LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

IPL 2023: ମୁମ୍ବାଇକୁ ହରାଇ ଲଗାତାର ୨ୟ ଥର ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ରବିବାର ଚେନ୍ନାଇ ସହ ଟାଇଟଲ୍ ମୁକାବିଲା

27/05/2023 at 12:04 AM

ଅହମ୍ମଦାବାଦ: କ୍ରମାଗତ ଦ୍ଵିତୀୟ ଥର ଫାଇନାଲ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ୍ ଟାଇଟନ୍ସ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚ୍‌ରେ ଶୁଭମନ ଗିଲ୍‌ଙ୍କ ଶତକ ଏବଂ ମୋହିତ ଶର୍ମାଙ୍କ ଶାଣିତ ବୋଲିଂ ବଳରେ ଗୁଜରାଟ୍ ୬୨ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଫାଇନାଲ୍‌ରେ ଏବେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ୍ ଟାଇଟନ୍ସ। ପ୍ରଥମେ ବ୍ୟାଟିଂ କରି ଗୁଜରାଟ୍ ଶୁଭମନ ଗିଲ୍‌ଙ୍କ ଦମଦାର ୧୨୯ ରନର ଇନିଂସ ବଳରେ ୩ ଓ୍ଵିକେଟ୍ ହରାଇ ୨୩୩ ରନ କରିଥିଲା। ସାଇ ସୁଦର୍ଶନ ୪୩ ରନର ଇନିଂସ ଖେଳିଥିଲେ। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୮.୨ ଓଭରରେ ୧୭୧ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୬୧ ରନ, ତିଳକ ବର୍ମା ୪୩ ଏବଂ କ୍ୟାମେରୁନ ଗ୍ରୀନ ୩୦ ରନ କରିଥିଲେ। ଗୁଜରାଟ୍ ପକ୍ଷରୁ ମୋହିତ ଶର୍ମା ୧୦ ରନରେ ୫ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

୨୩୪ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ଖରାପ ଥିଲା। ରୋହିତଙ୍କ ସହ ପ୍ରଥମ ଥର ଓପନିଂ କରିଥିବା ନେହଲ ଓ୍ଵଧେରା(୪) ଆଉଟ୍ ହୋଇଥିଲେ। ହେଲେ ଅଧିନାୟକ ରୋହିତ ଶର୍ମା ନିଜର ଖରାପ ଫର୍ମ ବଜାୟ ରଖି ୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ତିଳକ ବର୍ମା ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ଏବଂ ସୂର୍ଯ୍ୟକୁମାର ଯାଦବ ତୃତୀୟ ଓ୍ଵିକେଟ୍ ପାଇଁ ୫୧ ରନ ଯୋଡ଼ିଥିଲେ। ହେଲେ ତିଳକ ବର୍ମା ଆଉଟ୍ ହେବା ମୁମ୍ବାଇକୁ ବଡ଼ ଝଟକା ଦେଇଥିଲା। ସେ ୧୪ ବଲ୍‌ରୁ ୫ ଚୌକା ଏବଂ ୩ ଛକା ସହ ୪୩ ରନ କରିଥିଲେ। ପୁଣି ସୂର୍ଯ୍ୟ ଏବଂ କ୍ୟାମେରୁନ ଗ୍ରୀନ ଦ୍ରୁତ ବ୍ୟାଟିଂ କରି ଚତୁର୍ଥ ଓ୍ଵିକେଟ୍ ପାଇଁ ୫୨ ରନ ଯୋଡ଼ିଥିଲେ। ଗ୍ରୀନ (୩୦ ରନ) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତେବେ ସୂର୍ଯ୍ୟକୁମାର ଯାଦବ ଆଉଟ୍ ହେବା ମୁମ୍ବାଇ ଇଣ୍ଡିଆନ୍ସର ଫାଇନାଲ୍ ଖେଳିବା ସ୍ଵପ୍ନ ଧୂଳିସାତ କରିଥିଲା। କ୍ରିଜରେ ଜମି ରହିଥିବା ସୂର୍ଯ୍ୟ ୩୮ ବଲ୍‌ରୁ ୭ ଚୌକା ଏବଂ ୨ ଛକା ସହ ୬୧ ରନରେ ଆଉଟ୍ ହୋଇଥିଲେ। ଏହା ପରେ ମୁମ୍ବାଇ ଇନିଂସ ଦିଗହରା  ହୋଇ ପଡ଼ିଥିଲା। ନିମ୍ନକ୍ରମରେ ଗୁଜରାଟ୍ ବୋଲର ମୋହିତ ଶର୍ମା ମୁମ୍ବାଇର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଶେଷରେ ମୁମ୍ବାଇ ୧୮.୨ ଓଭରରେ ୧୭୧ ରନରେ ଅଲଆଉଟ୍ ହୋଇ ୬୨ ରନରେ ପରାଜିତ ହୋଇଛି।

ଗୁଜରାଟ୍ ପକ୍ଷରୁ ମୋହିତ ଶର୍ମା ଘାତକ ବୋଲିଂ କରି ମାତ୍ର ୧୦ ରନ ଦେଇ ୫ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ରଶିଦ ଖାନ ଏବଂ ମହମ୍ମଦ ଶାମି ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ଟସ୍  ହାରି ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଗୁଜରାଟର ଦୁଇ ଓପନର ଶୁଭମନ ଗିଲ୍ ଏବଂ ଋଦ୍ଧିମାନ ଶାହା ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍‌ ପାଇଁ ୫୧ ରନ ଯୋଡ଼ିଥିଲେ। ଶାହା ୧୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ପଡ଼ିଆରେ ଗିଲ୍‌ଙ୍କ ପାଓ୍ଵାର ଶୋ ଦେଖିବାକୁ ମିଳିଥିଲା। ସେ ପଡ଼ିଆରେ ଚତୁର୍ଦ୍ଦିଗରେ ଚୌକା ଏବଂ ଛକା ବର୍ଷା କରି ମୁମ୍ବାଇ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ। ସେ ସାଇ ସୁଦର୍ଶନଙ୍କ ସହ ମିଶି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଏହି କ୍ରମରେ ଗିଲ୍‌ ନିଜର ଚମତ୍କାର ଫର୍ମ ବଜାୟ ରଖି ଚଳିତ ସଂସ୍କରଣରେ ତୃତୀୟ ଶତକ ହାସଲ କରିଥିଲେ। ସେ ଏବଂ ସାଇ ସୁଦର୍ଶନ ଦ୍ଵିତୀୟ ଓ୍ଵିକେଟ୍‌ରେ ୧୩୮ ରନ ଯୋଡ଼ି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଶେଷରେ ୧୭ତମ ଓଭରରେ ଗିଲ୍ ପାଭିଲିୟନ ଫେରିଥିଲେ। ସେ ୬୦ ବଲ୍‌ରେ ୭ ଚୌକା ଏବଂ ୧୦ ଛକା ସହ ୧୨୯ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଶେଷରେ ଗୁଜରାଟ୍ ୩ ଓ୍ଵିକେଟ୍ ହରାଇ ୨୩୩ ରନ କରିଛି। ସାଇ ସୁଦର୍ଶନ ୩୧ ବଲ୍‌ରୁ ୫ ଚୌକା ଏବଂ ୧ ଛକା ସହ ୪୩ ରନରେ ରିଟାୟର୍ଡ ହୋଇଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲ୍‌ରୁ ୨୮ ରନ କରି ଅପରାଜିତ ଥିଲେ।

   Related Posts