ନୂଆଦିଲ୍ଲୀ ୦୨/୧୨: IPS ହେବା ଅନେକ ସ୍ୱପ୍ନ । କରିବାକୁ ପଡେ ପ୍ରବଳ ପରିଶ୍ରମ । ଆଉ ସେହି ସ୍ୱପ୍ନ ବାସ୍ତବତାରେ ରୂପ ନିଏ । ଅନୁଭବ ହୁଏ ସ୍ୱର୍ଗଃ ପ୍ରାପ୍ତିର । କିନ୍ତୁ ଯଦି ଏହି ସ୍ୱପ୍ନରେ କାହାର ଗ୍ରହଣ ଲାଗିଯାଏ । ନିମିଷକେ ଓଲଟପାଲଟ ହୋଇଯାଏ ଦୁନିଆ । କାରଣ ବେଳେବେଳେ ମଣିଷର ଅଧିକ ଖୁସିରେ ବି ଭଗବାନଙ୍କ ନଜର ଲାଗିଯାଏ ।
ଏମିତି ଜଣେ IPSଙ୍କ ସ୍ୱପ୍ନ ଭାଙ୍ଗି ରୁଜି ଚୁର୍ମାର ରହିଛି । କାରଣ ସ୍ୱପ୍ନକୁ ବାସ୍ତବତାରେ ରୂପ ଦେବା ପୂର୍ବରୁ ଲିଭିଯାଇଛି ଜୀବନ ଦୀପ । ସବୁଦିନ ପାଇଁ ମା ବାପାଙ୍କ କୋଳଶୂନ୍ୟ କରି ଚାଲିଯାଇଛି IPS ପୁଅ । ଆଉ ଭେଣ୍ଡିଆ ପୁଅକୁ ହରାଇ ବାହୁନି କାନ୍ଦୁଛନ୍ତି ବାପା ମାଆ । କର୍ଣ୍ଣାଟକର ହାସନ ଜିଲ୍ଲାରେ ପ୍ରଥମ ପୋଷ୍ଟିଂ ନେବାକୁ ଯାଉଥିବା ୨୬ ବର୍ଷୀୟ ଆଇପିଏସ୍ ଅଧିକାରୀ ହର୍ଷ ବର୍ଦ୍ଧନଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।
୨୦୨୩ ବ୍ୟାଚ୍ କର୍ଣ୍ଣାଟକ କ୍ୟାଡରର ଆଇପିଏସ୍ ଅଧିକାରୀ ଥିଲେ ହର୍ଷ ବର୍ଦ୍ଧନ । ଆଉ ମଧ୍ୟପ୍ରଦେଶର ସିଙ୍ଗରାଉଲି ଜିଲ୍ଲାର ବାସିନ୍ଦା ଥିଲେ । ରବିବାର ସନ୍ଧ୍ୟାରେ ହାସନ୍ ଜିଲ୍ଲାର କିଟାନେ ନିକଟରେ ଆଇପିଏସ୍ ଅଧିକାରୀଙ୍କ ଅକାଳ ମୃତ୍ୟୁ ହୋଇଛି । କାରର ଟାୟାର ଫାଟିଯିବା କାରଣରୁ ଭୟଙ୍କର ଦୁର୍ଘଟଣା ଘଟିଥିବା ପୋଲିସ କହିଛି । ପୋଲିସର ପ୍ରାଥମିକ ରିପୋର୍ଟ ଅନୁଯାୟୀ ହର୍ଷ ବର୍ଦ୍ଧନ ହୋସନାରସିପୁରରେ ପ୍ରୋବେସନାରୀ ଆସିଷ୍ଟାଣ୍ଟ ପୋଲିସ୍ ଅଧୀକ୍ଷକ ଭାବେ ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିଲେ ।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ବର୍ଦ୍ଧନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତେବେ ଡାକ୍ତରଖାନାରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ପୋଲିସ କହିଛି ଯେ ଆଇପିଏସ୍ ଅଧିକାରୀ ମଏସୁରୁର କର୍ଣ୍ଣାଟକ ପୋଲିସ୍ ଏକାଡେମୀରେ ଚାରି ସପ୍ତାହ ତାଲିମ ଶେଷ କରି ହାସନ ଜିଲ୍ଲାର ଏଏସପି ଭାବରେ ନିଯୁକ୍ତ ହୋଇଥିଲେ । ତାଙ୍କ ପିତା ଜଣେ ସବ-ଡିଭିଜନାଲ ମାଜିଷ୍ଟ୍ରେଟ ।
ସେପଟେ ତାଙ୍କର ଏପରି ଅକାଳ ମୃତ୍ୟୁ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଅଧିକାରୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଆଇପିଏସ୍ ଅଧିକାରୀ ହର୍ଷ ବର୍ଦ୍ଧନଙ୍କ ମୃତ୍ୟୁ ଖବର ଶୁଣି ଦୁଃଖିତ । ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ବହୁ ବର୍ଷର ପରିଶ୍ରମ ପରେ ସେ ଆଇପିଏସ୍ କାର୍ଯ୍ୟାଳୟରେ ଦାୟିତ୍ୱ ନେବାକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି । ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ହର୍ଷ ବର୍ଦ୍ଧନ ଯେଉଁଠି ରୁହନ୍ତି ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।