ନୂଆଦିଲ୍ଲୀ: ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ମୃତ୍ୟୁ ଘଟଣାରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏଠି ଗୃହଭେଦି ବିଭୀଷଣ ସାଜିଛି ଇରାନ। କାରଣ ନସରଲ୍ଲା ଠିକଣା ବିଷୟରେ ଜଣେ ଇରାନ ଯାସୁସୁ ହିଁ ଇସ୍ରାଏଲକୁ ଖବର ଦେଇଥିବା ଜଣାପଡ଼ିଛି। ଖବର ପାଇବାର ମାତ୍ର କେଇ ମିନିଟ୍ ଭିତରେ ଇସ୍ରାଏଲ ନସରଲ୍ଲା ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଫ୍ରେଞ୍ଚ ଖବର କାଗଜ ଲି ପାରିସିଏନରେ ଏହି ଖବର ପ୍ରକାଶ ପାଇବା ପରେ ଚାଞ୍ଚଲ୍ୟ ଖେଳିଯାଇଛି।
ଲେବାନନ ଗୁଇନ୍ଦା ସଂସ୍ଥା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଲି ପାରିସିଏନ ଏହି ରିପୋର୍ଟ ପ୍ରକାଶ କରିଛି। ଖବର ଅନୁସାରେ ଗୁପ୍ତଚର ଜଣଙ୍କ ନସରଲ୍ଲା ହେଡ୍କ୍ୱାଟରରେ ଅଣ୍ଡରଗ୍ରାଉଣ୍ଡରେ ଲୁଚିଥିବା ଖବର ଦେଇଥିଲା। ଅଣ୍ଡରଗ୍ରାଉଣ୍ଡରେ ରହି ସେ ଆତଙ୍କବାଦୀ ସଂଗଠନର ବରିଷ୍ଠ କମାଣ୍ଡରଙ୍କ ସହ ବୈଠକ କରୁଥିବାର ଖବର ଇସ୍ରାଏଲ ପାଖରେ ଇରାନୀ ଗୁପ୍ତଚର ପଠାଇଥିଲା। ଏହାପରେ ଇସ୍ରାଏଲ୍ ଏୟାର ଷ୍ଟ୍ରାଇକ୍ କରିଛି।
ଏହାପରେ ଲେବାନନ ସମୟ ଅନୁସାରେ ଶନିବାର ଦିନ ୧୧ଟାରେ ଇସ୍ରାଏଲ୍ ନସରଲ୍ଲାକୁ ମାରି ଦେଇଥିବା ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲା। ଶନିବାର ଏୟାର ଷ୍ଟ୍ରାଇକ୍ରେ ଲେବାବନରେ ୩୩ ଜଣଙ୍କର ମୃତ୍ୟୁ ହୋଇଛି। ଗତ ଦୁଇ ସପ୍ତାହରେ ୧୦୦୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ହଜାର ଆହତ ହୋଇଛନ୍ତି ବୋଲି ଲେବାନନ କହିଛି।
ସେପଟେ ଏୟାର ଷ୍ଟ୍ରାଇକ୍ ସ୍ଥାନରୁ ହସନ ନସରଲ୍ଲା ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଲେବାନନ ମେଡିକାଲ ଷ୍ଟାଫ୍ ଓ ସୁରକ୍ଷାକର୍ମଙ୍କ ସୂତ୍ରରୁ ଏହି ସୂଚନା ନେଇ ରୟଟର୍ସ ଖବର ପ୍ରକାଶ କରିଛି। ତେବେ ନସରଲ୍ଲାର ଅନ୍ତିମ ସଂସ୍କାର କେବେ ହେବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ।