ସନ୍ଧ୍ୟାରେ ଗୁଜୁରାଟ ବନାମ ବାଙ୍ଗାଲୋର : ପ୍ଲେ-ଅଫ୍ ଟିକେଟ୍ ପାଇଁ ଚ୍ୟାଲେଞ୍ଜର୍ସ ପାଖରେ ଶେଷ ସୁଯୋଗ

Published By : Prameya-News7 Bureau | May 19, 2022 IST

ନୂଆଦିଲ୍ଲୀ ୧୯/୦୫: ଚଳିତ ଆଇପିଏଲ୍‌ର ୬୭ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଟାଇଟନ୍ସ ଦଳ ଇତି ମଧ୍ୟରେ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିସାରିଛି । ଅନ୍ୟ ପଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ପାଇଁ ବିଜୟ ଜରୁରି ହୋଇ ପଡ଼ିଛି । ଇତି ମଧ୍ୟରେ ୧୪ ପଏଣ୍ଟ ହାସଲ କରିସାରିଥିବା ରୟାଲ ଚ୍ୟାଲେଞ୍ଜର୍ସ ଆଜିର ମ୍ୟାଚ୍‌ରେ ଟାଇଟନ୍ସକୁ ହରାଇ ପାରିଲେ ପଏଣ୍ଟ ତାଲିକାର ଚତୁର୍ଥକୁ ଉନ୍ନୀତ ହେବ ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ପାଇଁ ପ୍ଲେ-ଅଫ୍‌ରେ ପ୍ରବେଶ କରିବା ସେତେ ସହଜ ନୁହେଁ । ଟାଇଟନ୍ସ ବିପକ୍ଷରେ ବଡ ବ୍ୟବଧାନରେ ବିଜୟ ଓ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ଦିଲ୍ଲୀ କ୍ୟାପିଟାଲ୍ସ ପରାଜିତ ହେଲେ ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ଲେ-ଅଫ୍‌ରେ ପ୍ରବେଶ କରିପାରିବ । ବର୍ତ୍ତମାନ ଟାଇଟନ୍ସକୁ ହରାଇବା ପ୍ରଥମ କାର୍ଯ୍ୟ ହେବ । ଏଥିପାଇଁ ଫାଫ ଡୁ ପ୍ଲେସି, ବିରାଟ କୋହଲି ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ମଧ୍ୟରୁ ଜଣଙ୍କୁ ବିଶାଳ ଇନିଂସ ଖେଳିବାକୁ ପଡ଼ିବ । ଏଥିସହ ଜୋସ ହାଜେଲଉଡ୍‌ ଓ ସାଥୀଙ୍କୁ ମଧ୍ୟ ଘାତକ ବୋଲିଂ କରିବାକୁ ହେବ ।

ଟାଇଟନ୍ସ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ୧୩ଟି ମ୍ୟାଚ୍‌ ଖେଳି ଦଳ ୧୦ଟି ମ୍ୟାଚ୍‌ ଜିତି ଏକ ପ୍ରକାର ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଛି । ତେଣୁ ଆସନ୍ତା କାଲି ଟାଇଟନ୍ସ ନିକଟରୁ ଆଉ ଏକ ଦଳଗତ ପ୍ରଦର୍ଶନ ଦେଖିବାକୁ ମିଳିପାରେ ।

ଦିନେଶ କାର୍ତ୍ତିକ ଓ ରସିଦ ଖାନ୍‌ଙ୍କ ମଧ୍ୟରେ ଏକ ସଂଘର୍ଷ ଦେଖିବାକୁ ମିଳିବ । କାର୍ତ୍ତିକ ସର୍ବଦା ରୟାଲ୍‌ ଚ୍ୟାଲେଞ୍ଜର୍ସ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି । ହେଲେ ରସିଦ ତାଙ୍କୁ ପୂର୍ବରୁ ୩ଥର ଆଉଟ୍‌ କରିସାରିଛନ୍ତି । କାର୍ତ୍ତିକଙ୍କ ପାଇଁ ରସିଦଙ୍କର କିଛି ଓଭର ସାଇତି ରଖିବାକୁ ଟାଇଟନ୍ସ ଅଧିନାୟକ ଲକ୍ଷ୍ୟ ରଖିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.