ଗାଏକ୍ଵାଡ଼ଙ୍କ ଉପରେ ଭାରି ପଡ଼ିଲା ଷ୍ଟୋଇନିସଙ୍କ ଶତକ, ଚେନ୍ନାଇ ମୁହଁରୁ ବିଜୟ ଛଡ଼ାଇ ନେଲା ଲକ୍ଷ୍ନୌ

Published By : Prameya-News7 Bureau | April 23, 2024 IST

Aajtak

ଚେନ୍ନାଇ: ଋତୁରାଜଙ୍କ ଅପରାଜିତ ଶତକ ଉପରେ ଭାରି ପଡ଼ିଲା ଷ୍ଟୋଇନିସଙ୍କ ଅପରାଜିତ ଶତକ। ଚେନ୍ନାଇ ମୁହଁରୁ ବିଜୟ ଛଡ଼ାଇ ଆଣିଲା ଲକ୍ଷ୍ନୌ। ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲ୍‌ର ୩୮ତମ ରୋମାଞ୍ଚକର ମୁକାବିଲାରେ ଲକ୍ଷ୍ନୌ ଚେନ୍ନାଇକୁ ତାରି ମାଟିରେ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏଥିସହ ଚଳିତ ସିଜିନରେ କେଏଲ ରାହୁଲଙ୍କ ଦଳ ଚେନ୍ନାଇକୁ ଉଭୟ ମ୍ୟାଚ୍‌ରେ ପରାସ୍ତ କରିଛି। ଚେନ୍ନାଇ ଦ୍ଵାରା ଧାର୍ଯ୍ୟ ୨୧୧ ରନର ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ଷ୍ଟୋଇନିସଙ୍କ ଧୂଆଁଧାର ଅପରାଜିତ ୧୨୪ ରନ ବଳରେ ୧୯.୩ ଓଭରରେ ୪ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଶେଷ ଆଡ଼କୁ ନିକୋଲାସ ପୂରନ(୩୪) ଓ ଦୀପକ ହୁଡ୍ଡା(୧୭*) ଦଳ ବିଜୟରେ ବହୁମୂଲ୍ୟ ଯୋଗଦାନ ଦେଇଛନ୍ତି।  ବୃଥା ହୋଇଛି ଚେନ୍ନାଇ ଅଧିନାୟକ ଋତୁରାଜଙ୍କ ଶତକ। ପ୍ରଥମେ ବ୍ୟାଟିଂ କରିଥିବା ସିଏସକେ ଋତୁରାଜଙ୍କ ଅପରାଜିତ ୧୦୮ ରନ ଓ ଶିବମ ଦୁବେଙ୍କ ୬୬ ରନ ବଳରେ ୨୧୦ ରନ କରିଥିଲା। ମ୍ୟାଚ୍ ପରେ ସିଏସକେ ୮ଟିରୁ ୪ଟି ହାରି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଖସିଥିବା ବେଳେ ପଞ୍ଚମ ବିଜୟ ସହ ଟପ୍-୪ରେ ପ୍ରବେଶ କରିଛି ଲକ୍ଷ୍ନୌ। 

Also read: ମହଙ୍ଗା ପଡ଼ିଲା ରିଙ୍ଗ୍‌ ଗାର୍ଲଙ୍କୁ ଧକ୍କା ମାରିବା ! MMA ଷ୍ଟାର ଅଲ୍ଲୀ ହୈବାଟି ଆଜୀବନ ବାସନ୍ଦ

୨୧୧ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଲକ୍ଷ୍ନୌ ଖାତା ଖୋଲିବା ପୂର୍ବରୁ କ୍ଵିଣ୍ଟନ ଡିକକ୍‌ଙ୍କ ଓ୍ଵିକେଟ୍ ହରାଇଥିଲା। ପୁଣି ୩୩ ରନ ସ୍କୋରରେ ଅଧିନାୟକ କେଏଲ ରାହୁଲ(୧୬) ଆଉଟ୍ ହେବା ଦଳକୁ ବଡ଼ ଝଟକା ଲାଗିଥିଲା। ଏହା ପରେ ମାର୍କସ ଷ୍ଟୋଇନିସ୍ ଦ୍ରୁତ ବ୍ୟାଟିଂ କରି ଦେବଦତ୍ତ ପାଡିକଲଙ୍କ ସହ ୩ୟ ଓ୍ଵିକେଟ୍‌ରେ ୫୫ ରନ ଯୋଡ଼ି ଦଳର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ପାଡିକଲ(୧୩) ପୁଣି ନିରାଶ କରିଥିଲେ। 

