ଦୁବାଇ ୧୪।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୦ରେ ବୁଧବାର ଚଳିତ ସଂସ୍କରଣର ୩୦ ତମ ମ୍ୟାଚ୍ ଖେଳାଯିବ। ଏହି ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଭାରତୀୟ ସମୟନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ।
ଚଳିତ ସଂସ୍କରଣରେ ଯେବେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ ସେହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଥିଲା। ଦିଲ୍ଲୀ ରାଜସ୍ଥାନ ରୟାଲ୍ସଙ୍କୁ ୪୬ ରନରେ ପରାଜିତ କରିଥିଲା। ଦିଲ୍ଲୀ ଦଳ ଏବେ ଚମତ୍କାର ଫର୍ମରେ ଅଛି। ସାତ ମ୍ୟାଚ୍ରୁ ଦଳ ୫ଟିରେ ବିଜୟୀ ହୋଇ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲ୍ରେ ଦ୍ଵିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ପ୍ଲେଅଫ ପାଇଁ ସଂଘର୍ଷ କରୁଛି। ତେଣୁ ଏହି ମ୍ୟାଚ୍ ଜିତି ପ୍ରଥମ ମ୍ୟାଚ୍ର ବଦଲା ନେବାକୁ ଦଳ ଚେଷ୍ଟା କରିବ।
ଦିଲ୍ଲୀ ଯଦି ଏହି ମ୍ୟାଚ୍ ଜିତି ନିଏ ତେବେ ଦଳର ପଏଣ୍ଟ ୧୨ ହୋଇଯିବ। ଅନ୍ୟପଟେ ରାଜସ୍ଥାନ ୭ ମ୍ୟାଚ୍ରୁ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲ୍ର ସପ୍ତମ ସ୍ଥାନରେ ରହିଛି। ଏହି ମ୍ୟାଚ୍ ହାରିଲେ ଦଳ ପାଇଁ ପ୍ଲେଅଫ ଯିବା ପଥ ମୁସ୍କିଲ ହୋଇଯିବ।
ବର୍ତ୍ତମାନ ଦୁନିଆର ଶ୍ରେଷ୍ଠ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଗତ ମ୍ୟାଚ୍ରେ ରାଜସ୍ଥାନ ଦଳ ସହିତ ଯୋଗ ଦେଇଛନ୍ତି। ହେଲେ ଉକ୍ତ ମ୍ୟାଚ୍ରେ ସେ ବିଫଳ ହୋଇଥିଲେ। କିନ୍ତୁ ଷ୍ଟୋକ୍ସ ଏକାକୀ ନିଜ ଦମ୍ରେ ମ୍ୟାଚ୍ର ଗତି ପଥ ବଦଳାଇବାର ସାମର୍ଥ୍ୟ ରହିଛି। ରୟାଲ୍ସଙ୍କୁ ନିଜର ଏହି ତାରକା ଖେଳାଳିଙ୍କଠୁ ବହୁତ ଆଶା ରହିଛି।
ଦିଲ୍ଲୀ ଓ ରାଜସ୍ଥାନ ମଧ୍ୟରେ ଏ ପର୍ଯ୍ୟନ୍ତ ଆଇପିଏଲରେ ୨୧ ମୁକାବିଲା ହୋଇଛି। ଦିଲ୍ଲୀ ୧୦ ଏବଂ ରାଜସ୍ଥାନ ରୟାଲ୍ସ ୧୧ଟି ମୁକାବିଲାରେ ବିଜୟୀ ହୋଇଛି। ଅର୍ଥାତ ଉଭୟ ଦଳ ମଧ୍ୟରେ କଡା ଟକ୍କର ଜାରି ରହିଛି। ଆଜିର ମ୍ୟାଚ୍ ମଧ୍ୟ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
ସମ୍ଭାବିତ ଏକାଦଶ
ଦିଲ୍ଲୀ କ୍ୟାପିଟାଲ୍ସ
ପୃଥ୍ଵୀ ସ, ଶିଖର ଧାଓ୍ଵନ, ଆଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର(ଅଧିନାୟକ), ମାର୍କସ ଷ୍ଟୋଇନିସ୍, ଆଲେକ୍ସ କେରି(ଓ୍ଵିକେଟ୍ କିପର), ହର୍ଷଲ ପଟେଲ, ଅକ୍ଷର ପଟେଲ, ରବି ଚନ୍ଦ୍ରନ ଅଶ୍ଵିନ, କାଗିସୋ ରାବଡା, ଆନ୍ଦ୍ରେ ନତର୍ଜେ।
ରାଜସ୍ଥାନ ରୟାଲ୍ସ
ଜୋସ୍ ବଟଲର(ଓ୍ଵିକେଟ୍ କିପର), ବେନ ଷ୍ଟୋକ୍ସ, ଷ୍ଟିଭ୍ ସ୍ମିଥ୍(ଅଧିନାୟକ), ସଞ୍ଜୁ ସାମସନ, ରବିନ ଉଥପ୍ପା, ରିୟାନ ପରାଗ, ରାହୁଲ ତେଓ୍ଵତିଆ, ଶ୍ରେୟସ ଗୋପାଲ, ଜୋଫ୍ରା ଆର୍ଚର, କାର୍ତ୍ତିକ ତ୍ୟାଗି, ଜୟଦେବ ଉନାଦକତ।