ଶତକ ମାରି ଇତିହାସ ରଚିଲେ ଶୁଭମାନ ଗିଲ୍‌, ୧୬ ବର୍ଷ ପରେ ଆଇପିଏଲ୍‌ରେ ଲାଗିଲା କୀର୍ତ୍ତିମାନ

Published By : Prameya-News7 Bureau | May 11, 2024 IST

ନୂଆଦିଲ୍ଲୀ ୧୧।୦୫: ଆଇପିଏଲ ୨୦୨୪ର ୫୯ ତମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳା ଯାଇଥିଲା ହାଇ ଭୋଲଟେଜ୍‌ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଶୁଭମାନ ଗିଲଙ୍କ ନାଁରେ ଏକରୁ ଅଧିକ ରେକର୍ଡ କରିଛନ୍ତି । 

କିନ୍ତୁ ତାଙ୍କ ନାଁରେ ଆଇପିଏଲର ଏକ ସ୍ୱତନ୍ତ୍ର ରେକର୍ଡ କରାଯାଇଛି । ଯାହାକୁ କେହି କେବେ ଭାଙ୍ଗି ପାରିବେନି । ବାସ୍ତବରେ ଗୁଜୁରାଟ ବନାମ ଚେନ୍ନାଇର ଏହି ମ୍ୟାଚରେ ଆଇପିଏଲର ୧୦୦ତମ ଶତକ ଲାଗିଛି । ଯାହା ଶୁଭମାନ ଗିଲ ଦ୍ୱାରା ଲଗା ଯାଇଥିଲା । 

ଆଇପିଏଲରେ ଶହ ଶହ ଶତକ ଲଗାଯାଇଛି । ୧୬ ବର୍ଷ ପୂର୍ବେ  ଆଇପିଏଲର ପ୍ରଥମ ସିଜନରେ ବ୍ରେଣ୍ଡନ୍ ମ୍ୟାକକୁଲମ୍ ଲଗାଇଥିଲେ ପ୍ରଥମ ଶତକ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୨୧୬.୪୩ ଷ୍ଟ୍ରାଇକ୍ ରେଟ୍‌ରେ ମ୍ୟାକକୁଲମ୍ ୭୩ ବଲରେ ଅପରାଜିତ ୧୫୮ ରନ୍ ସ୍କୋର କରିଥିଲେ। ଏଥିରେ ୧୦ଟି ଚାରି ଏବଂ ୧୩ଟି ଛକା ସାମିଲ୍‌ ରହିଥିଲା । 

ଏହାପରେ ଶେନ ୱାଟସନ ୨୦୧୩ରେ ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ଲଗାଇଥିଲେ ଆଇପିଏଲର ୨୫ତମ ଶତକ। ଏହି ମ୍ୟାଚରେ ୱାଟସନ ୫୮ ବଲ୍‌ରେ ୧୦୧ ରନ୍ ସଂଗ୍ରହ କରିଥିଲେ । ଏହାପରେ ରିଷଭ ପନ୍ତ ୨୦୧୮ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ନିଜର ୫୦ତମ ଆଇପିଏଲ୍ ଶତକ ହାସଲ କରିଥିଲେ । 

ଏହି ମ୍ୟାଚରେ ପନ୍ତ ୬୩ଟି ବଲରେ ଅପରାଜିତ ୧୨୮ରନ୍ ସଂଗ୍ରହ କରିଥିଲେ। ଜୋସ୍ ବଟଲର ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଆଇପିଏଲର ୭୫ତମ ଶତକ ଲଗାଇଥିଲେ । ଏହି ମ୍ୟାଚ୍‌ରେ ବଟଲର୍ ୬୦ ବଲରେ ଅପରାଜିତ ୧୦୬ର ରନ୍ ସଂଗ୍ରହ କରିଥିଲେ।

ଆଇପିଏଲ ୨୦୨୪ର ୫୯ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଶୁଭମାନ ଗିଲ ଲଗାଇଛନ୍ତି ଆଇପିଏଲ୍‌ର ୧୦୦ତମ ଶତକ। ଗିଲ ୧୮୯.୦୯ର ଷ୍ଟ୍ରାଇକ୍ ରେଟ୍‌ରେ ୫୫ ବଲରେ ୧୦୪ ରନ୍ କରିଛନ୍ତି । ଯେଉଁଥିରେ ୯ଟି ଚୌକା ଏବଂ ୬ଟି ଛକା ସାମିଲ ରହିଛି ।  

ଆଇପିଏଲ୍ ୨୦୨୪ରେ ଏପର୍ଯ୍ୟନ୍ତ ୫୯ଟି ମ୍ୟାଚ୍ ଖେଳାଯାଇଛି । କିନ୍ତୁ ଚଳିତ ସିଜିନ୍‌ରେ ଆଇପିଏଲ ଇତିହାସର ସର୍ବାଧିକ ଶତକ ଲାଗିଛି । ଏହି ସିଜନରେ ୫୯ଟି ମ୍ୟାଚରେ ୧୪ଟି ଶତକ ଲାଗିଛି ।  ସିଜିନ୍‌ର ଆଉ କିଛି ମ୍ୟାଚ୍‌ ବାକି ରହିଛି । IPL ୨୦୨୩ରେ ୧୨ ଶତକ  ଲାଗିଥିଲା । IPL ୨୦୨୨ରେ ୮ଟି ଶତକ ଏବଂ IPL ୨୦୧୬ରେ ୭ଟି ଶତକ ଲାଗିଥିଲା ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.