ନୂଆଦିଲ୍ଲୀ: ତେହରାନରେ ହମାସ୍ ମୁଖ୍ୟ ହାନେୟଙ୍କୁ ହତ୍ୟା । ମଧ୍ୟପ୍ରାଚ୍ୟରେ ଘନଉଛି ମହାଯୁଦ୍ଧ । ଯୁଦ୍ଧ ଦ୍ବାରଦେଶରେ ଦୁଇ ଦେଶ । ଅତିଥିଙ୍କ ପାଇଁ ପ୍ରତିଶୋଧ ପରାୟଣ ଇରାନ୍ । ହମାସ-ଇସ୍ରାଏଲ ଯୁଦ୍ଧ ଏବେ ଇରାନକୁ ଲମ୍ଫ ମାରିଛି । ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ହମାସ ଆତଙ୍କବାଦୀ ସଂଗଠନ ପଲିଟିକାଲ୍ ଓ୍ବିଙ୍ଗର ମୁଖ୍ୟ ଇସ୍ମାଇଲ୍ ହାନେୟଙ୍କ କାହାଣୀ ଦି ଏଣ୍ଡ୍ କରିଛି । ତେହରାନରେ ଅତିଥି ଭାବେ ଶରଣ ନେଇ ଥିବା ଇସ୍ମାଇଲ୍ ହାନେୟଙ୍କ ମୃତ୍ୟୁ ହୋଇଛି । ଏପଟେ ଅତିଥିଙ୍କ ହତ୍ୟା ପରେ ସମ୍ମାନ ପାଇଁ ପ୍ରତିଶୋଧମୁଖା ହୋଇଛି ଇରାନ । ଆଇଡିଏଫର ଔଦ୍ଧତ୍ୟ ପୂରା ଦେଶ ପାଇଁ ବିପଦ ଡାକିଆଣିଛି ଏବଂ ଏହାର ପଶ୍ଚାତାପ ପାଇଁ ଇସ୍ରାଏଲ୍ ବାଧ୍ୟ ହେବ ବୋଲି ଇରାନର ସୁପ୍ରିମଲିଡର ଆୟାତୁଲ୍ଲା ଖାମେନେଇ କହିଛନ୍ତି । ଇସ୍ରାଏଲ-ଇରାନ ମଧ୍ୟରେ ଛାୟାଯୁଦ୍ଧ ଏବେ ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ରୂପ ନେଇବାକୁ ଯାଉଛି ।
ଇରାନର ରାଜଧାନୀରେ ହମାସ୍ ମୁଖ୍ୟଙ୍କୁ ହତ୍ୟା କରାଯାଇଛି । ଆମେରିକା ସହାୟତାରେ ଏପରି ଦୁଃସାହସ କରିଛି ଇସ୍ରାଏଲ । ହମାସ ଆତଙ୍କବାଦୀ ସଙ୍ଗଠନ ପାଇଁ ଧକ୍କା ନୁହେଁ ବରଂ ଇରାନର ସମ୍ମାନ ଉପରେ ଆକ୍ରମଣ । କେହି ଇରାନକୁ ଦୁର୍ବଳ ରାଷ୍ଟ୍ର ଭାବିବା ପୂର୍ବରୁ ଇରାନ ଏହାର ପ୍ରତିଶୋଧ ନେବାକୁ ଚେଷ୍ଟ କରିବ ବୋଲି ଇରାନ ସୁପ୍ରିମ ଲିଡର ଖୁଲମ୍ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ଆରବ ଦେଶଗୁଡ଼ିକ ହମାସ୍କୁ ପାଣ୍ଠି ଯୋଗାଇବା ସହ ହମାସ୍ ନେତାଙ୍କୁ ଆଶ୍ରୟ ମଧ୍ୟ ପ୍ରଦାନ କରୁଛନ୍ତି । ତେଣୁ ଇସ୍ରାଏଲ ସହ ଇରାନର ଛାୟା ଯୁଦ୍ଧ ଏବେ ମହାଯୁଦ୍ଧର ରୂପ ନେବାକୁ ବୋଲି ଆଶଙ୍କା କରାଯାଉଛି ।