ଅନ୍ୟପଟେ ଷ୍ଟୋଇନିସ୍ କ୍ରିଜରେ ଜମିବା ପରେ ଧୂଆଁଧାର ବ୍ୟାଟିଂ କରିଥିଲେ। ତାଙ୍କୁ ଉତ୍ତମ ସହଯୋଗ ଦେଇଥିଲେ ନିକୋଲାସ ପୂରନ। ପୂରନ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ମାତ୍ର ୧୫ ବଲରୁ ୩ ଚୌକା ଓ ୨ ଛକା ସହ ୩୪ ରନ କରିଥିଲେ। ଦୁଇ ବ୍ୟାଟର ଚତୁର୍ଥ ଓ୍ଵିକେଟ୍‌ରେ ୭୦ ରନ ଯୋଡ଼ିଥିଲେ। ଅନ୍ୟ ପାର୍ଶ୍ଵରେ ଷ୍ଟୋଇନିସ୍ ନିଜର ଆଇପିଏଲ୍ କ୍ୟାରିୟରେ ପ୍ରଥମ ଶତକ   ହାସଲ କରିଥିଲେ। ତାଙ୍କର ଲଢୁଆ ବ୍ୟାଟିଂ ଯୋଗୁଁ ମ୍ୟାଚ୍ ଶେଷ ଓଭର ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିଲା। ନିକୋଲାସଙ୍କ ପରେ ଦୀପକ ହୁଡ୍ଡା ୬ ବଲରୁ ୧୭ ରନ କରି ଦଳ ପାଇଁ ମୂଲ୍ୟବାନ ଇନିଂସ ଖେଳିଥିଲେ। ଶେଷରେ ଲକ୍ଷ୍ନୌ ୧୯.୩ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଷ୍ଟୋଇନିସ୍ ୬୩ ବଲରୁ ୧୩ ଚୌକା ଓ ୬ ଛକା ସହ ୧୨୪ ରନର ଅପରାଜିତ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। 

ବୋଲିଂରେ ମଥିଶା ପାଥିରାନା ୩୫ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଦୀପକ ଚହର ଓ ମୁସ୍ତାଫିଜୁର ରେହମାନ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ମୁସ୍ତାଫିଜୁର ୫୧ ରନ ଦେଇ ସବୁଠୁ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। 

ଚେନ୍ନାଇ ଇନିଂସ

ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇକୁ ୪ ରନ ସ୍କୋରରେ ଆଜିଙ୍କ୍ୟ ରାହାଣେ(୧)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଗାଏକ୍ଵାଡ଼ ଓ ଡାରିଲ ମିଚେଲ୍ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୪୫ ରନ ଯୋଡ଼ିଥିଲେ। ଉପର କ୍ରମରେ ବ୍ୟାଟିଂ କରିଥିବା ରବୀନ୍ଦ୍ର ଜାଡ଼େଜା(୧୬)ଙ୍କ ସହ ଗାଏକଓ୍ଵାଡ଼ ବିସ୍ଫୋରକ ବ୍ୟାଟିଂ କରି ୩ୟ ଓ୍ଵିକେଟ୍‌ରେ ୫୨ ରନ ଯୋଡ଼ିଥିଲେ।  ଏହା ପରେ ଆରମ୍ଭ ହୋଇଥିଲା ଶିବମ ଦୁବେ ଶୋ। କ୍ରିଜକୁ ଆସିବା ମାତ୍ରେ ଦୁବେ ଛକା ବର୍ଷା କରିଥିଲେ। ଚଳିତ ସିଜିନରେ ନିଜର ଚମତ୍କାର ଫର୍ମ ଜାରି ରଖି ମାତ୍ର ୨୭ ବଲରେ ଧୁଆଁଧାର ବ୍ୟାଟିଂ କରି ୭ ଛକା ଓ ୩ ଚୌକା ସହ ୬୬ ରନ କରିଥିଲେ। ଗାଏକ୍ଵାଡ଼ ଅଧିନାୟକତ୍ଵ ଇନିଂସ ଖେଳି ଶତକ ଅର୍ଜନ କରିଛନ୍ତି। ଦୁବେ ଓ ଗାଏକ୍ଵାଡ଼ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୦୪ ରନର ଶତକୀୟ ଭାଗିଦାରୀ ଯୋଡ଼ି ଚେନ୍ନାଇ ସ୍କୋରକୁ ୨୦୦ ପାର କରାଇଥିଲେ। ଶେଷରେ ଚେନ୍ନାଇ ୪ ଓ୍ଵିକେଟ୍ ହରାଇ ୨୧୦ ରନ କରିଛି। ଋତୁରାଜ ଗାଏକ୍ଵାଡ଼ ୬୦ ବଲରୁ ୧୨ ଚୌକା ଓ ୩ ଛକା ସହ ୧୦୮ ରନ କରି ଅପରାଜିତ ଥିଲେ।

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.