ଆଇପିଏଲ୍‌ର ଚେୟାରମ୍ୟାନ୍‌ ହେବେ ବିସିସିଆଇ କୋଷାଧ୍ୟକ୍ଷ, ନେବେ ବ୍ରିଜେସ୍‌ଙ୍କ ସ୍ଥାନ

Published By : Prameya-News7 Bureau | October 11, 2022 IST

ମୁମ୍ୱାଇ, ୧୧/୧୦: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) କୋଷାଧ୍ୟକ୍ଷ ଅରୁଣ ଧୂମାଲ ହେବେ ଆଇପିଏଲ୍‌ର ଚେୟାରମ୍ୟାନ୍‌ । ଏ ନେଇ ଏକ ରିପୋର୍ଟରୁ ଜଣାପଡ଼ିଛି। ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏ ବାବଦରେ କହିଛନ୍ତି ଯେ ଆସନ୍ତା ନଭେମ୍ୱର ମାସରେ ଆଇପିଏଲ୍‌ ଅଧ୍ୟକ୍ଷ ବ୍ରିଜେଶ୍‌ ପଟେଲ୍‌ ୭୦ ବର୍ଷରେ ପଦାର୍ପଣ କରିବେ । ଏଥି ସହିତ ତାଙ୍କର କାର୍ଯ୍ୟକାଳ ମଧ୍ୟ ସରୁଛି । କିନ୍ତୁ ଏହି ପଦ ପାଇଁ କୋଷାଧ୍ୟକ୍ଷ ଧୂମାଲଙ୍କ ନାମ ନେଇଥିଲେ ଶୁକ୍ଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଥିସହିତ ବିସିସିଆଇର ଉପାଧ୍ୟକ୍ଷ ପଦରେ କାର୍ଯ୍ୟ ଚାଲୁ ରଖିବେ ବୋଲି କହିଛନ୍ତି ।

ବିସିସିଆଇର ଆଗକୁ ଥିବା ବାର୍ଷିକ ସାଧାରଣ  ବୈଠକରେ ଧୂମାଲ୍‌ ହିମାଚଳ ପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ପ୍ରତିନିଧିତ୍ୱ କରିବା ପାଇଁ ଚୟନ ହୋଇଛନ୍ତି । ଅନ୍ୟପଟେ ଧୂମାଲ୍‌ ଆଇପିଏଲ୍‌ର ଅଧ୍ୟକ୍ଷ ହେଲେ ବିସିସିଆଇର କୋଷାଧ୍ୟକ୍ଷ ପଦ ଖାଲି ପଡ଼ିବ । ଏହି ପଦ ପାଇଁ ସଭାପତି ଦୌଡ଼ରେ ଥିବା ଆଷିଶ୍‌ ଶେଲାରଙ୍କୁ ନିଯୁକ୍ତି ମିଳିବ । କ୍ରିକବଜ୍ ଅନୁଯାୟୀ ଅନେକ ସମୟ ମୁମ୍ବାଇ କ୍ରିକେଟ୍ ଆସୋସିଏସନରେ ରହିବା ପରେ ଶେଲାର ଶେଷରେ ବିସିସିଆଇର ପଦରେ ଅବସ୍ଥାପିତ ହେବେ ।       

ସେହିପରି କେରଳର ଜୟେସ୍‌ ଜର୍ଜ ଖୁବ୍‌ କମ୍‌ ଦିନ ପାଇଁ ବିସିସିଆଇରେ କାର୍ଯ୍ୟ କରିବେ ଏବଂ ଆସାମ କ୍ରିକେଟ୍ ଆସୋସିଏସନ୍‌ର ଦେବଜିତ୍‌ ସାଇକିଆ ନୂଆ ଯୁଗ୍ମ ସଚିବ ଭାବେ ବିସିସିଆଇର ଦାୟିତ୍ୱ ନେବେ । ତେବେ ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ପଦ ଛାଡ଼ିବା ପରେ ପୂର୍ବତନ ଖେଳାଳି ରୋଜର ବିନ୍ନି ଦାୟିତ୍ୱ ଗ୍ରହଣ କରୁବେ ବୋଲି ଚର୍ଚ୍ଚା ହେଉଛି । ଜୟ ଶାହ ପୁଣିଥରେ ସଚିବ ଦାୟିତ୍ୱରେ ରହିବା ନେଇ ଜଣାପଡ଼ିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.