ଶହ ଶହ ଲୋକଙ୍କ ମୃତ୍ୟୁ ପରେ ନଇଁଲେ ଇରାନ ସରକାର, ୪୦ ବର୍ଷ ପୁରୁଣା ହିଜାବ ଆଇନରେ କରିବେ ପରିବର୍ତ୍ତନ
4/12/2022 at 11:42 AM

ନୂଆଦିଲ୍ଳୀ, ୪/୧୨: ଇରାନରେ ହିଜାବ ବିରୋଧରେ ଦୁଇମାସରୁ ଲାଗିରହିଥିବା ଆନ୍ଦୋଳନରେ ଅନେକ ଲୋକଙ୍କ ପ୍ରାଣହାନି ହୋଇଛି। ଆଉ ଏବେ ଇରାନର ଇସଲାମିକ୍ ସରକାର ଲୋକଙ୍କ ଦାବି ଆଗରେ ମୁଣ୍ଡ ନୂଆଁଇଛନ୍ତି। ଇରାନ ସରକାର ଏହି ଆଇନରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଇରାନରେ ମହିଳାଙ୍କ ପାଇଁ ହିଜାବ ପିନ୍ଧିବା ଜରୁରୀ। ଯଦି ହିଜାବ ପିନ୍ଧୁନାହାଁନ୍ତି ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ।
୧୬ ସେପ୍ଟେମ୍ବରରେ କୁର୍ଦିଶ ସମୁଦାୟର ଜଣେ ୨୨ ବର୍ଷୀୟ ଯୁବତୀ ମହସା ଅମୀନୀଙ୍କର ପୋଲିସ ହେପାଜତରେ ମୃତ୍ୟୁ ହୋଇଥିଲା। ହିଜାବ ପିନ୍ଧିନଥିବା ଯୋଗୁଁ ପାଲିସ ତାଙ୍କୁ ହେପାଜତକୁ ନେଇଥିଲା। ଅମୀନୀଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିବା ଆନ୍ଦୋଳନ କେବଳ ଇରାନ ନୁହେଁ ବରଂ ଅନ୍ୟ ଦେଶରେ ପହଞ୍ଚିଥିଲା। ଅବଶ୍ୟ ଇରାନ ସରକାର ଲଗାତାର ଏହାକୁ ଏକ ଦୁର୍ଘଟଣା ବୋଲି କହିଆସୁଛି। ଇରାନ ଏହାକୁ ଆମେରିକା ଏବଂ ବ୍ରିଟେନ୍ର ଷଡ଼ଯନ୍ତ୍ର କହିଥିଲା। ମହିଳା ମାନେ ସାର୍ବଜନିକ ଭାବରେ ହିଜାବ ଜଳାଇ ପ୍ରତିବାଦ ମଧ୍ୟ କରିଥିଲେ। ଏହାରି ମଧ୍ୟରେ ଅନେକ ସ୍ଥାନରେ ପୋଲିସର କାର୍ଯ୍ୟାନୁଷ୍ଠାନରେ ଅନେକ ଲୋକଙ୍କ ପ୍ରାୟ ଯାଇଥିଲା।
ତେବେ ଏହାରି ମଧ୍ୟରେ ବୁଧବାର ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ ଏହି ଆଇନରେ ପରିବର୍ତ୍ତନ କରାଯିବା ଉପରେ ଆଲୋଚନା କରାଯାଉଛି। ଏହାପରେ ଶନିବାର ରାଷ୍ଟ୍ରପତି ଇବ୍ରାହିମ ରଇସି କହିଥିଲେ ଯେ ସମ୍ବିଧାନକୁ ଲାଗୁ କରିବାର କିଛି ନିୟମ ରହିଛି ଯେଉଁଥିରେ ଏଥରେ କିଛିଟା କୋହଳ ହୋଇପାରିବ। ସୂଚନାଯୋଗ୍ୟ, ୧୯୮୩ ରୁ ଇରାନରେ ମହିଳାଙ୍କ ପାଇଁ ହିଜାବ ପିନ୍ଧିବା ଜରୁରୀ।