IPL 2020: ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବ୍ୟାଟିଂ ନିଷ୍ପତ୍ତି

Published By : Prameya-News7 Bureau | October 10, 2020 IST

ଆବୁଧାବି ୧୦।୧୦: ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଦୁଇଟି ମ୍ୟାଚ୍ ଖେଳାଯାଉଛି। ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା ହେଉଛି। ଟସ୍ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଦିନେଶ କାର୍ତ୍ତିକ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍‌ କୋଲକାତା ଅପେକ୍ଷା କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ଜିତିବା ଜରୁରୀ ହୋଇ ପଡିଛି। କାରଣ ଲୋକେଶ ରାହୁଲଙ୍କ ନେତୃତ୍ଵାଧୀନ ପଞ୍ଜାବ କ୍ରମାଗତ ୪ଟି ମ୍ୟାଚ୍‌ରେ ପରାଜିତ ହୋଇ ପଏଣ୍ଟ ତାଲିକାରେ ଶେଷରେ ରହିଛି।

ସିଜନ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରି କିଙ୍ଗ୍‌ସ ଏକାଦଶ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଶେଷ କିଛି ମ୍ୟାଚ୍‌ରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ପୂର୍ବ ମ୍ୟାଚ୍‌ରେ କିଙ୍ଗ୍‌ସ ଏକାଦଶ ୬୯ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ନିକଟରୁ ହାରିଯାଇଥିଲା । ଆଜିର ମ୍ୟାଚ୍‌ରେ ଅଧିନାୟକ ଲୋକେଶ ରାହୁଲ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିପାରନ୍ତି। ଅସୁସ୍ଥତା ପାଇଁ ପୂର୍ବ ମ୍ୟାଚ୍‌ ଖେଳିନଥିବା କ୍ରିସ୍‌ ଗେଲ୍‌ଙ୍କ ସମେତ ଦୀପକ ହୁଡା ସୁଯୋଗ ପାଇପାରନ୍ତି । ଦୁର୍ଦ୍ଦର୍ଷ ବ୍ୟାଟ୍ସମ୍ୟାନ୍‌ ଗ୍ଲେନ୍‌ ମାକ୍ସୱେଲଙ୍କ ଖରାପ ଫର୍ମ ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିଛି ।

ସେହିପରି ଆଜିର ମ୍ୟାଚ୍‌ରେ ନାଇଟ୍‌ ରାଇଡର୍ସ ବୋଲର ଓ କିଙ୍ଗ୍‌ସ ଏକାଦଶ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ନାଇଟ୍‌ ରାଇଡର୍ସ ଦଳ ୫ଟି ମ୍ୟାଚ୍‌ରୁ ୩ଟିରେ ବିଜୟୀ ହୋଇଛି । ଶେଷ ମ୍ୟାଚ୍‌ରେ ଦଳ ସୁପର କିଙ୍ଗ୍‌ସକୁ ୧୦ରନ୍‌ରେ ପରାସ୍ତ କରିଥିଲା । ବୋଲରମାନେ ୧୬୭ରନ୍‌ର ଟାର୍ଗେଟକୁ ଡିଫେଣ୍ଡ କରିବାରେ ସଫଳ ହୋଇଥିଲେ। ଓପନିଂ ସୁଯୋଗ ପାଇଥିବା ରାହୁଲ ତ୍ରିପାଠୀ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଫର୍ମରେ ଥିବା ପ୍ରମାଣିତ କରିଥିଲେ ।

ଯୁବ ଓପନର ଶୁବମନ ଗିଲ୍‌ ଭଲ ପ୍ରଦର୍ଶନ କରୁଥିବାବେଳେ ଆନ୍ଦ୍ରେ ରସେଲ୍‌ ଓ ଇୟନ ମୋର୍ଗାନ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ବୋଲିଂ ବିଭାଗରେ ଶିବମ ମାଭି ଓ କମଳେଶ ନାଗରକୋଟି ଭଲ ଫର୍ମରେ ରହିଛନ୍ତି।ଆଇପିଏଲ୍‌ରେ କିଙ୍ଗ୍‌ସ ଏକାଦଶ ବିପକ୍ଷରେ ନାଇଟ୍‌ ରାଇଡର୍ସର ରେକର୍ଡ଼ ଭଲ ରହିଛି । ଦଳ ୨୫ଥର ଭେଟ ମଧ୍ୟରୁ ୧୭ଟି ମ୍ୟାଚ୍‌ ଜିତିଛି। ପୂର୍ବ ୩ଟି ମ୍ୟାଚ୍‌ରେ (୨୦୧୯ ଓ ୨୦୧୮) ଅପରାଜେୟ ରହିଛି ।

କିଙ୍ଗ୍ସ ଏକାଦଶ ପଞ୍ଜାବ

କେଏଲ ରାହୁଲ(ଅଧିନାୟକ), ମୟଙ୍କ ଅଗ୍ରଓ୍ଵାଲ, ମନଦୀପ ସିଂହ, ନିକୋଲାସ ପୁରନ, ସିମରନ ସିଂହ(ଓ୍ଵିକେଟ୍ ରକ୍ଷକ), ଗ୍ଲେନ ମ୍ୟାକ୍ସଓ୍ଵେଲ, ମୁଜୀବ ଉର ରେହମାନ, କ୍ରିସ  ଜୋର୍ଡାନ, ରଭି ବିଶ୍ନୋଇ, ମହମ୍ମଦ ସାମି, ଅକ୍ଷରଦୀପ ସିଂହ।

କୋଲକାତା ନାଇଟ୍ ରାଇଡର୍ସ

ରାହୁଲ ତ୍ରିପାଠୀ, ଶୁଭମାନ ଗିଲ, ନୀତିଶ ରାଣା, ସୁନିଲ ନାରିନେ, ଇଅନ ମୋର୍ଗାନ, ଆନ୍ଦ୍ରେ ରସେଲ, ଦିନେଶ କାର୍ତ୍ତିକ(ଅଧିନାୟକ/ଓ୍ଵିକେଟ୍ ରକ୍ଷକ), ପାଟ କମିନ୍ସ, କମଲେଶ ନାଗରକୋଟି, ପ୍ରସିଦ୍ଧ କ୍ରିଷ୍ଣା, ବରୁଣ ଚକ୍ରବର୍ତ୍ତୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.