ଆଇପିଏଲ ୨୦୨୨ ଟିକେଟ୍‌କୁ ନେଇ ଜାରି ହେଲା ଆଦେଶ, ଜାଣନ୍ତୁ କେବେଠୁ ଆରମ୍ଭ ହେବ ଟିକେଟ୍ ବିକ୍ରି

Published By : Prameya-News7 Bureau | March 22, 2022 IST

ମୁମ୍ବାଇ ୨୨।୦୩: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୫ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ ମାତ୍ର ଚାରି ଦିନ ବାକି ରହିଛି। ଲିଗ୍‌ର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମାର୍ଚ୍ଚ ୨୬ରେ ଖେଳାଯିବ। ତେବେ ମ୍ୟାଚ୍‌ଗୁଡିକର ଟିକେଟ୍ ବିକ୍ରିକୁ ନେଇ ଆସିଛି ବଡ ଖବର। ଆଇପିଏଲ ୨୦୨୨ ପାଇଁ ଟିକେଟ୍ ବିକ୍ରି ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ। ଦର୍ଶକଙ୍କୁ ଅନଲାଇନ୍‌ରେ ଟିକେଟ୍ କିଣିବାକୁ ପଡିବ।

ବିସିସିଆଇର ଜଣେ ଅଧିକାରୀ ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି। ସାଧାରଣତଃ ଆଇପିଏଲ୍ ପାଇଁ ଟିକେଟ୍ ବିକ୍ରି ମାର୍ଚ୍ଚ ୧ରୁ ଅତି କମରେ ଦୁଇ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥାଏ। ମାତ୍ର ଏଥର ଷ୍ଟାଡିୟମର ଦର୍ଶକ କ୍ଷମତାକୁ ନେଇ କେତେ ଜଣଙ୍କୁ ଅନୁମତି ଦିଆଯିବ ସେହି କାରଣରୁ ଟିକେଟ୍ ବିକ୍ରିରେ ବିଳମ୍ବ ଘଟିଛି। ବିସିସିଆଇ ଅଧିକାରୀଙ୍କ ଅନୁଯାୟୀ, ସମସ୍ତ ସ୍ଥାନ ଏବଂ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ମାର୍ଚ୍ଚ ୨୩ରୁ ଆରମ୍ଭ ହେବ।

ମହାରାଷ୍ଟ୍ର ସରକାର ଷ୍ଟାଡିୟମର ଏକ ଚତୁର୍ଥାଂଶ ଆସନ ପାଇଁ ଦର୍ଶକଙ୍କୁ ଅନୁମତି ଦେଇଛନ୍ତି। ମାତ୍ର ବିସିସିଆଇ ଆଶା କରୁଛି ଯେ, ଲିଗ୍ ବଢିବା ସହିତ ଅଧିକ ୪୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳିଯିବ। ବିସିସିଆଇର ଜଣେ ଅଧିକାରୀ ସୋମବାର କ୍ରିକବଜକୁ କହିଛନ୍ତି, କେତେ ଜଣ ଦର୍ଶକଙ୍କୁ ଅନୁମତି ମିଳିବ ତାହା ଆମ ବୁଝିବା ବାହାରେ ରହିଛି। ତେବେ ଆଶା କରୁଛୁ ଲିଗ୍ ଆଗକୁ ବଢିବା ସହିତ ଦର୍ଶକଙ୍କ ସଂଖ୍ୟା ଅଧିକ ବଢିବ।

ପ୍ରାରମ୍ଭିକ ଅନୁମାନ ଅନୁସାରେ, ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ୯୮୦୦ରୁ ୧୦ ହଜାର ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିପାରେ। ସେହି ପରି ୨୮ ହଜାର କ୍ଷମତା ବିଶିଷ୍ଟ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ସାତରୁ ଆଠ ହଜାର ଦର୍ଶକ, ଡିଓ୍ଵାଇ ପାଟିଲ  ଷ୍ଟାଡିୟମରେ ୧୧ରୁ ୧୨ ହଜାର ଦର୍ଶକ ଏବଂ ପୁଣେର ମହାରାଷ୍ଟ୍ର କିକେଟ୍ ଷ୍ଟାଡିୟମରେ ୧୨ ହଜାର ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.