ଅହମ୍ମଦାବାଦ: ଆଜି ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଚଳିତ ଆଇପିଏଲ୍ରେ ଖେଳା ଯାଇଥିବା ଲୋ ସ୍କୋରିଂ ମୁକାବିଲାରେ ୬ ଓ୍ଵିକେଟ୍ରେ ଗୁଜରାଟକୁ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ବୋଲରଙ୍କ ଘାତକ ବୋଲିଂ ବଳରେ ଚଳିତ ସଂସ୍କରଣରେ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ। ଅନ୍ୟପଟେ ଚତୁର୍ଥ ପରାଜୟ ଭୋଗିଛି ଗୁଜରାଟ। ଘରୋଇ ମଇଦାନରେ ଦିଲ୍ଲୀ କ୍ୟାପିଟାଲ୍ସଙ୍କ ବୋଲରଙ୍କ ଆଗରେ ଆତ୍ମ ସମର୍ପଣ କରି ୮୯ ରନରେ ଅଲଆଉଟ୍ ହୋଇଥିଲା ଗୁଜରାଟ। ଜବାବରେ ଦିଲ୍ଲୀ ୬୭ ବଲ ବଳକା ଥାଇ ୪ ଓ୍ଵିକେଟ୍ ହରାଇ ମ୍ୟାଚ୍କୁ ଏକତରଫା ଭାବେ ଜିତି ନେଇଛି। ଅଧିନାୟକ ଋଷଭ ପନ୍ତ ୧୬ ରନ କରି ଅପରାଜିତ ଥିଲେ। ବିଜୟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନକୁ ଉଠିଥିବା ବେଳେ ଗୁଜରାଟ ସପ୍ତମକୁ ଖସି ଆସିଛି।
Also read: ଟି-୨୦ରେ ବାଦ୍ ପଡିବେ କି ପାଣ୍ଡ୍ୟା? ଆଇପିଏଲ୍ରେ ପ୍ରଦର୍ଶନ ନେଇ ଉଠିଲା ପ୍ରଶ୍ନ, ଫୋକସରେ ଦୁବେ
ଏହି ଛୋଟ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦିଲ୍ଲୀ ମଧ୍ୟ ୪ଟି ଓ୍ଵିକେଟ୍ ହରାଇଛି। ତେବେ ଦଳର ବ୍ୟାଟର ଦ୍ରୁତ ବ୍ୟାଟିଂ କରି ମ୍ୟାଚ୍କୁ ୮.୫ ବଲରେ ଶେଷ କରିଥିଲେ। ଫଳରେ ଦିଲ୍ଲୀର ରନ ରେଟ୍ ସୁଧାର ସହ ଦଳ ଷଷ୍ଠ ସ୍ଥାନକୁ ଉଠିଛି। ବ୍ୟାଟିଂରେ ପୃଥ୍ଵୀ ଶ ୭ ରନ କରି ଆଉଟ୍ ହୋଇଥିବା ବେଳେ ଜ୍ୟାକ ଫ୍ରସେର ମ୍ୟାକଗର୍କ ୧୦ ବଲରୁ ୨୦ ରନ କରିଥିଲେ। ଅଭିଷେକ ପୋରେଲ ୧୫ ଓ ସାଇ ହୋମ ୧୯ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ଋଷଭ ପନ୍ତ ୧୬ ରନ ଓ ସୁମିତ କୁମାର ୯ ରନ ଅପରାଜିତ ରହି ଦଳକୁ ଜିତାଇଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦିଲ୍ଲୀ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରି ପାରି ନ ଥିଲେ ଜିଟି ବ୍ୟାଟର। ଟପ୍ ଅର୍ଡରର କୌଣସି ବ୍ୟାଟର କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ରଶିଦ ଖାନଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର ନିରାଶ କରିଥିଲେ। ରଶିଦ ୨୪ ବଲରୁ ୩୧ ରନ କରିଥିଲେ। ସାଇ ସୁଦର୍ଶନ(୧୨) ଓ ରାହୁଲ ତେଓ୍ଵତିଆ(୧୦)ଙ୍କ ବ୍ୟତୀତ ଅନ୍ୟ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଶେଷରେ ଗୁଜରାଟ ୧୭.୩ ଓଭରରେ ୮୯ ରନରେ ଅଲଆଉଟ୍ ହୋଇଛି। ଅଧିନାୟକ ଶୁଭମାନ ଗିଲ୍ ୮ ରନ, ଋଦ୍ଧିମାନ ଶାହ ୨ ରନ ଓ ଡେଭିଡ୍ ମିଲର ୨ ରନ କରି ଦଳକୁ ନିରାଶ କରିଛନ୍ତି।
ବୋଲିଂରେ ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୨.୩ ଓଭରରେ ୧୪ ରନ ଦେଇ ୩ଟି ସଫଳତା ହାସଲ କରିଛନ୍ତି। ଇଶାନ୍ତ ଶର୍ମା ୨ ଓଭରରେ ୮ ରନ ଏବଂ ଟ୍ରିଷ୍ଟନ ଟବ୍ସ ଗୋଟିଏ ଓଭରରେ ୧୧ ରନ ଦେଇ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଖଲିଲ ଅହମ୍ମଦ ୪ ଓଭରରେ ୧୮ ରନ ଏବଂ ଅକ୍ଷର ପଟେଲ୍ ୧୭ ରନ ବ୍ୟୟ କରି ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।