମ୍ବର ମାସରେ ଅସ୍ତ୍ରୋପଚାର କରାଇଥିଲେ। ଏହି ଅସ୍ତ୍ରୋପଚାର କାଳରେ ଡାକ୍ତମାନେ ତାଙ୍କ ଗୋଡରେ ଏକ ଘା ଦେଖିବାକୁ ପାଇଥିଲେ ଯାହାକୁ ସେମାନେ କର୍କଟ ବୋଲି ସନ୍ଦେହ କରିଛନ୍ତି।
ତେବେ ନରଗିସଙ୍କ ୨୧ ଦିନିଆ ମୁକ୍ତିକୁ ତାଙ୍କ ପରିବାର ଲୋକେ ସମାଲୋଚନା କରିଛନ୍ତି। କହିଛନ୍ତି ଏହି ଅସ୍ଥାୟୀ ମୁକ୍ତି ବହୁତ କମ ସମୟର ଓ ଏଥି ପାଇଁ ବହୁତ ବିଳମ୍ବ କରାଯାଇଛି। ନରଗିସ୍ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ କୋର୍ଟଙ୍କୁ ୩ ମାସ ଚିକିତ୍ସା ଛୁଟି ଦେବାକୁ ଅନୁରୋଧ କରିଥିଲେ। ଇରାନୀ ପ୍ରସିକ୍ୟୁଟର ନରଗିସଙ୍କ ଜେଲ ଦଣ୍ଡକୁ ଅସ୍ଥାୟୀ ରୂପେ ନିଲମ୍ବିତ କରିବାକୁ ମଙ୍ଗଳବାର ମଞ୍ଜୁରୀ ଦେଇଛନ୍ତି, ଯାହା ଦ୍ୱାରା ତାଙ୍କୁ ୩ ସପ୍ତାହ ପର୍ଯ୍ୟନ୍ତ ଜେଲରୁ ମୁକ୍ତି ମିଳିଛି।
ତେବେ ଏହା ଯୋଗୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ହେଲେ ନର୍ଗିସଙ୍କ ମୁକ୍ତି ଲାଗି ଓକିଲାତି କରୁଥିବା ନର୍ଗିସ ଫାଉଣ୍ଡେସନ କହିଛି ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଅନେକ ସମୟ ଲାଗିବ। ଅନ୍ୟପଟେ ନରଗିସଙ୍କ ପରିବାର ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଓ କହିଛନ୍ତି ସେ ଚାଲିବାକୁ ଏବେ ଅସମର୍ଥ ଓ ତାଙ୍କୁ ଆମ୍ବୁଲାନ୍ସରେ ଘରକୁ ଅଣାଯାଇଛି। ଏଥି ପାଇଁ ଯାହା ଖର୍ଚ୍ଚ ହେଉଛି ତାହା ନିଜେ ନରଗିସ୍ କରୁଛନ୍ତି କାରଣ ଇରାନୀ ଅଧିକାରୀମାନେ ତାଙ୍କ ପାଇଁ ବ୍ୟୟ କରିବାକୁ ରାଜି ହୋଇନଥିଲେ।
ତେବେ ନର୍ଗିସ୍ ଫାଉଣ୍ଡେସନ କହିଛି ଯେ ଦୀର୍ଘ ଦଶନ୍ଧୀରୁ ଅଧିକ କାଳ ଧରି ଜେଲରେ ବନ୍ଦୀ ନର୍ଗିସ ମହମ୍ମଦୀଙ୍କୁ ତତ୍କାଳ ଏକ ସୁରକ୍ଷିତ ଓ ସ୍ୱଚ୍ଛ ବାତାବରଣରେ ସ୍ୱତନ୍ତ୍ର ଚିକିତ୍ସକୀୟ ଦେଖରେଖର ଆବଶ୍ୟକତା ରହିଛି। ସନ୍ଦିଗ୍ଧ କର୍କଟ ରୋଗ ବ୍ୟତୀତ ସେ ଆର୍ଥାରାଇଟସ୍ ଓ ଡିସ୍କ ରୋଗରେ ମଧ୍ୟ ଭୋଗୁଛନ୍ତି। ଗତ ୨୦୨୧ରେ ତାଙ୍କୁ ହୃଦଘାତ ମଧ୍ୟ ହୋଇଥିଲା ଏଣୁ ଡାକ୍ତର ତାଙ୍କ ଯାଞ୍ଚ ସୁପାରିଶ କରିଥିଲେ। ନରଗିସ ଗତ ଦଶନ୍ଧୀରୁ ଊର୍ଦ୍ଧ୍ୱ କାଳ ହେଲା ଇରାନର କୁକ୍ଷାତ ଏଭିନ ଜେଲରେ ବନ୍ଦୀ ଜୀବନ କଟାଇ ଆସୁଛନ୍ତି। ସେ ଜାତୀୟ ସୁରକ୍ଷା ଓ ସରକାର ବିରୋଧୀ ପ୍ରଚାର ପାଇଁ ୩୦ ବର୍ଷ ଜେଲଦଣ୍ଡ ଭୋଗୁଛନ୍ତି।