ଇସ୍ମାଇଲ ହାନିୟେ କିଏ ? ଇସ୍ରାଏଲ ସହିତ ଶତ୍ରୁତା କ’ଣ ? ହମାସ୍ ପଲିଟିକାଲର ଓିଙ୍ଗର ପ୍ରମୁଖ ଥିଲା ଇସ୍ମାଇଲ୍ ହାନିୟେ । ୬୨ ବର୍ଷୀୟ ଉସ୍ମାଇଲଙ୍କ ଜନ୍ମ ପାଲେଷ୍ଟାଇନରେ ଏକ ଶରଣାର୍ଥୀ ଶିବିରରେ ହୋଇଥିଲେ । ଇସ୍ରାଏଲ ତାଙ୍କୁ ୧୯୮୯ରେ ୩ ବର୍ଷ ପାଇଁ ବନ୍ଦୀ କରି ରିଖିଥିଲା । ପରେ ତାଙ୍କୁ ଏକ ବର୍ଷ ନିର୍ବାସନ ଦଣ୍ଡ ଦିଆଯାଇଥିଲା । ୧୯୯୭ରେ ତାଙ୍କୁ ହମାସ ଆନ୍ଦୋଳନର ନେତା ଶେଖ୍ ଅହମ୍ମଦ ୟାସିନଙ୍କ କାର୍ଯ୍ୟାଳୟରେ ପ୍ରମୁଖ ଭାବେ ନିଯୁକ୍ତି ମିଳିଥିଲା । ଏହା ପରେ ୨୦୦୬ ଫେବ୍ରୁଆରୀରେ ପାଲେଷ୍ଟାଇନ ଅଥରିଟିର ପ୍ରଧାନମନ୍ତ୍ରୀ ଭାବେ ସେ ନିଯୁକ୍ତି ପାଇଥିଲେ । ୨୦୧୭ରେ ମେ’ ମାସରେ ହମାସ୍ ପଲିଟିକାଲ୍ ବ୍ୟୁରୋର ପ୍ରମୁଖ ହୋଇଥିଲେ । ୨୦୧୮ରେ ଇସ୍ମାଇଲକୁ ଆମେରିକା ଆତଙ୍କବାଦୀ ଘୋଷଣା କରିଥିଲା ।
ଆଇଡିଏଫ ଆକ୍ରମଣରେ ଇସ୍ମାଇଲ୍ ହାନେୟଙ୍କ ସହିତ ତାଙ୍କ ଅଙ୍ଗରକ୍ଷୀଙ୍କ ମୃତ୍ୟୁ ହୋଇଛି । ଏହି ହମଲା ତେହରାନର ଏକ ଜନବସତି ଅଞ୍ଚଳରେ ହୋଇଥିବା ବେଳେ ଏଭଳି ସଠିକ୍ ଟାର୍ଗେଟକୁ ନେଇ ଚକିତ ହୋଇଛି ବିଶ୍ବ । ଇସ୍ରାଏଲର ରାଜଧାନୀ ତେଲଅବୀବ ଠାରୁ ୨ ହଜାର କିଲୋମିଟର ଦୂର ତେହରାନରେ କିପରି ହେଲା ହମଲା ? ଡ୍ରୋନ ମାଧ୍ୟମରେ ଆଟାକ୍ ନା ଏୟାର ଷ୍ଟ୍ରାଇକ୍ ହୋଇଛି ? ନା ଇସ୍ରାଏଲ୍ ସେନା ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ମିସାଇଲ୍ ଆଟାକ୍ କରିଛି ? ଇସ୍ମାଇଲଙ୍କ ହତ୍ୟାକୁ ଇସ୍ରାଏଲ ନିଜକୁ ଦାୟି କରିନଥିଲେ ବି ମନ୍ତ୍ରୀ ଆମିଚୟ ଏଲିୟାହୁ କହିଛନ୍ତି, ବିଶ୍ବରୁ ଆତଙ୍କବାଦୀଙ୍କୁ ସଫା କରିବା ପାଇଁ ଏହା ଉପଯୁକ୍ତ ରାସ୍ତା ।