ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ

Published By : Prameya-News7 Bureau | September 27, 2021 IST

ନୂଆଦିଲ୍ଲୀ, ୨୭।୦୯ :   ଆଇପିଏଲ୍‌ର ୪୦ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ରୟାଲ୍ସ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ପ୍ଲେ ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଆଜି ରାଜସ୍ଥାନ ରୟାଲ୍ସକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ ।

ସନରାଇଜର୍ସ ୯ଟି ମ୍ୟାଚ୍‌ ଖେଳି ମାତ୍ର ୨ ପଏଣ୍ଟ ହାସଲ କରିଛି । ତେଣୁ ପ୍ଲେ-ଅଫ୍‌ରେ ପ୍ରବେଶ କରିବା ପାଇଁ ଦଳ ଏକ ପ୍ରକାର ସୁଯୋଗ ହରାଇ ସାରିଛି। ସନରାଇଜର୍ସ ପାଇଁ ଚଳିତ ସିଜନ ନୈରାଶ୍ୟପୂର୍ଣ୍ଣ ରହିଛି । ଦଳର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ବିଫଳ ରହିଛନ୍ତି । ଡେଭିଡ୍‌ ୱାର୍ଣ୍ଣର ଫର୍ମ ଫେରି ପାଇ ନଥିବାବେଳେ ମନୀଷ ପାଣ୍ଡେ ନିରାଶ କରିଛନ୍ତି । କେନ୍‌ ୱିଲିୟମସନ ଦଳକୁ ସଂଗଠିତ କରିବାରେ ବିଫଳ ହୋଇଛନ୍ତି । ଭୁବନେଶ୍ୱର କୁମାର ଲୟକୁ ଫେରିବାକୁ ସଂଘର୍ଷ କରୁଛନ୍ତି । ଟି ନଟରାଜନ କରୋନା ସଂକ୍ରମିତ ହୋଇ ଆଇସୋଲେସନରେ ରହିଥିବାରୁ ବୋଲିଂ ବିଭାଗ ସୁଦୃଢ ହୋଇପାରି ନାହିଁ । କେବଳ ରସିଦ ଖାନ୍‌ ଓ ଜାସନ ହୋଲ୍ଡରଙ୍କୁ ନେଇ ମ୍ୟାଚ୍‌ ଜିତିବା ସମ୍ଭବ ନୁହେଁ । ତଥାପି ଦଳ ପୂର୍ବ ବିଫଳତାକୁ ଭୁଲି ଶ୍ରେଷ୍ଠ ପ୍ରଦର୍ଶନ କରିବ ।

ରାଜସ୍ଥାନ ରୟାଲ୍ସ ଇତି ମଧ୍ୟରେ ୮ ପଏଣ୍ଟ ହାସଲ କରିସାରିଛି । ଆଉ ୬ ପଏଣ୍ଟ ହାସଲ କଲେ ଦଳର ପ୍ଲେ-ଅଫ୍‌ ଅଭିଯାନ ସମ୍ଭବ ହୋଇପାରିବ । କିନ୍ତୁ ଦିନକୁ ଦିନ ଦଳର ପ୍ରଦର୍ଶନରେ ଅବନତି ଘଟିବା ଚିନ୍ତାର ବିଷୟ ହୋଇଛି । ଜୋଫ୍ରା ଆର୍ଚର, ଜୋସ ବଟଲର, ବେନ ଷ୍ଟୋକ୍ସଙ୍କ ଅନୁପସ୍ଥିତି ଦଳର ବିଫଳତା ପଛର ପ୍ରମୁଖ କାରଣ ହୋଇପାରେ । ତଥାପି ଏମାନଙ୍କ ସ୍ଥାନ ପୂରଣ କରିବା ଭଳି ଖେଳାଳି ଦଳରେ ରହିଛନ୍ତି । କ୍ରିସ୍‌ ମୋରିସ ଓ ଏଭିନ ଲୁଇସ୍‌ ଆହତ ଅଛନ୍ତି। ଫଳରେ ଉଭୟ ମ୍ୟାଚ୍ ଖେଳିବା ନେଇ ଆଶଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.