IPL-2021ରେ ୨ ନୂଆ ଟିମ୍ ଖେଳାଇବାକୁ ଯୋଜନା କରୁଛି ବିସିସିଆଇ, ରେସ୍ରେ ସାମିଲ ଏହି ସବୁ ନାଁ
5/12/2020 at 7:45 PM

ନୂଆଦିଲ୍ଲୀ ୦୫/୧୨: କରୋନା କାଳରେ ବହୁ ଆଶା ଆଶଙ୍କା ମଧ୍ୟରେ ସଫଳତା ପୂର୍ବକ ଆଇପିଏଲ୍-୨୦୨୦ ଶେଷ ହୋଇଛି। ୨୦୨୦ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ କପ୍ ଜିଣିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ରନର୍ସଅପ୍ ହୋଇଥିଲା। ପରେ ପରେ ଟିମ୍ ଇଣ୍ଡିଆ ଅଷ୍ଟେ୍ରଲିଆ ଗସ୍ତରେ ବାହାରିଥିଲା। ଆଇପିଏଲ୍-୨୦୨୦ରେ ୮ ଦଳ ମଧ୍ୟରେ ଟକ୍କର ହୋଇଥିଲା। କିନ୍ତୁ ୨୦୨୧ ଆଇପିଏଲ୍ରେ ପଡ଼ିଆରେ ୧୦ ଟିମ୍ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିପାରେ।
ଆଇପିଏଲ୍ ୧୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବସିସିଆଇ ନୂଆ ଦୁଇଟି ଟିମ୍ ଏଣ୍ଟ୍ରି କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। ବିସିସିଆଇ ନିଜର ବାର୍ଷିକ ବୈଠକ (ଏଜିଏମ୍)ରେ ଆଗାମୀ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ଆଉ ଦୁଇ ଟିମ୍ ଯୋଡ଼ିବାକୁ ନେଇ ପ୍ରସ୍ତାବ ରଖାଯାଇଥିବା ମିଡିଆ ରିପୋର୍ଟରୁ ଜଣାଯାଇଛି। ତେବେ ଏହି ପ୍ରସଙ୍ଗ ଉପରେ ଆଲୋଚନା ପୁଣି ଥରେ ୨୪ ଡିସେମ୍ବରରେ ମୁମ୍ବାଇରେ ହେବ।
ଇଏସ୍ପିଏନ୍ କ୍ରିକ୍ଇନ୍ଫୋ ମୁତାବିକ ଆଇପିଏଲ୍-୧୩ ଶେଷ ହେବା ପରଠୁ ୨ ନୂଆ ଟିମ୍ ସାମିଲ ହେବାକୁ ନେଇ ଚର୍ଚ୍ଚା ଚାଲିଛି। ବୋର୍ଡର ବଡ଼ ଅଧିକାରୀଙ୍କ ମଧ୍ୟରେ ଏହି ସଂକ୍ରାନ୍ତରେ ଆଲୋଚନା ହୋଇଥିବା ମଧ୍ୟ ସୂଚନା ମିଳିଛି। ତେବେ ଏହି ବୈଠକରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ବ୍ୟତୀତ ବୋର୍ଡ ସଚିବ ଜୟ ଶାହ ବି ଉପସ୍ଥିତ ଥିଲେ।
ଆଇପିଏଲ୍-୧୪ରେ ଯେଉଁ ଦୁଇ ନାଁ ସାମିଲ ହେବାକୁ ଯାଉଛି ସେଥିରେ ଅହମଦାବାଦ, କାନପୁର, ଲକ୍ଷ୍ନୌ ଓ ପୁନେ ସାମିଲ ରହିଛି। ଅହମଦାବାଦ ନାଁ ନିଶ୍ଚିତ ବୋଲି କୁହାଯାଉଥିବା ବେଳେ କାନପୁର, ଲକ୍ଷ୍ନୌ ଓ ପୁନେ ମଧ୍ୟରୁ କୌଣସି ଗୋଟିଏ ନାଁ ସାମିଲ ହୋଇପାରେ। ଆଦାନୀ ଗ୍ରୁପ୍ ଓ ସଂଜୀବ ଗୋୟଂକାଙ୍କ ଆରପିଏସ୍ଜି ଗ୍ରୁପ୍ ଟିମ୍ କିଣିବା ମାମଲାରେ ଆଗରେ ଥିବା କୁହାଯାଉଛି।