IPL-17 ପାଇଁ ୧୯ରେ ହେବ ମିନି ନିଲାମ୍‌ : MIକୁ ଫେରିପାରନ୍ତି ହାର୍ଦ୍ଦିକ, ରସେଲ୍‌କୁ ରଖିବ KKR

Published By : Prameya-News7 Bureau | November 25, 2023 IST

ମୁମ୍ବାଇ ୨୫।୧୧ : ଡିସେମ୍ବର ୧୯ରେ ଆଇପିଏଲ୍‌-୧୭ ପାଇଁ ମିନି ନିଲାମ । ଚଳିତଥର ଦୁବାଇରେ ଅନୁଷ୍ଠିତ ହେବ ନିଲାମ କାର୍ଯ୍ୟକ୍ରମ। ଏବେଠୁ ୧୦ଟି ଯାକ ଫ୍ରାଞ୍ଚାଇଜ୍‌  ଶକ୍ତିଶାଳୀ ତଥା ସନ୍ତୁଳିତ ଦଳ ଗଠନ କରିବାରେ  ଲାଗି ପଡ଼ିଛନ୍ତି । ନିଲାମ ପୂର୍ବରୁ ଖେଳାଳି ପ୍ରତିଧାରଣ  ପ୍ରକ୍ରିୟା ଜୋରଦାର ହୋଇଛି । ସବୁ ଫ୍ରାଞ୍ଚାଇଜ୍‌  ପୂର୍ବ ବର୍ଷର ଦଳରୁ କିଛି ଖେଳାଳିଙ୍କୁ ରଖି ବାକି ଖେଳାଳିଙ୍କୁ ନିଲାମ ପାଇଁ ବାଦ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଗୁଜରାଟ ଟାଇଟନ୍ସକୁ ଚାମ୍ପିଅନ୍‌ କରାଇଥିବା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨ ବର୍ଷ ପରେ ପୁନର୍ବାର ମୁମ୍ବାଇ ଇଣ୍ଡିଆନ୍ସକୁ ଫେରୁଥିବା ଚର୍ଚ୍ଚା ହେଉଛି । ଖେଳାଳି ଅଦଳ ବଦଳ  ପ୍ରକ୍ରିୟାରେ ସେ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରତ୍ୟାବର୍ତ୍ତନ କରିବେ । ଏପିରିକି କିଛି ଖେଳାଳିଙ୍କ ଅଦଳବଦଳ ହୋଇସାରିଲାଣି । ଆଉ କିଛି ଷ୍ଟାର୍‌ ଖେଳାଳିଙ୍କୁ  ଫ୍ରାଞ୍ଚାଇଜ୍‌ମାନେ ବାଦ ଦେବାକୁ ଯୋଜନା କରୁଛନ୍ତି ।  ଖେଳାଳି ପ୍ରତିଧାରଣର ଶେଷ ତାରିଖ ୨୬ ନଭେମ୍ବର  ରହିଛି । ଆଉ ଦିନକ ମଧ୍ୟରେ ପୁରା ଚିତ୍ର ସ୍ପଷ୍ଟ ହୋଇଯିବ।

wp:embed {"url":"https://www.prameyanews7.com/gautam-gambhir-returns-to-kkr/","type":"wp-embed","providerNameSlug":"prameya-news-7"}
https://www.prameyanews7.com/gautam-gambhir-returns-to-kkr/
/wp:embed

ଖବର ଅନୁଯାୟୀ, ଗତ ସିଜନରେ ସବୁଠୁ ଅଧିକ ଦାମରେ  ବିକ୍ରି ହୋଇଥିବା କିଛି ଖେଳାଳିଙ୍କୁ ନିଜ  ନିଜ ଫ୍ରାଞ୍ଚାଇଜ ବାଦ ଦେବାକୁ ନିଷ୍ପତ୍ତି  ନେଇଛନ୍ତି। ଏମାନଙ୍କ ମଧ୍ୟରେ ଆଗରେ  ରହିଛନ୍ତି ଇଂଲଣ୍ଡର ବ୍ୟାଟିଂ ବିସ୍ମୟ ହ୍ୟାରୀ  ବ୍ରୁକ୍‌ ଓ ଅଲ୍‌ରାଉଣ୍ଡର ସାମ କୁରାନ।   ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ  ପାଣ୍ଡ୍ୟା ପୁନର୍ବାର ମୁମ୍ବାଇ ଇଣ୍ଡିଆନ୍ସକୁ ଫେରୁଥିବା  ଆଲୋଚନା ହେଉଛି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ  ଅଧିନାୟକ ରୋହିତ ଶର୍ମାଙ୍କୁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଜଣେ ଖେଳାଳିଙ୍କ ସହ ବଦଳାଇବାକୁ ଉଭୟ ପକ୍ଷ  ମଧ୍ୟରେ ବୁଝାମଣା ହୋଇଥିବା ମଧ୍ୟ ଶୁଣା ଯାଉଛି ।  ଖେଳାଳି ବଦଳକୁ ନେଇ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌  ଚୁପ୍‌ ରହିଛନ୍ତି । ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ  ଇଣ୍ଡିଆନ୍ସ ୫ଥର ଆଇପିଏଲ୍‌ ଚାମ୍ପିଅନ୍‌ ହୋଇଛି ।

