IPL 2023 Final CSKvsGT: ସୁଦର୍ଶନଙ୍କ ବିସ୍ଫୋରକ ବ୍ୟାଟିଂ, ଚେନ୍ନାଇ ସାମ୍ନାରେ ବିଶାଳ ବିଜୟ ଲକ୍ଷ୍ୟ
29/05/2023 at 9:17 PM

ଅହମ୍ମଦାବାଦ: ଆଇପିଏଲ୍ର ଚଳିତ ସଂସ୍କରଣରେ ଗୁଜରାଟ୍ ଟାଇଟନ୍ସର ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ଆଜି ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯାଉଥିବା ଆଇପିଏଲ୍ ୨୦୨୩ର ଫାଇନାଲ୍ ମୁକାବିଲାରେ ଚମକିଛନ୍ତି ସାଇ ସୁଦର୍ଶନ। ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୨୧୪ ରନ କରିଛି। ସାଇ ସୁଦର୍ଶନ ୯୬ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଋଦ୍ଧିମାନ ଶାହା ୫୪ ରନର ଉପଯୋଗୀ ବ୍ୟାଟିଂ କରିଛନ୍ତି। ଶୁଭମନ ଗିଲ୍ ୩୯ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨୧ ରନରେ ଅପରାଜିତ ଥିଲେ। ପଞ୍ଚମ ଟାଇଟଲ୍ ଜିତିବା ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ଆଗରେ ୨୧୫ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ଚେନ୍ନାଇ ପକ୍ଷରୁ ଦୀପକ ଚହର, ରବୀନ୍ଦ୍ର ଜାଡ଼େଜା ଏବଂ ମଥଶା ପଥିରାନା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଉଲ୍ଲେଖନୀୟ ଗତକାଲି ବର୍ଷା ଯୋଗୁଁ ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ହୋଇ ପାରିନଥିଲା। ଫଳରେ ଆଜି ରିଜର୍ଭ ଡେରେ ଟାଇଟଲ୍ ମୁକାବିଲା ଖେଳାଯାଉଛି।

ଗୁଜରାଟ ଟାଇଟନ୍ସର ଦୁଇ ଓପନର ଶୁଭମନ ଗିଲ୍ ଏବଂ ଋଦ୍ଧିମାନ ଶାହା ଦଳକୁ ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ଦ୍ରୁତ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍ ପାଇଁ ୬୭ ରନ ଯୋଡ଼ିଥିଲେ। ଚଳିତ ସଂସ୍କରଣରେ ଚମତ୍କାର ଫର୍ମରେ ଥିବା ଗିଲ୍ଙ୍କୁ ଆଉଟ୍ କରି ରବୀନ୍ଦ୍ର ଜାଡ଼େଜା ଚେନ୍ନାଇକୁ ବଡ଼ ସଫଳତା ଦେଇଥିଲେ। ଗିଲ୍ ୨୦ ବଲ୍ରୁ ୭ ଚୌକା ସହ ୩୯ ରନ କରି ବିଦାୟ ନେଇଥିଲେ। ଏହା ପରେ ଶାହା ଏବଂ ସାଇ ସୁଦର୍ଶନ ରନ ଗତିକୁ ବଜାୟ ରଖିଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୪ ରନ ଯୋଡ଼ି ଦଳର ସ୍ଥିତିକୁ ଆହୁରି ସୁଦୃଢ କରିଥିଲେ। ଋଦ୍ଧିମାନ ଶାହ ଦମଦାର ବ୍ୟାଟିଂ କରି ୩୯ ବଲ୍ରୁ ୫ ଚୌକା ଏବଂ ୧ ଛକା ସହ ୫୪ ରନର ଅର୍ଦ୍ଧଶତକୀୟ ଉପଯୋଗୀ ଇନିଂସ ଖେଳିଥିଲେ।

ଅନ୍ୟପଟେ ସାଇ ସୁଦର୍ଶନ ଚଳିତ ସିଜିନରେ ନିଜର ଶ୍ରେଷ୍ଠ ଇନିଂସ ଖେଳିଛନ୍ତି। ସେ ଧୂଆଁଧାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିବା ସହ ଗୁଜରାଟର ଇନିଂସକୁ ୨୦୦ ପାର କରାଇଥିଲେ। ଶତକ ଆଡ଼କୁ ଅଗ୍ରସର ହେଉଥିବା ସୁଦର୍ଶନ ଶେଷ ଓଭରରେ ଆଉଟ୍ ହୋଇଥିଲେ। ସେ ମାତ୍ର ୪ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ସୁଦର୍ଶନ ଆକର୍ଷଣୀୟ ବ୍ୟାଟିଂ କରି ୪୭ ବଲ୍ରୁ ୮ ଚୌକା ଏବଂ ୬ ଛକା ସହାୟତାରେ ୯୬ ରନର ସ୍ମରଣୀୟ ଇନିଂସ ଖେଳିଛନ୍ତି। ତାଙ୍କର ଏହି ବ୍ୟାଟିଂ ବଳରେ ଗୁଜରାଟ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୨୧୪ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ୨୧ ରନ କରି ଅପରାଜିତ ଥିଲେ।