ଆଇପିଏଲ ୨୦୨୨ : ଦଶମ ଲିଗ୍ ମ୍ୟାଚରେ ଗୁଜୁରାଟକୁ ଟକ୍କର ଦେବ ଦିଲ୍ଲୀ

Published By : Prameya-News7 Bureau | April 02, 2022 IST

ମୁମ୍ବାଇ,୦୨/୦୪: ଶନିବାର  ଆଇପିଏଲ୍‌ର ଦଶମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ବିଜୟ ସହ ଅଭିଯାନ ଆରମ୍ଭ କରିଥିବାରୁ ଉଭୟ ଦଳର ମନୋବଳ ଦୃଢ଼ ରହିଛି । ଆଜିର ମ୍ୟାଚ୍‌ରେ କ୍ୟାପିଟାଲ୍ସ ଓ ଟାଇଟନ୍ସ ବିଜୟଧାରା ଅବ୍ୟାହତ ରଖିବା ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି । ଏହି ମ୍ୟାଚ୍‌ ରାତି ୭.୩୦ରୁ ଆରମ୍ଭ ହେବ ।

ଆଇପିଏଲ୍‌ରେ ପଦାର୍ପଣ କରିଥିବା ଗୁଜରାଟ ଟାଇଟନ୍ସ ପ୍ରଥମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ୫ ୱିକେଟ୍‌ରେ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ଦଳର ବୋଲିଂ ବିଭାଗର ପ୍ରଦର୍ଶନ ଉଚ୍ଚକୋଟୀର ରହିଥିବାବେଳେ ଷ୍ଟାର୍‌ ବ୍ୟାଟର ଶୁଭମନ ଗିଲ, ବିଜୟ ଶଙ୍କର ନିରାଶ କରିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ଡେଭିଡ୍‌ ମିଲର, ରାହୁଲ ତେୱାତିଆ ଓ ଅଭିନବ ମନୋହର ଉପଯୋଗୀ ସ୍କୋର କରି ଦଳକୁ ବିଜୟୀ କରାଇଥିଲେ । ପେସ୍‌ ବୋଲର ମହମ୍ମଦ ସାମି (୩ ୱିକେଟ୍‌), ଲୋକି ଫର୍ଗୁସନ ଓ ସ୍ପିନର ରସିଦ ଖାନ୍‌ (୧ୱିକେଟ୍‌) ପ୍ରଭାବୀ ବୋଲିଂ ପ୍ରଦର୍ଶନ କରି ସୁପର ଜାଏଣ୍ଟ୍‌ସକୁ ୬/୧୫୮ରେ ସୀମିତ ରହିଥିଲେ । ପାଣ୍ଡ୍ୟା ମଧ୍ୟ ବୋଲିଂ ଫିଟ୍‌ନେସ ଫେରି ପାଇଥିବା ପ୍ରମାଣିତ କରିଥିଲେ।

କ୍ୟାପିଟାଲ୍ସ ପ୍ରଥମ ମ୍ୟାଚ୍‌ରେ ୫ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା । ତେଣୁ ଦଳର ଏକାଦଶ ପରିବର୍ତ୍ତନ ସମ୍ଭାବନା କମ୍‌ । ପ୍ରଥମ ମ୍ୟାଚ୍‌ ବିଜୟରେ ହୀରୋ ସାଜିଥିବା ସ୍ପିନର କୁଲଦୀପ ଯାଦବ (୩/୧୮), ଲଳିତ ଯାଦବ (ଅପରାଜିତ ୪୮) ଓ ଅକ୍ଷର ପଟେଲ (ଅପରାଜିତ ୩୮) ଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଓପନର ପୃଥ୍ୱୀ ଶ’ ୨୪ବଲ୍‌ରୁ ଦ୍ରୁତ ୩୮ରନ୍‌ କରି ଫର୍ମରେ ଥିବା ପ୍ରମାଣିତ କରିଥିବାବେଳେ ଅଧିନାୟକ ରିଷଭ ପନ୍ତ ଓ ରୋଭମାନ୍‌ ପାୱେଲ୍‌ ଫେଲ୍‌ ମାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.