IPL ଅକ୍ସନ୍‌: ବିରାଟ କୋହଲିଙ୍କ ସହ ଖେଳିବେ ମ୍ୟାକ୍ସଓ୍ବେଲ୍‌, ୧୪.୨୫ କୋଟି ଟଙ୍କାରେ କିଣିଲା ଆରସିବି

Published By : Prameya-News7 Bureau | February 18, 2021 IST

ନୂଆଦିଲ୍ଲୀ ୧୮/୦୨:  ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ ତମ ସଂସ୍କରଣ ପାଇଁ ନିଲାମୀ ଚାଲିଛି। ଚଳିତ ବର୍ଷ ହେବାକୁ ଯାଉଥିବା ଆଇପିଏଲ୍‌ରେ ୧୪.୨୫ କୋଟି ଟଙ୍କାରେ ଅଷ୍ଟେ୍ରଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କୁ କିଣିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ମ୍ୟାକ୍ସଓ୍ବେଲଙ୍କୁ କିଣିବାକୁ ଚେନ୍ନାଇ ସୁପରକିଙ୍ଗସ୍‌(ସିଏସକେ) ଇଚ୍ଛା ପ୍ରକାଶ କରିଥିଲା କିନ୍ତୁ ପକଟେ୍‌ରେ କମ୍‌ ଟଙ୍କା ଥିବାରୁ ଆଶା ଆଶାରେ ହିଁ ରହିଗଲା। ବାଜି ମାରିନେଲା ଆରସିବି। ବିଦେଶୀ ଖେଳାଳି ଭାବେ ମ୍ୟାକ୍ସେଓ୍ବେଲଙ୍କୁ ସର୍ବାଧିକ ଟଙ୍କାରେ କିଣିଛି ଆରସିବି।

ନିଲାମୀର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଆଇପିଏଲ-୨୦୨୧ରେ ଆରସିବି ପକ୍ଷରୁ ଖେଳିବାକୁ ମ୍ୟାକ୍ସଓ୍ବେଲ୍‌ ଇଚ୍ଛା ଜାହିର କରିଥିଲେ। ପୂର୍ବ ସିଜନ୍‌ରେ ସେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ଟିମ୍‌ରେ ଥିଲେ। ଆଇପିଏଲ୍‌ ୨୦୨୦ରେ ତାଙ୍କର ପ୍ରଦର୍ଶନ ଖରାପ ଥିବାରୁ ତାଙ୍କୁ ଫ୍ରାଞ୍ଚାଇଜ୍‌ ରିଲିଜ୍‌ କରିଥିଲା।

ଆଇପିଏଲ ଅକ୍ସନରେ ସାମିଲ ହୋଇଥିବା ମୋଟ ୨୯୨ ଜଣ ଖେଳାଳିଙ୍କ ମଧ୍ୟରେ ସବୁଠୁ ବୟସ୍କ ଖେଳାଳି ୪୨ ବର୍ଷୀୟ ନୟନ ଦୋଶୀ ହୋଇଥିବା ବେଳେ ସବୁଠୁ କମ ବୟସର ଖେଳାଳି ୧୬ ବର୍ଷୀୟ ନୁର ଅହମଦ। ନୟନ ଏବଂ ନୁରଙ୍କ ବେସ୍‌ ପ୍ରାଇସ୍‌ ୨୦-୨୦ ଲକ୍ଷ ଲେଖାଏଁ ରଖାଯାଇଛି।

ସୂଚନାଯୋଗ୍ୟ, ପ୍ରତି ଫ୍ରାଞ୍ଚାଇଜ୍‌ ନିଜ ଟିମ୍‌​‌ରେ ସର୍ବାଧିକ ୨୫ ଏବଂ ଅତିକମରେ ୧୮ ଜଣ ଖେଳାଳି ରଖିପାରିବେ। ପ୍ରତି ଟିମ୍‌ରେ ବିଦେଶୀ ଖେଳାଳି ସର୍ବାଧିକ ୮ ଜଣ ରହିପାରିବେ। ଚଳିତ ଆଇପିଏଲ୍‌ ସିଜନ୍‌ରେ ସମସ୍ତ ଫ୍ରାଞ୍ଚାଇଜ୍‌ ୧୩୯ ଖେଳାଳିଙ୍କୁ ରିଟେନ୍‌ କରିଥିବା ବେଳେ ୫୭ ଜଣ ଖେଳାଳିଙ୍କୁ ସେମାନଙ୍କ ଟିମ୍‌ ରିଲିଜ୍ କରିଥିଲେ। ସନରାଇଜର୍ସ ହାଇଦ୍ରାବାଦ ସବୁଠୁ ଅଧିକ ଖେଳାଳିଙ୍କୁ ରିଟେନ୍‌ କରିଥିବା ବେଳେ ଆରସିବି ସବୁଠୁ ଅଧିକ ଖେଳାଳିଙ୍କୁ ରିଲିଜ୍‌ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.