ନୂଆଦିଲ୍ଲୀ: ଇରାନର ମହିଳା ଚେସ ଖେଳାଳିଙ୍କୁ ବିନା ହିଜାବରେ ମ୍ୟାଚ୍ ଖେଳିବା ମହଙ୍ଗା ପଡିଛି । ମହିଳା ଖେଳାଳିଙ୍କୁ ଦେଶକୁ ନ ଫେରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ରିପୋର୍ଟ ଅନୁସାରେ, ଇରାନର ଚେସ୍ ଖେଳାଳି ସାରା ଖାଦେମଙ୍କୁ ନିଜ ଦେଶକୁ ନ ଆସିବା ପାଇଁ ଚେତାବନୀ ମିଳିବା ପରେ ସ୍ପେନରେ ଶରଣ ନେଇଛନ୍ତି । ହିଜାବକୁ ନେଇ ଇରାନରେ ରାଷ୍ଟ୍ରବ୍ୟାପୀ ବିରୋଧ ମଧ୍ୟରେ ଖାଦେମ କଜାକିସ୍ତାନରେ ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ବିନା ହିଜାବରେ ଭାଗ ନେଇଥିଲେ । ଏହାପରେ ତାଙ୍କୁ ଧମକ ଦିଆଯାଉଛି ।
ଇରାନରେ ମହିଳାଙ୍କ ହିଜାବ ପିନ୍ଧିବା ବାଧ୍ୟତାମୂଳକ ଅଟେ । ତେବେ ଏହାକୁ ବିରୋଧ କରି ଖାଦେମ ଗତ ସପ୍ତାହରେ ଅଲମାଟୀରେ ଫିଡେ ୱାର୍ଲଡ ରାପିଡ୍ ଆଣ୍ଡ ବ୍ଲିଟଜ ଚେସ୍ ଚାମ୍ପିୟନଶିପରେ ବିନା ହିଜାବରେ ଭାଗ ନେଇଥିଲେ । ମିଡିଆ ରିପୋର୍ଟ ଅନୁସାରେ ସାରା ଖାଦେମଙ୍କୁ ଅନେକ ଫୋନ କଲ ଆସିଥିଲା, ଏଥିରେ ତାଙ୍କୁ ଧମକ ଦିଆଯାଇଥିଲା । ଖାଦେମଙ୍କୁ ଇରାନ ନ ଫେରିବା ପାଇଁ ଧମକ ଦିଆଯାଇଛି । କେବଳ ଏତିକି ନୁହେଁ ତାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କୁ ମଧ୍ୟ ଧମକ ଦିଆଯାଉଛି ।
ଖାଦେମ ବର୍ତ୍ତମାନ ସ୍ପେନରେ ଅଛନ୍ତି । ଧମକ ମିଳିବା ପରେ ତାଙ୍କ ହୋଟେଲ ବାହାରେ ସୁରକ୍ଷାକୁ କଡାକଡ଼ି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଗତ ସେପ୍ଟେମ୍ୱରରୁ ଇରାନରେ ହିଜାବ ବିରୋଧ ପ୍ରଦର୍ଶନ ଜାରି ରହିଛି । ୨୨ ବର୍ଷୀୟ ମହସା ଅମିନୀଙ୍କ ପୋଲିସ ହେପାଜତରେ ମୃତ୍ୟୁ ପରେ ଆମ୍ଭ ହୋଇଥିବା ପ୍ରଦର୍ଶନ । ହିଜାବ ପିନ୍ଧି ନ ଥିବା ଅଭିଯୋଗରେ ମହସା ଅମିନୀଙ୍କୁ ଗିରଫ କରି ଜେଲରେ ରଖାଯାଇଥିଲା ।