ନିବେଶକଙ୍କ ୨.୫ ଲକ୍ଷ କୋଟି ଟଙ୍କା ସ୍ୱାହା, US ଫେଡେରାଲଙ୍କ ନିଷ୍ପତିରେ ଆତଙ୍କିତ ବଜାର
21/09/2023 at 7:30 PM

ମୁମ୍ବାଇ ୨୧।୯: ଆମେରିକା ଫେଡେରାଲ ରିଜର୍ଭଙ୍କ ନିଷ୍ପତ୍ତି ପରେ ୨୧ ସେପ୍ଟେମ୍ବର ଗୁରୁବାର ଭାରତୀୟ ବଜାରରେ ଆତଙ୍କ ଖେଳିଯାଇଛି। ଫଳରେ ସେନସେକ୍ସ ୫୭୦ ଅଙ୍କ ହ୍ରାସ ସହ ବନ୍ଦ ହୋଇଥିବା ବେଳେ ନିଫ୍ଟି ୧୯,୭୫୦ରୁ ତଳକୁ ଖସିଛି। ବମ୍ବେଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ରେ ମିଡକ୍ୟାପ୍ ଓ ସ୍ମଲ କ୍ୟାପ୍ ସେୟାରମାନଙ୍କ ଇଣ୍ଡେକ୍ସ ମଧ୍ୟ ୧ପ୍ରତିଶତରୁ ତଳକୁ ଖସିଛି। ଫଳରେ ନିବେଶକଙ୍କ ସେୟାର ବଜାରରେ ଗୁରୁବାର ୨.୫ ଲକ୍ଷ କୋଟି ଟଙ୍କା ଡୁବି ଯାଇଛି। ହ୍ରାସ ସହ ସେୟାର ବଜାର ବନ୍ଦ ହେବାରେ ଏହା ତୃତୀୟ ଦିନ।
ଗୁରୁବାର ସବୁ ସେକ୍ଟୋରାଲ ଇଣ୍ଡେକ୍ସ ମଧ୍ୟ ଲାଲ ସଂକେତରେ ବନ୍ଦ ହୋଇଛନ୍ତି। ଅଟୋ, ବ୍ୟାଙ୍କିଙ୍ଗ, ଫାଇନାନସିଆଲ ସର୍ଭିସେସ୍ ଓ ରିୟେଲିଟି ସେୟାରରେ ସବୁଠୁ ଅଧିକ କିଣାବିକା ଦେଖାଯାଇଛି। କାରବାର ଶେଷରେ ବିଏସଇଙ୍କ ୩୦ ସେୟାରର ସୂଚକାଙ୍କ୫୭୦.୬୦ ପଏଣ୍ଟ ବା ୦.୮୫ ପ୍ରତିଶତ ହ୍ରାସ ହୋଇ ୬୬,୨୩୦.୨୪ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ୫୦ ସେୟାରର ସୂଚକାଙ୍କ (ନିଫ୍ଟି) ୧୫୨.୨୫ ପଏଣ୍ଟ ଅର୍ଥାତ ୦.୭୭ ପଏଣ୍ଟ ହ୍ରାସ ସହ ୧୯,୭୪୯.୧୫ ସ୍ତରରେ ବନ୍ଦ ହୋଇଛି।

ବିଏସଇ ଲିଷ୍ଟେଡ୍ କମ୍ପାନୀମାନଙ୍କର ମୋଟ ମାର୍କେଟ କ୍ୟାପିଟାଲାଇଜେସନ ଗୁରୁବାର ହ୍ରାସ ହୋଇ ୩୧୮.୦୬ଲକ୍ଷ କୋଟିକୁ ଖସି ଆସିଛି। ଯାହା ଗତ ବ୍ୟବସାୟୀକ ଦିନ ଅର୍ଥାତ ବୁଧବାର ୩୨୦.୫୧ଲକ୍ଷ କୋଟି ଟଙ୍କା ଥିଲା। ସେହିପରି ବିଏସଇରେ ଲିଷ୍ଟେଡ୍ କମ୍ପାନୀମାନଙ୍କ ମାର୍କେଟ୍ କ୍ୟାପିଟାଲ ଗୁରୁବାର ପାଖାପାଖି ୨.୪୫ କୋଟି ଟଙ୍କା ହ୍ରାସ ହୋଇଛି। ଅନ୍ୟ ଅର୍ଥରେ କହିଲେ ନିବେଶକଙ୍କର ଗୋଟିଏ ଦିନରେ ୨.୪୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି। ସେନସେକ୍ସରେ ସାମିଲ ମୋଟ ୩୦ଟି ସେୟାରରୁ ଗୁରୁବାର ମାତ୍ର ୭ ଟି ସେୟାର ଅଭିବୃଦ୍ଧି ସହ ବନ୍ଦ ହୋଇଛି।
ଏଥିରେ ଟେକ୍ ମହିନ୍ଦ୍ରା ସେୟାରରେ ସର୍ବାଧିକ ୧.୪୭ ପ୍ରତିଶତ ବୃଦ୍ଧି ଦେଖାଯାଇଛି। ଏହା ପଛକୁ ଭାରତୀ ଏୟାରଟେଲ, ଏସିୟାନ ପେଣ୍ଟସ୍, ଇଂଫୋସିସ୍ ଓ ହିନ୍ଦୁସ୍ତାନ ୟୁନିଲିଭର ସେୟାରରେ ଯଥାକ୍ରମେ ୦.୫୯ ପ୍ରତିଶତରୁ ଆରମ୍ଭ କରି ୦.୯୯ ପ୍ରତିଶତ ଅଭିବୃଦ୍ଧି ସହ ବନ୍ଦ ହୋଇଛନ୍ତି। ଏହି ସେୟାରଗୁଡିକ ବ୍ୟତୀତ ବାକି ୨୩ଟି ସେୟାର ଲାଲ ସଂକେତରେ ବନ୍ଦ ହୋଇଛନ୍ତି। ଏଥିରେ ଆଇସିଆଇସିଆଇ ବ୍ୟାଙ୍କ ୨.୯୪ ପ୍ରତିଶତ ହ୍ରାସ ସହିତ ଟପ୍ ଲୁଜର ରହିଛି। ଏହା ଛଡା ମହିନ୍ଦ୍ରା ଆଣ୍ଡ ମହନ୍ଦ୍ରା, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଅଲ୍ଟ୍ରାଟେକ୍ ସିମେଣ୍ଟ ଓ ଇଣ୍ଡସଇଣ୍ଡ ବ୍ୟାଙ୍କ ସେୟାରରେ ୨.୦୧ ପ୍ରତିଶତରୁ ୨.୮୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଛି।
ବିଦେଶ ମୁଦ୍ରା ଭଣ୍ଡାରରେ ବଡ଼ ହ୍ରାସ, ସେପଟେ ଡଲାର ତୁଳନାରେ କମିଲା ଟଙ୍କାର ମୂଲ୍ୟ