wp:embed {"url":"https://www.prameyanews7.com/australian-left-handed-batter-travis-head-set-to-play-ipl-2024/","type":"wp-embed","providerNameSlug":"prameya-news-7"}
https://www.prameyanews7.com/australian-left-handed-batter-travis-head-set-to-play-ipl-2024/
/wp:embed

ଦୁର୍ଦ୍ଦର୍ଷ ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ ଏଥର ଦଳରୁ ବାଦ ଦେବ ବୋଲି  ଚର୍ଚ୍ଚା ହେଉଥିଲା । ମାତ୍ର ତାଙ୍କୁ ଛାଡ଼ିବାକୁ ଚାହୁଁନଥିବା ନାଇଟ ରାଇଡର୍ସ ସ୍ପଷ୍ଟ କରିଛି । ବଦଳରେ ଦଳ  ପେସ୍‌ ବୋଲର ଲୋକି ଫର୍ଗୁସନ, ଟିମ ସାଉଦି ଓ  ସର୍ଦୁଲ ଠାକୁରଙ୍କୁ ବାଦ ଦେବାକୁ ଯୋଜନା କରୁଛି ।  ନାଇଟ ରାଇଡର୍ସ ୧୦.୭୫ କୋଟି ଟଙ୍କାରେ ସର୍ଦୁଲଙ୍କୁ  ଓ ୧୦କୋଟି ଟଙ୍କାରେ ଫର୍ଗୁସନଙ୍କୁ କିଣିଥିଲା ।

ହ୍ୟାରୀ ବ୍ରୁକ୍‌ଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୧୩.୨୫ କୋଟି ଟଙ୍କା ମୂଲ୍ୟରେ କିଣିଥିଲା । ତାଙ୍କ  ମୂଳ ଦର ଥିଲା ୧.୫କୋଟି ଟଙ୍କା । ସନରାଇଜର୍ସର  ନୈରାଶ୍ୟଜନକ ପ୍ରଦର୍ଶନ ପରେ ବ୍ରୁକ୍‌ଙ୍କୁ ବିଦା କରିବା ପାଇଁ ଫ୍ରାଞ୍ଚାଇଜ୍‌ ଯୋଜନା କରିଛି । ଅବଶ୍ୟ ନିଲାମରେ ତାଙ୍କୁ ପୁଣି ଥରେ କିଣିବା ସମ୍ଭାବନା ରହିଛି । ପଞ୍ଜାବ କିଙ୍ଗ୍‌ସ ଗତ ବର୍ଷ  ୧୮.୫୦ କୋଟି ଟଙ୍କା ମୂଲ୍ୟରେ  କୁରାନଙ୍କୁ କିଣିଥିଲା । ମାତ୍ର ତାଙ୍କ  ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଏଥର ପଞ୍ଜାବ କିଙ୍ଗ୍‌ସ ତାଙ୍କୁ ବାଦ ଦେବା ନିଶ୍ଚିତ । 

wp:embed {"url":"https://www.prameyanews7.com/ben-stokes-to-miss-ipl-2024-due-to-workload-fitness-management/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ben-stokes-to-miss-ipl-2024-due-to-workload-fitness-management/
/wp:embed

