ରୋମାଞ୍ଚକ ମୋଡ଼ରେ ପ୍ଲେ ଅଫ୍ ଦୌଡ଼; MI ବାଦ୍, ରେସରେ LSG, RCB, PBKS

Published By : Prameya-News7 Bureau | May 09, 2024 IST

jagran josh

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ର ୭୦ଟି ମ୍ୟାଚ୍‌ରୁ ଏ ପର୍ଯ୍ୟନ୍ତ ୫୭ଟି ମୁକାବିଲା ଖେଳ ସରିଛି। ମାତ୍ର ଏବେ ବି କୌଣସି ଦଳ ଆନୁଷ୍ଠାନିକ ଭାବେ ପ୍ଲେ ଅଫ୍‌ରେ ପ୍ରବେଶ କରି ନାହାନ୍ତି। କିନ୍ତୁ ହାଇଦ୍ରାବାଦ ବନାମ ଲକ୍ଷ୍ନୌ ମ୍ୟାଚ୍ ପରେ ପ୍ରଥମ ଦଳ ଭାବେ ଆଇପିଏଲ୍‌ରୁ ବାଦ୍ ପଡ଼ିଛି ମୁମ୍ବାଇ ଇଣ୍ଡିଆନ୍ସ। ଆଉ ୯ଟି ଦଳ ଏବେ ବି ଟପ୍-୪ ପାଇଁ ଦୌଡ଼ରେ ରହିଛନ୍ତି। ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ୧୬ ଲେଖାଏଁ ଅଙ୍କ ସହ ଆଗରେ ରହିଛନ୍ତି। ବାକି ଅନ୍ୟ ଦଳ ଉପରେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବାର ବିପଦ ରହିଛି। 

Also read: ଲଜ୍ଜାଜନକ ପରାଜୟକୁ ସହି ପାରିଲେନି ମାଲିକ, ସସସ୍ତଙ୍କ ଆଗରେ ଲଗାଇଲେ କ୍ଲାସ୍

ଗତକାଲି ମ୍ୟାଚ୍‌ରେ ହାଇଦ୍ରାବାଦ ୧୦ ଓ୍ଵିକେଟ୍‌ ଲକ୍ଷ୍ନୌକୁ ହରାଇବା ସହ ଉନ୍ନତ ରନ ରେଟ୍ ସହ ତୃତୀୟ ସ୍ଥାନକୁ ଉଠିଛି। ଦଳ ଯୁକ୍ତ ୦.୪୦୬ ନେଟ୍ ରନ ରେଟ୍ ସହ ୧୪ ଅଙ୍କ ପାଇ ପ୍ଲେ ଅଫ ଦୌଡ଼ରେ ମଜବୁତ ସ୍ଥିତିରେ ରହିଛି। ଦଳକୁ ନିଜ ଘରୋଇ ମାଟିରେ ଦୁଇଟି ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳିବାର ଅଛି। ଦୁଇଟି ମ୍ୟାଚ୍ ଜିତିଲେ ଦଳ ୧୮ ପଏଣ୍ଟ ପାଇ ପ୍ଲେ ଅଫ୍‌ରେ ପହଞ୍ଚିବା ସହ ଟପ୍-୨ରେ ରହିପାରିବ। ଗୋଟିଏ ଜିତିଲେ ପ୍ଲେ ଅଫରେ ପ୍ରବଳ ଦାବିଦାର ରହିବ। ଟୁର୍ଣ୍ଣାମେଣ୍ଟରେ ଏସଆରଏଚ ବ୍ୟତୀତ ସିଏସକେ, ଡିସି ଓ ଏଲଏସଜି ୪ଟି ଦଳ ରହିଛନ୍ତି ଯେଉଁମାନେ ସର୍ବାଧିକ ୧୬ କିମ୍ବା ସେଥିରୁ ଅଧିକ ପଏଣ୍ଟରେ ପହଞ୍ଚି ପାରନ୍ତି। କିନ୍ତୁ ନେଟ୍ ରନ ରେଟ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

