ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧ ଆରମ୍ଭ । ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ । ଶନିବାର ବିଳମ୍ବିତ ରାତିରେ ଘନଘନ ମସାଇଲ୍ ମାଡ଼ କରିଛି ଇରାନୀ ସେନା । ପ୍ରାୟ ୨୦୦ରୁ ଅଧିକ ମିସାଇଲ୍ ମାଡ଼ କରିବା ସହିତ ଡ୍ରୋନ୍ ଆକ୍ରମଣ କରିଛି । ଇରାନ ନିଜ ସୀମାନ୍ତ ଅଞ୍ଚଳରୁ ଡ୍ରୋନ୍ ଲଞ୍ଚ୍ କରିଛି । କିଛି ମିସାଇଲକୁ ଇସ୍ରାଏଲ୍ ଡିଫେନ୍ସ ସିଷ୍ଟମ ମାରି ଖସାଇ ଦେଇଥିବା ବେଳେ ଭୂ-ମଧ୍ୟ ସାଗରରୁ କିଛି ଡ୍ରୋନରୁ ମାରି ଖସାଇଛି ଆମେରିକା । ଇରାନର ଆକ୍ରମଣ ପରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ହାଇଆଲର୍ଟରେ ରହିଛି । ଫାଇଟର ଜେଟ୍ ଏବଂ ଇସ୍ରାଏଲ୍ ନୌ-ସେନା ସତର୍କ ରହିଛି । ଏହା ସହିତ ଆଇଡିଏସ୍ ଏରିୟଲ୍ ଡିଫେନ୍ସ ଏରୋକୁ ମଧ୍ୟ ହାଇଆଲର୍ଟ କରିଦେଇଛି । ଇରାନର ଅତର୍କିତ ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କ୍ୟାବିନେଟ୍ ମିଟିଂ ଡାକିଛନ୍ତି ।
ସେପଟେ ଇରାନ ଓ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦେଖି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ନ୍ୟାସନାଲ୍ ସିକ୍ୟୁରିଟି ଟିମ୍ ସହିତ ହ୍ବାଇଟ୍ ହାଉସରେ ବୈଠକ କରିଛନ୍ତି । ଯୁଦ୍ଧ ରୋକିବା ପାଇଁ ଯଥା ସମ୍ଭବ ପ୍ରୟାସ ଚଳାଇଛନ୍ତି । ଅନ୍ୟପଟେ ଇରାନ ପକ୍ଷରୁ ହୋଇଥିବା ଡ୍ରୋନ୍ ଆଟାକ୍ ପରେ ଇରାନୀ ମୁଖ୍ୟ ଖାମେନାଇ ନିଜ ଅଫିସିଲ୍ ଏକ୍ସ ହ୍ୟାଣ୍ଡଲରେ ଏହାର ଭିଡିଓ ସେୟାର କରିଛନ୍ତି । ଦୃଷ୍ଟ ଶାସକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଇରାନୀ ମୁଖ୍ୟ ଲେଖିଛନ୍ତି ।
ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ସଞ୍ଜୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଜରୁରୀକାଳୀନ ବୈଠକ ଡାକିଛି । ଆଇଡିଏଫ ମୁଖପାତ୍ର ରିୟର ଆଡମିରାଲ ଡୈନିୟଳ ହଗାରୀ କହିଛନ୍ତି, ଇସ୍ରାଏଲ ଉପରେ ଇରାନ ସେନା ଦୁଇ ଡଜନରୁ ଅଧିକ ବାଲାଷ୍ଟିଲ୍ ମିସାଇଲ୍ ମାଡ଼ କରିଛି । ଯାହାଦ୍ବାରା ସୈନ୍ୟ ଠିକଣା ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ସେ କହିଛନ୍ତି, କିଛି ମିସାଇଲକୁ ଏୟାର ଡିଫେନ୍ସ ସିଷ୍ଟମ ଦ୍ବାରା ନଷ୍ଟ କରାଯାଛି । ଅଧିକାଂଶ ମିସାଇଲ ଇସ୍ରାଏଲ ବାୟୁସୀମା ବାହାରେ ପଡ଼ିଛି ବୋଲି କହିଛନ୍ତି ।