ଭୁବନେଶ୍ଵର: ଓଡ଼ିଶାକୁ ବଡ଼ ସଂଖ୍ୟାରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତା ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆମର ଲକ୍ଷ୍ୟ।ଦିଲ୍ଲୀ ଯିବା ପୂର୍ବରୁ ଏହା କହିଛନ୍ତି ମୋହନ ମାଝୀ।
ସେ କହିଛନ୍ତି, ମୁଁ ଦୁଇ ଦିନ ପାଇଁ ଦିଲ୍ଲୀ ଗସ୍ତରେ ଯାଉଛି। ମୋର ଉଦ୍ୟମ ଓଡ଼ିଶାକୁ ବଡ଼ ସଂଖ୍ୟାରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା। ଦୁଇ ଦିନିଆ ଗସ୍ତରେ ବିଭିନ୍ନ ପୁଞ୍ଜିନିବେଶକାରୀଙ୍କ ସହ ଓ୍ଵାନ ଟୁ ଓ୍ଵାନ ଆଲୋଚନା କରିବି। ଏହା ସହ ଏକ ପୁଞ୍ଜିନିବେଶକାରୀଙ୍କ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶା ଆସିବା ପାଇଁ ନିବେଦନ କରିବି। ଆସନ୍ତା ବର୍ଷ ଜାନୁଆରୀ ୨୮ ଓ ୨୯ରେ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା ୨୦୨୫ କନକ୍ଲେଭ୍ ପାଇଁ ଦିନ ଧାର୍ଯ୍ୟ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଫୁଡ୍ ପ୍ରୋସେସିଂ, ଆଇଟି, କେମିକାଲ୍, ପେଟ୍ରୋ କେମିକାଲ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ପ୍ରାଥମିକତାର ସହ ବିଭିନ୍ନ ପୁଞ୍ଜିନିବେଶକାରୀଙ୍କ ସହ ଆଲୋଚନା ହେବ। ଓଡ଼ିଶାରେ ପୁଞ୍ଜି ଲଗାଣ ତଥା ଶିଳ୍ପ ପ୍ରତିଷ୍ଠା ସମ୍ବନ୍ଧରେ ଥିବା ସକରାତ୍ମକ ଇକୋ ସିଷ୍ଟମ ସମ୍ବନ୍ଧରେ ଅବଗତ କରାଇବି। ଆଗାମୀ ୫ ବର୍ଷରେ ଅଢେଇ ଲକ୍ଷ କୋଟି ପୁଞ୍ଜି ଆକର୍ଷିତ କରିବା ଆମ ଲକ୍ଷ୍ୟ। ଖୁସିର କଥା ଗତ ୧୦୦ ଦିନ ଭିତରେ ୪୫ ହଜାର କୋଟିର ପୁଞ୍ଜି ଓଡ଼ିଶାକୁ ଆସି ସାରିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀ ବୈଠକରେ ମୋ ସହିତ ଶିଳ୍ପ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ରହିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶାକୁ ଦ୍ରୁତ ଶିଳ୍ପାୟନର ପଥରେ ଆଗେଇ ନେବା ପାଇଁ ମୋର ପ୍ରଚେଷ୍ଟା ଉତ୍କର୍ଷମାନେ ଏକ୍ସେଲେନ୍ସ ଏବଂ ଉତ୍କର୍ଷ ଓଡ଼ିଶା କନକ୍ଲେଭ ଶିଳ୍ପ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଉତ୍କର୍ଷ ଆଣିଦେବ। ମୁଁ ରାଜ୍ୟବାସୀଙ୍କ ତରଫରୁ ଏହି କାମର ଶୁଭାରମ୍ଭ କରିବାକୁ ଯାଉଛି। ତେଣୁ ମୁଁ ରାଜ୍ୟବାସୀଙ୍କ ଆଶୀର୍ବାଦ ଲୋଡ଼ଛି।