କୋଲକାତା: ଇଡେନ ଗାର୍ଡେନରେ ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା କୋଲକାତା ନାଇଟ୍ ରାଇଡର୍ସ। ଶେଷ ବଲ୍ରେ ଆସିଲା ମ୍ୟାଚ୍ର ଫଳାଫଳ। ଘରୋଇ ମଇଦାନରେ ୧ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି ଶ୍ରେୟସ ଆୟରଙ୍କ କେକେଆର। ଆଉ ଓ୍ଵିଲ ଜ୍ୟାକ୍ସ ଓ ରଜତ ପାଟିଦାରଙ୍କ ଧୂଆଁଧାର ଅର୍ଦ୍ଧଶତକ ବୃଥା ହୋଇଛି। ୨୨୩ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଆରସିବି ୨୨୧ ରନରେ ଅଟକି ଯାଇଛି। ଓ୍ଵିଲ ଜ୍ୟାକ୍ସ ୫୫ ରନ ଓ ରଜତ ପାଟିଦାର ୫୨ ରନ କରିଥିବା ବେଳେ ଶେଷ ଆଡ଼କୁ କର୍ଣ୍ଣ ଶର୍ମା ୨୦ ରନ ବହୁମୂଲ୍ୟ ରନ ଯୋଡ଼ିଥିଲେ। ପ୍ରଥମେ ବ୍ୟାଟିଂ କରି କୋଲକାତା ୬ ଓ୍ଵିକେଟ୍ ହରାଇ ୨୨୨ ରନର ବିଶାଳ ସ୍କୋର କରିଛି। ଫିଲିପ ସଲ୍ଟ ୧୪ ବଲ୍ରୁ ୪୮ ରନର ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ଅଧିନାୟକ ଶ୍ରେୟସ ଆୟର ୫୦ରନ କରିଛନ୍ତି। ଆନ୍ଦ୍ରେ ରସେଲ ୨୭ ଓ ରମଣଦୀପ ସିଂ ୯ ବଲରୁ ୨୪ ରନ କରି ଅପରାଜିତ ଥିଲେ। ବୋଲିଂରେ ଆନ୍ଦ୍ରେ ରସେଲ ୨୫ ରନ ଦେଇ ୩ ଓ୍ଵିକେଟ୍ ସହ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ଏହି ବିଜୟ ସହ କୋଲକାତା ୧୦ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନରେ ନିଜର ସ୍ଥିତି ମଜବୁତ କରିଛି। ଅନ୍ୟପଟେ ବେଙ୍ଗାଲୁରୁ ଲଗାତାର ଷଷ୍ଠ ପରାଜୟ ଭୋଗି ସର୍ବନିମ୍ନ ସ୍ଥାନରେ ରହିଛି।
Also read: IPLରେ ଭାଙ୍ଗିଲା ଚୌକା-ଛକାର ରେକର୍ଡ, ୪୦ ଚୌକା-୩୧ ଛକା ସାମିଲ୍
୨୨୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବେଙ୍ଗାଲୁରୁକୁ ୨୭ ରନରେ ବଡ଼ ଝଟକା ଲାଗିଥିଲା। ବିରାଟ କେହାଲି ୭ ବଲରୁ ୧୮ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ଫାପ ଡୁପ୍ଲେସିସ୍(୭) ନିରାଶ କରିଥିଲେ। ଏହା ପରେ ଓ୍ଵିଲ ଜ୍ୟାକ୍ସ ଓ ରଜତ ପାଟିଦାର ଧୂଆଁଧାର ବ୍ୟାଟିଂ କରି କେକେଆର ବୋଲରଙ୍କୁ ଚାପରେ ରଖିଥିଲେ। ଉଭୟ ୩ୟ ଓ୍ଵିକେଟ୍ ପାଇଁ ୧୦୨ ରନ ଯୋଡ଼ି ଦଳ ପାଇଁ ବିଜୟ ମୂଳଦୁଆ ପକାଇଥିଲେ। ଏହି କ୍ରମରେ ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଦୁଇ ବ୍ୟାଟର ଲଗାତାର ଆଉଟ୍ ହୋଇଥିଲେ। ଓ୍ଵିଲ ଜ୍ୟାକ୍ସ ୩୨ ବଲରୁ ୪ ଚୌକା ଓ ୫ ଛକା ସହ ୫୫ ରନ କରିଥିଲେ। ପାଟିଦାର ମାତ୍ର ୨୩ ବଲରୁ ୩ ଚୌକା ଓ ୫ ଛକା ସହ ୫୨ ରନ କରି ଆଉଟ୍ ହୋଇଥିଲେ।
ଏହା ପରେ ବେଙ୍ଗାଲୁରୁ ଇନିଂସ ଦିଗହରା ହୋଇ ପଡ଼ିଥିଲା। ସୁୟଶ ପ୍ରଭୁଦେଶାଇ ୨୪, ଲୋମରୋର ୪ ରନ କରିଥିବା ବେଳେ ଦିନେଶ କାର୍ତ୍ତିକ ୨୫ ରନ କରି ଆଉଟ୍ ହୋଇଥିଲେ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ରହିଥିଲା।। ତେବେ ଶେଷ ଓଭରରେ କର୍ଣ୍ଣ ଶର୍ମା ୩ ଛକା ମାରିବାରୁ ମ୍ୟାଚ୍ ଶେଷ ବଲକୁ ଯାଇଥିଲା। ଅନ୍ତିମ ବଲରେ ୩ ରନ ଦରକାର ଥିବା ବେଳେ ଗୋଟିଏ ରନ ହୋଇଥିଲା। ଆଉ କେକେଆର ମ୍ୟାଚ୍ରେ ଆରସିବିକୁ ୧ ରନରେ ହରାଇଛି। ବୋଲିଂରେ ଆନ୍ଦ୍ରେ ରସେଲ ୨୫ ରନ ଦେଇ ୩ଟି ସଫଳତା ହାସଲ କରିଛନ୍ତି। ହର୍ଷିତ ରାଣା ୨ ଓ୍ଵିକେଟ ନେଇଥିବା ବେଳେ ମିଚେଲ୍ ଷ୍ଟାର୍କ ଓ ବରୁଣ ଚକ୍ରବର୍ତ୍ତୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।