IPL 2020: ପର୍ପଲ କ୍ୟାପ୍ ଉପରେ କବ୍ଜା କଲେ ଯଶପ୍ରୀତ ବୁମରା, ଭାଙ୍ଗିଲେ ଭୁବନେଶ୍ଵର କୁମାରଙ୍କ ଖାସ୍ ରେକର୍ଡ
6/11/2020 at 4:29 PM

ନୂଆଦିଲ୍ଲୀ ୦୬।୧୧: ଆଇପିଏଲର ୧୩ତମ ସଂସ୍କରଣରେ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ଜଲଓ୍ଵା ଜାରି ରହିଛି। ଚଳିତ ସିଜିନରେ ମୁମ୍ଵାଇ ଇଣ୍ଡିଆନ୍ସକୁ ଫାଇନାଲରେ ପହଞ୍ଚାଇବାରେ ବୁମରା ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଗୁରୁବାର ଆଇପିଏଲର ପ୍ରଥମ କ୍ଵାଲିଫାୟର ମ୍ୟାଚ୍ରେ ବୁମରା ୪ ଓ୍ଵିକେଟ୍ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏଥିସହ ୨୭ ଓ୍ଵିକେଟ୍ ସହ ଚଳିତ ସଂସ୍କରଣରେ ସର୍ବାଧିକ ଓ୍ଵିକେଟ୍ ନେଇ ପର୍ପଲ କ୍ୟାପ ଉପରେ କବ୍ଜା କରିଛନ୍ତି। ମ୍ୟାଚ୍ ପରେ ଅଧିନାୟକ ରୋହିତ ଶର୍ମା ବୁମରାଙ୍କ ଖୁବ୍ ପ୍ରଶଂସା କରିଛନ୍ତି।
ବୁମରା ଏପର୍ଯ୍ୟନ୍ତ ୧୪ଟି ମ୍ୟାଚ୍ରେ ସର୍ବାଧିକ ୨୭ ଓ୍ଵିକେଟ୍ ନେଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବୋଲର କାଗିସୋ ରାବଡା ଏବେ ଦ୍ଵିତୀୟ ନମ୍ବରରେ ଅଛନ୍ତି। ସେ ଅଦ୍ୟାବଧି ୧୫ଟି ମ୍ୟାଚ୍ରେ ୨୫ ଓ୍ଵିକେଟ୍ ନେଇଛନ୍ତି। ପର୍ପଲ କ୍ୟାପ୍ ଦୌଡରେ ତୃତୀୟ ସ୍ଥାନରେ ରହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଅନ୍ୟତମ ବୋଲର ଟ୍ରେଣ୍ଟ ବୋଲ୍ଟ। ସେ ୧୪ଟି ମ୍ୟାଚ୍ରୁ ୨୨ ଓ୍ଵିକେଟ୍ ନେଇ ତୃତୀୟ ସ୍ଥାନରେ ରହିଛନ୍ତି। ବୋଲ୍ଟ ଗୁରୁବାର ଦିଲ୍ଲୀ ବିପକ୍ଷ ମ୍ୟାଚ୍ରେ ପୃଥିବୀ ସ ଏବଂ ଆଜିଙ୍କ୍ୟ ରାହାଣେଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ପଠାଇ ଥିଲେ।
ଭାଙ୍ଗିଲେ ଭୁବନେଶ୍ଵରଙ୍କ ରେକର୍ଡ
ଯଶପ୍ରୀତ ବୁମରା କୌଣସି ଏକ ସିଜିନରେ ଭାରତୀୟ ବୋଲର ହିସାବରେ ସବୁଠୁ ଅଧିକ ଓ୍ଵିକେଟ୍ ନେବାର ରେକର୍ଡ କରିଛନ୍ତି। ସେ ଭୁବନେଶ୍ଵର କୁମାରଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏହା ପୂର୍ବରୁ ୨୦୧୭ରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ଵର କୁମାର ୨୬ ଓ୍ଵିକେଟ୍ ନେଇଥିଲେ। ଏବେ ବୁମରାଙ୍କ ନାମରେ ୨୭ ଓ୍ଵିକେଟ୍ ରହିଛି।
ଗୋଟିଏ ସିଜିନରେ ସର୍ବାଧିକ ଓ୍ଵିକେଟ୍ ନେବାର ରେକର୍ଡ
ଆଇପିଏଲର ଗୋଟିଏ ସଂସ୍କରଣରେ ସର୍ବାଧିକ ଓ୍ଵିକେଟ୍ ନେବାର ରେକର୍ଡ ଡ୍ଵେନ ବ୍ରାଭୋଙ୍କ ନାମରେ ରହିଛି। ସେ ୨୦୧୩ରେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳି ୩୨ଟି ଓ୍ଵିକେଟ୍ ନେଇଥିଲେ। ୨୮ ଓ୍ଵିକେଟ୍ ସହ ଲସିଥ ମାଲିଙ୍ଗା ଓ ଜେମ୍ସ ଫକନର ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଯଦି ବୁମରା ଫାଇନାଲ ମ୍ୟାଚ୍ରେ ୫ ଓ୍ଵିକେଟ୍ ନେବେ ତେବେ ବ୍ରାଭୋଙ୍କ ସହ ସମକକ୍ଷ ହୋଇ ପାରିବେ।