ଅବତରଣ ସମୟରେ ବୋଇଙ୍ଗ ବିମାନ ଦୁର୍ଘଟଣାଗ୍ରସ୍ତ: ୧୬ ଜଣଙ୍କର ମୃତ୍ୟୁ ଆଶଙ୍କା
14/01/2019 at 2:04 PM

ତେହରାନ ୧୪/୧ : ଇରାନର ରାଜଧାନୀ ତେହରାନରେ ଆଜି ଏକ ବୋଇଙ୍ଗ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି | ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, କରାଜ ବିମାନବନ୍ଦରରେ ଖରାପ ପାଣିପାଗ ଯୋଗୁଁ ଅବତରଣ ବେଳେ ବିମାନର ପାଇଲଟ ନିୟନ୍ତ୍ରଣ ହରାଇଥିଲେ | ବିମାନରେ ୧୬ଜଣ କର୍ମଚାରୀ ଥିଲେ | ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଫଟୋରେ ରନୱେରେ ବିମାନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି |

ରିପୋର୍ଟ ଅନୁସାରେ, କାର୍ଗୋ ବିମାନଟି କରାଜରେ ସ୍ଥିତ ପାୟମ ଏୟାରପୋର୍ଟ ଯିବାରଥିଲା | ବିମାନ ଏୟାରପୋର୍ଟ ପହଂଚି ଯାଇଥିଲା | ଇରାନର ରିଭୋଲୁଶନାରୀ ଗାଇଡ଼ର ବେସକ୍ୟାମ୍ପ ଭାବେ ପାୟମ ବିମାନବନ୍ଦରକୁ ବ୍ୟବହାର କରାଯାଏ | ଦୁର୍ଘଟଣା କେଉଁ କାରଣରୁ ଘଟିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି | ବିମାନ ବାଟବଣା ହେବା ନେଇ କିଏ ଦାୟୀ ସେନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି |

ଇରାନ ଉଡାଣ ସଂସ୍ଥାର ପ୍ରବକ୍ତା ରେଜା ଜଫରଜଦେହ ସ୍ଥାନୀୟ ମିଡ଼ିଆକୁ ସୂଚନା ଦେଇଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତ ବିମାନ ବୋଇଙ୍ଗ କାର୍ଗୋ ବିମାନ | ବିମାନ ଲେଣ୍ଡିଙ୍ଗ ବେଳେ ନିୟନ୍ତ୍ରଣ ହରାଇଥିଲା | ଇରାନର ଫାର୍ସ ନ୍ୟୁଜ ଏଜେନ୍ସି ସୂଚନା ଦେଇଛି ଯେ, ବିମାନଟି କାର୍ଗିସ୍ଥାନରୁ ମାଂସ ନେଇ ଇରାନ ଆସୁଥିଲା | ଲେଣ୍ଡିଙ୍ଗ ବେଳେ ବିମାନ ଏୟାରପୋର୍ଟ ପାଚେରୀରେ ଧକ୍କା ହୋଇଥିଲା | ପାଚେରୀରେ ଧକ୍କା ହେବା ଫଳରେ ବିମାନ ନିକଟସ୍ଥ ଜନବସ୍ତି ଅଂଚଳକୁ ପଶିଯାଇଥିଲା |
