IPL 2022: ଆଇପିଏଲର ୧୫ମ ସିଜିନରେ ୨୫ ପ୍ରତିଶତରୁ ଅଧିକ ଦର୍ଶକଙ୍କୁ ମିଳିପାରେ ଏଣ୍ଟ୍ରି

Published By : Prameya-News7 Bureau | March 21, 2022 IST

ମୁମ୍ବାଇ ୨୧।୦୩: ମହାରାଷ୍ଟ୍ରରେ ମାର୍ଚ୍ଚ ୨୬ରୁ ଆରମ୍ଭ ହେଉଛି ଆଇପିଏଲ ୨୦୨୨ର ୧୫ତମ ସଂସ୍କରଣ। ତେବେ ଷ୍ଟାଡିୟମରେ ୨୫ ପ୍ରତିଶତରୁ ଅଧିକ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିପାରେ। ରାଜ୍ୟ ସରକାର ଷ୍ଟାଡିୟମର ଏକ ଚତୁର୍ଥାଂଶ ଆସନ ପାଇଁ ଦର୍ଶକଙ୍କୁ ଅନୁମତି ଦେବା ଉପରେ ବିଚାର କରୁଛନ୍ତି। ମାତ୍ର ବିସିସିଆଇ ଆଶା କରୁଛି ଯେ, ଲିଗ୍ ବଢିବା ସହିତ ଅଧିକ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳିଯିବ। ବିସିସିଆଇର ଜଣେ ଅଧିକାରୀ ସୋମବାର କ୍ରିକବଜକୁ କହିଛନ୍ତି, କେତେ ଜଣ ଦର୍ଶକଙ୍କୁ ଅନୁମତି ମିଳିବ ତାହା ଆମ ବୁଝିବା ବାହାରେ ରହିଛି। ତେବେ ଆଶା କରୁଛୁ ଲିଗ୍ ଆଗକୁ ବଢିବା ସହିତ ଦର୍ଶକଙ୍କ ସଂଖ୍ୟା ଅଧିକ ବଢିବ।

ପ୍ରାରମ୍ଭିକ ଅନୁମାନ ଅନୁସାରେ, ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ୯୮୦୦ରୁ ୧୦ ହଜାର ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିପାରେ। ସେହି ପରି ୨୮ ହଜାର କ୍ଷମତା ବିଶିଷ୍ଟ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ସାତରୁ ଆଠ ହଜାର ଦର୍ଶକ, ଡିଓ୍ଵାଇ ପାଟିଲ  ଷ୍ଟାଡିୟମରେ ୧୧ରୁ ୧୨ ହଜାର ଦର୍ଶକ ଏବଂ ପୁଣେର ମହାରାଷ୍ଟ୍ର କିକେଟ୍ ଷ୍ଟାଡିୟମରେ ୧୨ ହଜାର ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିପାରେ। ବୋର୍ଡ ଓ୍ଵେଷ୍ଟଇଣ୍ଡିଜ ଏବଂ ଶ୍ରୀଲଙ୍କା ବିପକ୍ଷରେ କୋଲକାତା, ଧର୍ମଶାଳା, ମୋହାଲି ଏବଂ ବେଙ୍ଗାଲୁରୁରେ ନିକଟରେ ସଂପନ୍ନ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଦର୍ଶକଙ୍କ ଉପସ୍ଥିତି ଉପରେ ସନ୍ତୋଷ ବ୍ୟକ୍ତ କରିଛି। ତେଣୁ ଆଇପିଏଲରେ ମଧ୍ୟ ଦର୍ଶକଙ୍କ ଅନୁମତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.