ଦୁବାଇରେ ଓଡ଼ିଶା ସରକାରଙ୍କ ଇନ୍ ଭେଷ୍ଟର୍ସ ମିଟ୍, ନିବେଶକଙ୍କୁ ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ଅବଗତ କରାଇବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | June 29, 2022 IST

ଭୁବନେଶ୍ୱର ୨୯/୦୬: ଆଜି ଦୁବାଇରେ ଇନ୍ ଭେଷ୍ଟର୍ସ ମିଟ୍ । ଦୁବାଇରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିବେଶକ ସମ୍ମିଳନୀ ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୬ ତାରିଖରେ ଦୁବାଇରେ ପହଞ୍ଚିସାରିଛନ୍ତି।

ଫିକି ସହଯୋଗରେ ଆୟୋଜନ କରାଯାଉଥିବା ଏହି ଇନ୍ ଭେଷ୍ଟର୍ସ ମିଟ୍ ରେ ନିଜେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଓଡ଼ିଶାରେ ପୁଞ୍ଜିନିବେଶକାରୀଙ୍କ ପାଇଁ ଥିବା ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ଅବଗତ କରାଇବେ। ବିଶେଷ କରି ରାଜ୍ୟର ଯେଉଁ ୬ଟି ଅଗ୍ରାଧିକାର କ୍ଷେତ୍ର ଚିହ୍ନଟ କରାଯାଇଛି ସେଥିରେ ପୁଞ୍ଜିନିବେଶ କରିବା ଲାଗି ସେ ନିବେଶକମାନଙ୍କୁ ଆମନ୍ତ୍ରଣ କରିବେ।

ସେହି କ୍ଷେତ୍ରଗୁଡ଼ିକ ହେଉଛି କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଓ ପେଟ୍ରୋକେମିକାଲ୍ସ, ବୟନ, ଡାଉନ୍ ଷ୍ଟ୍ରିମ୍ ଆଣ୍ଡ୍ ଆନ୍ସିଲାରି, ଇଏସ୍ ଡିଏମ୍-ଆଇଟି ଓ ଆଇଟିଇଏସ୍, ଅଟୋ ଓ ଅଟୋ ଯନ୍ତ୍ରାଂଶ। ଏହା ବ୍ୟତୀତ ରାଜ୍ୟର ପ୍ରମୁଖ କ୍ଷେତ୍ର ଯଥା ଖଣି, ଖଣିଜ, ଧାତବ ଓ ମାନୁଫାକ୍ଚରିଂ କ୍ଷେତ୍ର ଲାଗି ପୁଞ୍ଜିନିବେଶ ଆଣିବାକୁ ମଧ୍ୟ ଏହି ସମ୍ମିଳନୀରେ ଉଦ୍ୟମ କରାଯିବ।

ଦୁବାଇର ଦି ଓବରଏର ବିଜ୍ ନେସ୍ ବେ’ରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇପିକଲ୍ ର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ଓ ଇପିକଲ୍ ର କିଛି ବରିଷ୍ଠ ପଦାଧିକାରୀରେ ଦୁବାଇରେ ପହଞ୍ଚିସାରିଛନ୍ତି।

ନିବେଶକ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିଥିବା କିମ୍ବା ସ୍ଥାପନ କରିବାକୁ ଯାଉଥିବା ବହୁ ଶିଳ୍ପ ସଂସ୍ଥା ଦୁବାଇ ଗସ୍ତ କରିଛନ୍ତି। ସେହି କମ୍ପାନିଗୁଡ଼ିକ ମଧ୍ୟରେ ରହିଛନ୍ତି ବେଦାନ୍ତ, ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍, ଇମ୍ଫା, ରୁଚି ମସଲା, ଡିଏନ୍ ଗ୍ରୁପ୍, ଟାଟା ଷ୍ଟିଲ୍, ଟାଟା ଷ୍ଟିଲ୍ ଏସ୍ଇଜେଡ୍, ପାରାଦୀପ ଫସଫେଟ୍ ଲିମିଟେଡ୍ ଓ ଇଣ୍ଡିଆନ ଅଏଲ୍।.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.