୧୬ ପଏଣ୍ଟର ପହଞ୍ଚି ପାରିବ ଏଲଏସଜି

ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ଶୋଚନୀୟ ପରାଜୟ ସତ୍ତ୍ଵେ କେଏଲ ରାହୁଲଙ୍କ ଲକ୍ଷ୍ନୌ ସର୍ବାଧିକ ୧୬ ପଏଣ୍ଟରେ ପହଞ୍ଚି ପାରିବ। ଦଳ ୧୨ଟି ମ୍ୟାଚ୍‌ରୁ ଛଅଟି ବିଜୟ ସହ ୧୨ ପଏଣ୍ଟରେ ରହିଛି। ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରହିଛି। ଦୁଇଟି ଯାକ ମ୍ୟାଚ୍ ଜିତିଲେ ଦଳ ପ୍ଲେ ଅଫ୍‌ରେ ପହଞ୍ଚିବାର ସମ୍ଭାବନା ରହିବ। କିନ୍ତୁ ଶେଷରେ ନେଟ୍ ରନ ରେଟ୍ ଉପରେ ସବୁ ନିର୍ଭର କରିବ। ଲକ୍ଷ୍ନୌର ଆଗାମୀ ଦିଲ୍ଲୀ ବିପକ୍ଷ ମ୍ୟାଚ୍ ନକ୍‌ଆଉଟ୍ ପରି ରହିଛି। 

ଜିଟି, ପିବିକେଏସ ଓ ଆରସିବି ମଧ୍ୟ ଦୌଡ଼ରେ

ସନରାଇଜର୍ସ ହାଇଦ୍ରାବାଦର ବିଜୟ ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲ୍‌ ୨୦୨୪ ପ୍ଲେ ଅଫ୍ ଦୌଡ଼ରୁ ବାହାର କରି ଦେଇଛି। ଏମିତିରେ ଗୁଜରାଟ ଟାଇଟନ୍ସ, ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁଙ୍କୁ ଯଦି ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବାର ଅଛି ତେବେ ନିଜର ଅବଶିଷ୍ଟ ସମସ୍ତ ମ୍ୟାଚ୍ ଜିତିବାକୁ ପଡ଼ିବ। ଏହି ତିନି ଦଳ ପାଖରେ ସର୍ବାଧିକ ୧୪ ପଏଣ୍ଟରେ ପହଞ୍ଚିବାର ସୁଯୋଗ ରହିଛି। ଗୋଟିଏ ପରାଜୟ ହେଲେ ୧୨ ଅଙ୍କ ସହ ପ୍ଲେ ଅଫ ଦୌଡ଼ରୁ ବାଦ୍ ପଡ଼ିବେ। ଆଜି ପଞ୍ଜାବ ବନାମ ବେଙ୍ଗାଲୁରୁ ମ୍ୟାଚ୍ ଦୁଇ ଦଳ ପାଇଁ ନକ୍‌ ଆଉଟ୍ ପରି ରହିଛି। ହାରିବା ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଆଉ ଜିତିବା ଦଳର ପ୍ଲେ ଅଫ୍ ଆଶା ଉଜ୍ଜିବୀତ ରହିବ। ଗୁଜରାଟ୍‌ର ପ୍ଲେ ଅଫ୍‌ ସୁଯୋଗ ବହୁତ କମ ରହିଛି, କାରଣ ନେଟ୍ ରନ ରେଟ୍ ବିଯୁକ୍ତ ୧.୩୨୦ ରହିଛି। ଦଳକୁ କେବଳ ମ୍ୟାଚ୍ ଜିତିଲେ ହେବ ନାହିଁ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ। 

ସିଏସକେକୁ ଜିତିବାକୁ ପଡ଼ିବ ୩ରୁ ୨ ମ୍ୟାଚ୍

ଚେନ୍ନାଇ ସୁପର କିଙ୍ଗ୍ସ  ଯଦି ନିଜର ଅବଶିଷ୍ଟ ୩ଟି ମ୍ୟାଚ୍ ଜିତିଯାଏ ତେବେ ଦଳ ସର୍ବାଧିକ ୧୮ ପଏଣ୍ଟରେ ପହଞ୍ଚି ପାରିବ। ଏମିତି ହେଲେ ଦଳ କେବଳ ପ୍ଲେ ଅଫ୍‌ରେ ପହଞ୍ଚିବ ନାହିଁ ବରଂ କ୍ଵାଲିଫାୟର-୧ ଖେଳିବାର ସମ୍ଭାବନା ରହିବ। ଯଦି ଦଳ ଗୋଟିଏ  ମ୍ୟାଚ୍ ହାରେ ତେବେ ୧୬ ପଏଣ୍ଟରେ ପହଞ୍ଚିବ। ଶେଷରେ ନେଟ୍ ରନ ରେଟ୍‌ରେ ଅଙ୍କ ଫସିବ। 

  

 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.