ରୟାଲ୍‌ ଚ୍ୟାଲେଞ୍ଜର୍ସ ଏଥର ୱାନିଣ୍ଡୁ ହସରଙ୍ଗା  ଓ ହର୍ଷଲ ପଟେଲଙ୍କୁ ବାଦ ଦେବାକୁ ନିଷ୍ପତ୍ତି ନେଇଛି । ଉଭୟଙ୍କୁ ୧୦.୭୫ ଟଙ୍କା ଲେଖାଏଁ ମୂଲ୍ୟରେ ଆରସିବି  କିଣିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଜୋଫ୍ରା ଆର୍ଚର ଓ ଦିଲ୍ଲୀ କ୍ୟାପିଟାଲ୍ସ ଆନରିଚ ନର୍ଜଙ୍କୁ ବାଦ ଦେବାକୁ ଯାଉଛନ୍ତି ।  ଆସନ୍ତା ସିଜିନରେ  ଉଭୟ ଖେଳିବା ନେଇ ଆଶଙ୍କା ରହିଛି । ଆର୍ଚର  ଆହତ ଥିବା ସତ୍ତେ୍ୱ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୮କୋଟି  ଟଙ୍କାରେ କିଣିଥିଲା । ୨ଟି ସିଜନ ମଧ୍ୟରେ ସେ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳିଛନ୍ତି । ନର୍ଜଙ୍କୁ ୬.୫କୋଟି  ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିଲା । ଗତ ବିଶ୍ୱକପ୍‌  ପୂର୍ବରୁ ସେ ଆହତ ହୋଇଥିଲେ । ଆଗାମୀ ଆଇପିଏଲ୍‌  ବେଳକୁ ସେ ଫିଟ୍‌ ହେବାର ଆଶା କ୍ଷୀଣ । ତେଣୁ  ତାଙ୍କୁ ବାଦ ଦେବାକୁ ଫ୍ରାଞ୍ଚାଇଜ ଚିନ୍ତା କରୁଛି ।

ଚେନ୍ନାଇ ସୁପରକିଙ୍ଗ୍‌ସ ଏଥର  ୩୦କୋଟି ଟଙ୍କା ନେଇ  ନିଲାମରେ ସାମିଲ ହେବାକୁ  ଚିନ୍ତା କରୁଛି । ତଥାପି  ଫ୍ରାଞ୍ଚାଇଜ୍‌ ସମସ୍ତ ପ୍ରମୁଖ ଖେଳାଳିଙ୍କୁ ଦଳରେ  ରଖିବାକୁ ଯାଉଛି । ଗତ  ସିଜନ ଖେଳିଥିବା ଅଲ୍‌ରାଉଣ୍ଡର ବେନ ଷ୍ଟୋକ୍ସ  ଏଥର ଓହରି ଯାଇଛନ୍ତି । ବ୍ୟସ୍ତପୂର୍ଣ୍ଣ କ୍ରିକେଟ୍‌ ସିରିଜ  ଓ ମାତ୍ରାଧିକ କାର୍ଯ୍ୟଭାରକୁ ନଜରରେ ରଖି ଷ୍ଟୋକ୍ସ  ଆଇପିଏଲ୍‌ ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି । ଷ୍ଟୋକ୍ସଙ୍କୁ  ଗତ ସିଜନରେ ଚେନ୍ନାଇ ସୁପରକିଙ୍ଗ୍‌ସ ୧୬.୨୫  କୋଟି ଟଙ୍କା ମୂଲ୍ୟରେ କିଣିଥିଲା । ମାତ୍ର  ଆହତ ସମସ୍ୟା ଓ ଫର୍ମ ହାନୀ ଯୋଗୁଁ  ସେ ବହୁ ମ୍ୟାଚ୍‌ ଖେଳିପାରି ନଥିଲେ ।  ତାଙ୍କ ବିନା ମଧ୍ୟ ସୁପରକିଙ୍ଗ୍‌ସ ଚାମ୍ପିଅନ୍‌  ଆଖ୍ୟା ଅର୍ଜନ କରିଥିଲା । ଷ୍ଟୋକ୍ସ ଓହରି ଯିବାରୁ ଏହି  ଅର୍ଥ ସୁପରକିଙ୍ଗ୍‌ସ ପର୍ସକୁ ଫେରିଛି । 

ଷ୍ଟୋକ୍ସଙ୍କ ବ୍ୟତୀତ ଅମ୍ବାତି ରାୟୁଡୁ ମଧ୍ୟ ବାଦ  ପଡ଼ିଛନ୍ତି । ସେ ଗତ ବର୍ଷ ଆଇପିଏଲ୍‌ ଖେଳି  ଅବସର ନେଇଥିଲେ । ରାୟୁଡୁଙ୍କୁ ୬.୭୫କୋଟିରେ  ସୁପରକିଙ୍ଗ୍‌ସ କିଣିଥିଲା । ସେ ଅବସର ନେବା ଫଳରେ ସୁପରକିଙ୍ଗ୍‌ସ ପର୍ସକୁ ଏହି ଅର୍ଥ ଫେରିଛି ।  ଏହା ବ୍ୟତୀତ ଡ୍ୱେନ ପ୍ରିଟୋରିୟସ, ସିସାଣ୍ଡା ମାଗାଲା  ଓ କେଲି ଜାମିସନଙ୍କ ମଧ୍ୟରୁ ୨ଜଣଙ୍କୁ ବାଦ ଦେବାକୁ  ସୁପରକିଙ୍ଗ୍‌ସ ଯୋଜନା କରୁଛି । 

