IPL 2020: ସୁପର ଓଭର ସୁପର ମୁକାବିଲା, ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ ଦେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
28/09/2020 at 11:54 PM

ଦୁବାଇ ୨୮।୦୯: ଦୁବାଇର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ସଂଘର୍ଷପୂର୍ଣ୍ଣ ତଥା ଉତ୍କଣ୍ଠାପୂର୍ଣ୍ଣ ଦଶମ ମ୍ୟାଚ୍ର ଫଇସଲା ସୁପର ଓଭରରେ ହୋଇଛି। ସୁପର ଓଭରରେ ମୁମ୍ବାଇ ୭ ରନ କରିବାକୁ ସକ୍ଷମ ହୋଇଥିବା ବେଳେ ବେଙ୍ଗାଲୁରୁ ଏହି ଲକ୍ଷ୍ୟ ହାସଲ କରି ବିଜୟ ହୋଇଛି। ଏହି ବିଜୟ ସହିତ ବେଙ୍ଗାଲୁରୁ ତିନୋଟି ମ୍ୟାଚ୍ରୁ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଦ୍ଵିତୀୟ ପରାଜୟବରଣ ଭୋଗିଛି। ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ଏବି ଡିଭିଲିୟର୍ସଙ୍କ ଅପରାଜିତ ବିସ୍ଫୋରକ ୫୫ ରନ, ଦେବଦୁତ୍ତ ପାଡିକଲଙ୍କ ୫୪ ଓ ଆରୋନ ଫିଞ୍ଚଙ୍କ ୫୨ ରନ ସହାୟତାରେ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୦୧ ରନର ବିଶାଳ ସ୍କୋର କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ କିଶନଙ୍କ ଦମଦାର ଅର୍ଦ୍ଧଶତକ(୯୯) ଏବଂ କିରଣ ପୋଲାର୍ଡଙ୍କ ବିସ୍ଫୋରକ ୨୪ ବଲରୁ ୬୦ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୧ ରନ କରିଥିଲା। ମ୍ୟାଚ୍ ଟାଇ ହେବାରୁ ସୁପର ଓଭରର ସହାୟତା ନିଆଯାଇଥିଲା। ବେଙ୍ଗାଲୁରୁ ପକ୍ଷରୁ ସୁପର ଓଭରର ଶେଷ ବଲରେ ଅଧିନାୟକ ବିରାଟ କୋହଲି ଚୌକା ମାରି ଦଳକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟୀ କରାଇଥିଲେ।

୨୦୨ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ଆଶାନୁରୂପ ନଥିଲା। ଦଳ ସଅଳ ୨ଟି ଓ୍ଵିକେଟ୍ ହରାଇଥିଲା। ୧୪ ରନ ସ୍କୋରରେ ଅଧିନାୟକ ରୋହିତ ଶର୍ମା ଆଉଟ୍ ହେବା ଦଳକୁ ବହୁତ ବଡ ଝଟକା ଲାଗିଥିଲା। ଏହା ପରେ ୧୬ ରନ ସ୍କୋରରେ ଫର୍ମରେ ଥିବା ସୂର୍ଯ୍ୟ କୁମାର ଯାଦବ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଡିକକ୍ ୧୪ ରନ କରି ପାଭିଲିୟନ ଫେରିଥିଲେ। ୩୯ ରନରେ ୩ ଓ୍ଵିକେଟ୍ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଚାପରେ ପଡିଥିଲା।
ଇଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡା କ୍ରିଜରେ କିଛି ସମୟ ରହିଥିଲେ ମଧ୍ୟ ଦ୍ରୁତ ଗତିରେ ରନ ସଂଗ୍ରହ କରି ପାରିନଥିଲେ। ୭୮ ରନ ସ୍କୋରରେ ହାର୍ଦ୍ଦିକ ପାଣ୍ଡ୍ୟା ୧୫ ରନ କରି ବିଦାୟ ନେଇଥିଲେ। ଅନ୍ୟପଟେ ଇଶାନ କିଶନ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇ ଦେଇଥିଲେ। କିଶାନ ଓ କିରଣ ପୋଲାର୍ଡ ଦଳର ବ୍ୟାଟିଂ ଭାର ସମ୍ଭାଳି ଦ୍ରୁତ ବ୍ୟାଟିଂ କରିଥିଲେ। ଇଶାନ କିଶନ ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟ ବିସ୍ଫୋରକ ବ୍ୟାଟିଂ କରି ଦଳର ବିଜୟ ପାଇଁ ନୂତନ ଆଶା ଜାଗ୍ରତ କରିଥିଲେ।
କିରଣ ପୋଲାର୍ଡ ଧୂଆଁଧାର ବ୍ୟାଟିଂ କରି ୨୦ ବଲରୁ ୨ ଚୌକା ଓ ୫ ଛକା ଜରିଆରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଇଶାନ କିଶନଙ୍କ ସହିତ ପୋଲାର୍ଡ ଦଳକୁ ବିଜୟ ଆଡକୁ ନେଇଥିଲେ। ଉଭୟ ବ୍ୟାଟମ୍ୟାନ ପଞ୍ଚମ ଓ୍ଵିକେଟ୍ରେ ଶତକୀୟ ଭାଗିଦାରୀ ଯୋଡିଥିଲେ। ଶେଷ ୨ ଓଭରରେ ୩୧ ରନ ଆବଶ୍ୟକ ଥିବା ବେଳେ ଦଳ ୧୯ ତମ ଓଭରରୁ ୧୨ ରନ ସଂଗ୍ରହ କରିଥିଲା। ଅନ୍ତିମ ଓଭରରେ ମୁମ୍ବାଇକୁ ଜିତିବା ଲାଗି ୧୯ ରନ ଦରକାର ଥିଲା।
ଶେଷ ଓଭରରେ ଦୁଇଟି ଛକା ମାରିବା ପରେ ପଞ୍ଚମ ବଲରେ ଇଶାନ କିଶନ କ୍ୟାଚ୍ ଆଉଟ୍ ହୋଇଥିଲେ। କିଶନ ୫୮ ବଲରୁ ୨ ଚୌକା ଓ ୯ ଛକା ବଳରେ ୯୯ ରନର ଅଦ୍ଭୁତ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଦଳକୁ ପରାଜୟରୁ ଉଦ୍ଧାର କରି ଦଳକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। ଶେଷ ବଲରେ ୫ ରନ ଦରକାର ଥିବା ବେଳେ କିରଣ ପୋଲାର୍ଡ ଚୌକା ମାରି ମ୍ୟାଚ୍କୁ ଟାଇ କରିଥିଲେ। ଇଶାନ କିଶନ ଓ କିରଣ ପୋଲାର୍ଡ ପଞ୍ଚମ ଓ୍ଵିକେଟ୍ରେ ୧୧୯ ରନ ଯୋଡି ମ୍ୟାଚ୍କୁ ଟାଇ କରିଥିଲେ। କିରଣ ପୋଲାର୍ଡ ମାତ୍ର ୨୪ ବଲରୁ ୪ ଚୌକା ଓ ୪ ଛକା ଜରିଆରେ ବିସ୍ଫୋରକ ୬୦ ରନର ଇନିଂସ ଖେଳିଥିଲେ।