ମୁମ୍ବାଇ: ରୋହିତ ଶର୍ମାଙ୍କ ଶତକ ସତ୍ତ୍ଵେ ପରାଜିତ ହେଲା ମୁମ୍ବାଇ ଇଣ୍ଡିଆନ୍ସ। ରୋହିତଙ୍କ ଶତକ ଉପରେ ଭାରି ପଡ଼ିଲେ ମଥିଶା ପଥିରାନାଙ୍କ ଶାଣିତ ବୋଲିଂ। ଆଉ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମୁମ୍ଵାଇକୁ ତାରି ଘରୋଇ ମାଟିରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। ଓ୍ଵାଙ୍ଖେଡ଼େରେ ଲଗାତାର ୨ ବିଜୟ ପରେ ପରାଜୟ ଭୋଗିଛି ମୁମ୍ବାଇ ଇଣ୍ଡିଆନ୍ସ। ଆଉ ରୋହିତ ଶର୍ମାଙ୍କ ଅପରାଜିତ ୧୦୫ ରନ ବୃଥା ହୋଇଛି। ଗୋଟିଏ ପଟେ ହିଟମ୍ୟାନ ଛିଡ଼ା ହୋଇଥିଲେ ହେଁ ମୁମ୍ବାଇ ମୁହଁରୁ ବିଜୟ ଛଡାଇ ନେଇଛନ୍ତି ପଥିରାନା। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଋତୁରାଜ ଗାଏକ୍ଵାଡ଼ଙ୍କ ୬୯ ରନ ଓ ଶିବମ ଦୁବେଙ୍କ ୬୬ ରନ ବଳରେ ୨୦୬ ରନର ବିଶାଳ ସ୍କୋର କରିଥିଲା। ଜବାବରେ ମୁମ୍ବାଇ ୬ ଓ୍ଵିକେଟ୍ ବିନିମୟରେ ୧୮୬ ରନ କରି ପାରିଛି। ରୋହିତ ଶର୍ମା ୧୦୫ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଚେନ୍ନାଇ ପକ୍ଷରୁ ମଥିଶା ପଥିରାନା ୨୮ ରନ ଦେଇ ୪ ଓ୍ଵିକେଟ୍ ନେଇ ବିଜୟରେ ହିରୋ ସାଜିଛନ୍ତି। ଷଷ୍ଠ ମ୍ୟାଚ୍ରୁ ଚେନ୍ନାଇ ଚତୁର୍ଥ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟରେ ଥିବା ବେଳେ ମୁମ୍ବାଇ ସମାନ ମ୍ୟାଚ୍ରୁ ଚତୁର୍ଥ ପରାଜୟ ସହ ଅଷ୍ଟମ ସ୍ଥାନରେ ରହିଛି।
Also read: କିଏ ଏହି ଦିପେନ୍ଦ୍ର ସିଂହ ? ଯିଏ ଛଅ ବଲ୍ରେ ମାରିଲେ ୬ ଛକା...
୨୦୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇକୁ ଦୁଇ ଓପନର ରୋହିତ ଶର୍ମା ଓ ଇଶାନ କିଶନ ଭଲ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଓ୍ଵିକେଟ୍ ପାଇଁ ୭ ଓଭରରେ ୭୦ ରନ ଯୋଡ଼ିଥିଲେ। ତେବେ ସେହି ୭୦ ରନ ସ୍କୋରରେ ମୁମ୍ବାଇକୁ ଡବଲ ଝଟକା ଲାଗିଥିଲା। ଇଶାନ କିଶନ(୨୩) ଓ ସୂର୍ଯ୍ୟକୁମାର ଯାଦବ(୦) ଆଉଟ୍ ହୋଇଥିଲେ। ଉଭୟଙ୍କୁ ପଥିରାନା ଆଉଟ୍ କରି ଚେନ୍ନାଇକୁ ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରାଇଥିଲେ।