ଏଥର ନବାଗତ ଭାବେ ନ୍ୟୁଜିଲାଣ୍ଡ ଓପନର ରଚିନ  ରବିନ୍ଦ୍ର ଓ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର ଗେରାଲ୍ଡ କୋଏଜି ଚଢ଼ା ଦାମରେ ବିକ୍ରି ହେବେ ବୋଲି ଆଶା  କରାଯାଉଛି । ଏମାନଙ୍କ ବ୍ୟତୀତ ବିଶ୍ୱକପ୍‌ ହିରୋ  ଟ୍ରେଭିସ୍‌ ହେଡ୍‌ ମଧ୍ୟ ଆଇପିଏଲ୍‌ ନିଲାମରେ ନିଜ  ନାମ ଲେଖାଇ ସାରିଛନ୍ତି । ନ୍ୟୁଜିଲାଣ୍ଡ ବ୍ୟାଟର  ଡାରିଲ ମିଚେଲ ମଧ୍ୟ ନିଲାମରେ ସାମିଲ  ହେଉଛନ୍ତି । 

ଆସନ୍ତା ବର୍ଷ ମାର୍ଚ୍ଚ ତୃତୀୟ ସପ୍ତାହରୁ  ଆଇପିଏଲ୍‌ ଆରମ୍ଭ ହେବାର ସମ୍ଭାବନା ରହିଛି ।  ମାର୍ଚ୍ଚ ୧୧ରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଶେଷ  ହେବ । ଏହାପରେ ଆଇପିଏଲ୍‌ ଆରମ୍ଭ ହେବ ।  ଜୁନ୍‌-ଜୁଲାଇରେ ଟି-ଟ୍ୱେଣ୍ଟି ବିଶ୍ୱକପ ରହିଥିବାରୁ  ପ୍ରତ୍ୟେକ ଦେଶର ସିନିୟର ଖେଳାଳିମାନେ  ଆଇପିଏଲ ଖେଳିବାକୁ ମନ ବଳାଇଛନ୍ତି । ଫ୍ରାଞ୍ଚାଇଜଙ୍କ ପର୍ସରେ ୧୦୦କୋଟି ଖେଳାଳି କିଣିବା ପାଇଁ ଅର୍ଥ ବୃଦ୍ଧି କରାଯାଇଛି ।  ଗତ ସିଜିନରେ ଫ୍ରାଞ୍ଚାଇଜ୍‌ଙ୍କ ନିଲାମ ପର୍ସରେ ୯୫କୋଟି ଟଙ୍କା ରହିଥିଲା । ଏଥର ୫କୋଟି ଟଙ୍କା ବୃଦ୍ଧି କରାଯାଇଛି । 

ଗତ ସିଜନର ନିଲାମ ପରେ ପଞ୍ଜାବ କିଙ୍ଗ୍‌ସ  ପର୍ସରେ ସର୍ବାଧିକ ୧୨.୨୦ କୋଟି ଟଙ୍କା ବଳକା ରହିଛି । ଏଥର ଖେଳାଳିଙ୍କୁ ବାଦ ଦେବା ପରେ  ପର୍ସରେ ଅର୍ଥ ବୃଦ୍ଧି ପାଇବ । ସେହିପରି ମୁମ୍ବାଇ  ଇଣ୍ଡିଆନ୍ସ ପର୍ସରେ ସର୍ବନିମ୍ନ ୦.୦୫କୋଟି ଟଙ୍କା ରହିଛି । ଅନ୍ୟ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ସନରାଇଜର୍ସ  ହାଇଦ୍ରାବାଦ ପର୍ସରେ ୬.୫୫କୋଟି, ଗୁଜରାଟ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପର୍ସରେ  ୪.୪୫କୋଟି, ଲକ୍ଷେ୍ନø ସୁପରଜାଏଣ୍ଟ୍‌ସ ନିକଟରେ  ୩.୫୫କୋଟି, ରାଜସ୍ଥାନ ରୟାଲ୍ସ ନିକଟରେ  ୩.୩୫କୋଟି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର  ନିକଟରେ ୧.୭୫କୋଟି, କୋଲକାତା ନାଇଟ  ରାଇଡର୍ସ ନିକଟରେ ୧.୬୫ କୋଟି ଓ ଚେନ୍ନାଇ  ସୁପରକିଙ୍ଗ୍‌ସ ନିକଟରେ ୧.୫କୋଟି ଟଙ୍କା ରହିଛି ।

wp:embed {"url":"https://www.prameyanews7.com/bigg-boss-17-salman-khan-vicky-jain-get-break-downs-meeting-his-mom/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bigg-boss-17-salman-khan-vicky-jain-get-break-downs-meeting-his-mom/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.