ବେଙ୍ଗାଲୁରୁ: ରେକର୍ଡ ପରେ ରେକର୍ଡ। ଚଳିତ ଆଇପିଏଲ୍ରେ ସନରାଇଜର୍ସ ହାଇଦ୍ରାବାଦର ବିଧ୍ଵଂସୀ ବ୍ୟାଟିଂ। ଆଇପିଏଲ୍ରେ ଇତିହାସରେ ନିଜ ନାଁରେ ଥିବା ସର୍ବାଧିକ ସ୍କୋରର ରେକର୍ଡ ନିଜେ ଭାଙ୍ଗିଛି ହାଇଦ୍ରାବାଦ। ମୁମ୍ବାଇ ବିପକ୍ଷରେ ଚଳିତ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୩ ଓ୍ଵିକେଟ୍ ହରାଇ ୨୭୭ ରନ କରିଥିଲା। ତେବେ ଆଜି ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳା ଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍ରେ ହାଇଦ୍ରାବାଦ ୩ ଓ୍ଵିକେଟ୍ରେ ୨୮୭ ରନ କରି ପୁଣି ନୂତନ କୀର୍ତ୍ତିମାନ ସ୍ଥାପନ କରିଛି। ଛକା ଓ ଚୌକା ବର୍ଷାରେ ଦୁଲୁକିଛି ଚିନ୍ନାସ୍ଵାମୀ ଷ୍ଟାଡିୟମ। ଟ୍ରେଭିସ୍ ହେଡ୍ ୪୧ ବଲରୁ ୧୦୨ ରନର ବିଧ୍ଵଂସୀ ଶତକୀୟ ଇନିଂସ ଖେଳିଥିବା ବେଳେ ହେନରିକ କ୍ଲାସେନ ୩୧ ବଲରୁ ୬୭ ରନର ଧୂଆଁଧାର ବ୍ୟାଟିଂ କରିଛନ୍ତି। ଆଡନ ମାରକ୍ରମ ୩୨ ଓ ଅବଦୁଲ ସାମଦ ୧୦ ବଲରୁ ୩୭ ରନ କରିଛନ୍ତି। ବେଙ୍ଗାଲୁରୁ ସମ୍ମୁଖରେ ୨୮୮ ରନର ବିଜୟ ଲକ୍ଷ୍ୟ ରହିଛି। ହାଇଦ୍ରାବାଦ ଇନିଂସରେ ୨୨ ଛକା ଦେଖିବାକୁ ମିଳିଛି। ବେଙ୍ଗାଲୁରୁ ବୋଲର ହାଇଦ୍ରାବାଦ ବ୍ୟାଟରଙ୍କ ଆଗରେ ଅସହାୟ ନଜର ଆସିଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦର ଦୁଇ ଓପନର ଅଭିଷେକ ଶର୍ମା ଓ ଟ୍ରେଭିସ୍ ହେଡ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବିଶେଷ କରି ଟ୍ରେଭିସ୍ ହେଡ୍ ବେଙ୍ଗାଲୁରୁ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ। ଉଭୟ ପ୍ରଥମ ଓ୍ଵିକେଟ୍ ପାଇଁ ୮.୧ ଓଭରରେ ୧୦୮ ରନ ଯୋଡ଼ିଥିଲେ। ଅଭିଷେକ ଶର୍ମା ୩୪ ରନ କରି ଆଉଟ୍ ହୋଇଥିଲେ। ଟ୍ରେଭିସ୍ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ମାତ୍ର ୩୯ ବଲରୁ ଶତକ ପୂରଣ କରିଥିଲେ। ସେ ଏବଂ ହେନରିକ କ୍ଲାସେନ ମିଶି ୨ୟ ଓ୍ଵିକେଟ୍ ପାଇଁ ୫୭ ରନ ଯୋଡ଼ିଥିଲେ। ହେଡ୍ ୪୧ ବଲରୁ ୯ ଚୌକା ଓ ୮ ଛକା ସହ ୧୦୨ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ କ୍ଲାସେନ ଶୋ ଆରମ୍ଭ ହୋଇଥିଲେ। ସେ ବିସ୍ଫୋରକ ବ୍ୟାଟିଂ କରି ୩୧ ବଲରୁ ୨ ଚୌକା ଓ ୭ ଛକା ସହ ୬୭ ରନ କରିଥିଲେ।
ଏହା ପରେ ମାରକ୍ରମ ଓ ଅବଦୁଲ ସାମଦ ମଧ୍ୟ ରନ ବର୍ଷା କରିଥିଲେ। ଛକା-ଚୌକାରେ ଦୁଲୁକିଥିଲା ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମ। ହାଇଦ୍ରାବାଦ ଏମିତି ପ୍ରହାର କରିଥିଲ ଯେ ଦଳ ଆଜି ଆଇପିଏଲ୍ ଇତିହାସରେ ନିଜେ କରିଥିବା ସର୍ବୋଚ୍ଚ ସ୍କୋରର ରେକର୍ଡ ଭାଙ୍ଗିଛି। ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୮୭ ରନ କରିଛି। ମାରକ୍ରମ ୧୭ ବଲରୁ ୩୨ ରନ ଏବଂ ଅବଦୁଲ ସାମଦ ୧୦ ବଲରୁ ୩୭ ରନ କରି ଅପରାଜିତ ଥିଲେ। ଚଳିତ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୩ ଓ୍ଵିକେଟ୍ ହରାଇ ୨୭୭ ରନ କରିଥିଲା ହାଇଦ୍ରାବାଦ।
ବୋଲିଂରେ ଲୋକି ଫର୍ଗ୍ୟୁସନ ୪ ଓଭରରେ ୫୨ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ରିସି ଟୋପଲି ୪ ଓଭରରେ ୬୮ ରନ ବ୍ୟୟ କରି ଗୋଟିଏ ଓ୍ଵିକେଟ୍, ବିକୟ କୁମାର ବୈଶାଖ ୪ ଓଭରରେ ୬୪ ରନ, ୟଦ ଦୟାଲ ୪ ଓଭରରେ ୫୧ ରନ ଓ ଓ୍ଵିଲ ଜ୍ୟାକ୍ସ ୩ ଓଭରରେ ୩୨ ରନ ଦେଇଥିଲେ।