ଅନ୍ୟପଟେ ରୋହିତ ଶର୍ମା ଦମଦାର ବ୍ୟାଟିଂ ଜାରି ରଖିଥିଲେ। ସେ ତିଳକ ବର୍ମାଙ୍କ ସହ ମିଶି ତୃତୀୟ ଓ୍ଵିକେଟ୍ରେ ୬୦ରନ ଯୋଡ଼ି ସ୍କୋରକୁ ୧୩୦ ରନରେ ପହଞ୍ଚାଇଥିଲେ। ତେବେ ଚେନ୍ନାଇ ବୋଲର ମାପଚୁପ ବୋଲିଂ କରି ମୁମ୍ବାଇ ବ୍ୟାଟରଙ୍କୁ ହାତ ଖୋଲିବାକୁ ଦେଇ ନ ଥିଲେ। ତିଳକ ବର୍ମା ୩୧ ରନ କରି ଆଉଟ୍ ହୋଇଥିଲେ। ରୋହିତ ଗୋଟିଏ ପଟେ ଥିବା ବେଳେ ଅନ୍ୟପଟେ କୌଣସି ବ୍ୟାଟର ତାଙ୍କୁ ସହଯୋଗ କରି ନ ଥିଲେ। ମୁମ୍ବାଇ ଠିକଣା ସମୟରେ ଓ୍ଵିକେଟ୍ ହରାଇଥିଲା।
ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨ ରନ, ଟିମ୍ ଡେଭିଡ ୧୩ ରନ ଓ ରୋମାରିଓ ସେଫର୍ଡ ୧ ରନ ବିଫଳ ହେବା ମୁମ୍ବାଇକୁ ବିଜୟଠୁ ଦୂରେଇ ନେଇଥିଲା। ରୋହିତ ଶର୍ମା ଶେଷ ପର୍ଯ୍ୟନ୍ତ ରହି ଦଳର ଆଶା ଉଜ୍ଜିବୀତ ରଖିଥିଲେ ହେଁ ଚେନ୍ନାଇ ବୋଲର ପଥିରାନା ଘାତକ ବୋଲିଂ କରି ତାଙ୍କ ଉପରେ ଭାରି ପଡ଼ିଥିଲେ। ଶେଷ ଓଭରରେ ରୋହିତ ନିଜ ଆଇପିଏଲ୍ କ୍ୟାରିୟରର ଦ୍ଵିତୀୟ ଶତକ ହାସଲ କରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରି ନ ଥିଲେ। ଶେଷରେ ମୁମ୍ବାଇ ୬ ଓ୍ଵିକେଟ୍ ହରାଇ ୧୮୬ ରନ କରି ପାରିଥିଲା। ବୋଲିଂରେ ଚେନ୍ନାଇ ପକ୍ଷରୁ ମଥିଶା ପଥିରାନା ଶାଣିତ ବୋଲିଂ କରି ୨୮ ରନ ଦେଇ ୪ ଓ୍ଵିକେଟ୍ ନେଇ ବିଜୟରେ ହିରୋ ସାଜିଛନ୍ତି।
ଚେନ୍ନାଇ ଇନିଂସ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇକୁ ଦ୍ଵିତୀୟ ଓଭରରେ ଝଟକା ଲାଗିଥିଲା। ଆଜି ଓପନିଂ କରିଥିବା ଆଜିଙ୍କ୍ୟ ରାହାଣେ(୬) ନିରାଶ କରିଥିଲେ। ଏହା ପରେ ରଚିନ ରବୀନ୍ଦ୍ର ଓ ଅଧିନାୟକ ଋତୁରାଜ ଗାଏକ୍ଵାଡ଼ ଚମତ୍କାର ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୨ ରନ ଯୋଡ଼ିଥିଲେ। ରଚିନ ୨୧ ରନ କରି ଆଉଟ୍ ହୋଇଥିଲେ। ପୁଣି ଗାଏକ୍ଵାଡ଼ ଓ ଶିବମ ଦୁବେ ମୁମ୍ବାଇ ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ ପାଇଁ ୯୦ ରନ ଯୋଡ଼ି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ।
ଏହି କ୍ରମରେ ଉଭୟ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଗାଏକ୍ଵାଡ଼ ୪୦ ବଲରୁ ୫ ଚୌକା ଓ ୫ ଛକା ସହ ୬୯ ରନ କରି ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ଏହା ପରେ ଶେଷ ଆଡ଼କୁ ଡାରିଲ ମିଚେଲ୍ ୧୭ ରନ କରିଥିଲେ ହେଁ ଧୋନୀ ୪ ବଲରୁ ୩ ଛକା ସହ ୨୦ ରନ କରିବାରୁ ଚେନ୍ନାଇ ୪ ଓ୍ଵିକେଟ୍ ହରାଇ ୨୦୬ ରନ କରିଛି। ଶିବମ ଦୁବେ ପୁଣି ଆଉ ଏକ ପ୍ରଶଂସନୀୟ ଇନିଂସ ଖେଳିଛନ୍ତି। ଦୁବେ ୩୮ ବଲରୁ ୧୦ ଚୌକା ଓ ୨ ଛକା ସହ ୬୬ ରନରେ ଅପରାଜିତ ଥିଲେ।