ଘରୋଇ ପୁଞ୍ଜି ବଜାରକୁ ଫେରିଲା ଚମକ, ଗୋଟିଏ ଦିନରେ ୫.୬୬ ଲକ୍ଷ କୋଟି ଟଙ୍କା ବଢିଲା ନିବେଶକଙ୍କ ସମ୍ପତ୍ତି

Published By : Prameya-News7 Bureau | October 04, 2022 IST

ନୂଆଦିଲ୍ଲୀ: ସୋମବାର ନିରାଶା ପରେ ମଙ୍ଗଳବାର ନିବେଶକଙ୍କ ମୁହଁକୁ ଫେରିଛି ଖୁସି । ମଙ୍ଗଳବାର ଘରୋଇ ବଜାରକୁ ଚମକ ଫେରିବା ସହ ବଡ଼ ବୃଦ୍ଧି ରେକର୍ଡ କରାଯାଇଛି । ସେନସେକ୍ସ ଏବଂ ନିଫ୍ଟୀ ପରି ପ୍ରମୁଖ ସୂଚକାଙ୍କରେ ୨ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି, ଏହାସହ ସେୟାର ବଜାର ନିବେଶକଙ୍କ ପୁଞ୍ଜି ଗୋଟିଏ ଦିନରେ ୫.୬୬ ଲକ୍ଷ କୋଟି ଟଙ୍କା ବଢିଛି ।

ତିରିଶ ସେୟାର ଅଧାରିତ ବମ୍ୱେ ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ସୂଚକାଙ୍କ ସେନସେକ୍ସ ୧,୨୭୬.୬୬ ଅଙ୍କ ଅର୍ଥାତ ୨.୨୫ ପ୍ରତିଶତ ବଢି ୫୮,୦୬୫.୪୭ ଅଙ୍କରେ ବନ୍ଦ ହୋଇଛି । କାରବାର ସମୟରେ ଏକଦା ଏହା ୧,୩୧୧.୧୩ ଅଙ୍କ ଉପରେ ପହଞ୍ଚିଥିଲା । ନିଫ୍ଟୀରେ ୩୮୬.୯୫ ଅଙ୍କ ଅର୍ଥାତ ୨.୨୯ ପ୍ରତିଶତ ସହ ୧୭,୨୭୪.୩୦ ଅଙ୍କରେ ବନ୍ଦ ହୋଇଛି ।   

ବିଏସଇରେ ଲିଷ୍ଟେଡ୍ କମ୍ପାନି ଗୁଡିକର ବଜାର ପୁଞ୍ଜିରେ ଆଜି ୫,୬୬,୩୧୮.୮୪ କୋଟି ଟଙ୍କାର ବୃଦ୍ଧି ସହ ବଜାର ବନ୍ଦ ସମୟରେ ଏହା ୨,୭୩,୯୨,୭୩୯.୭୮ କୋଟି ଟଙ୍କାରେ ପହଞ୍ଚିଛି । ସୋମବାର କାରବାର ଶେଷ ହେବା ପରେ ବିଏସଇରେ ସୂଚୀବଦ୍ଧ କମ୍ପାନି ଗୁଡିକର ବଜାର ପୁଞ୍ଜି ପ୍ରାୟ ୨,୬୮,୨୬,୪୨୧ ଲକ୍ଷ କୋଟି ଥିଲା ।

ବିଏସଇର ସବୁ ସେକ୍ଟର ସୂଚକାଙ୍କ ଭଲ ସଂକେତରେ ରହିଛି । ଆଇଟି, ମେଟାଲ ଏବଂ ବ୍ୟାଙ୍କିଂ ସେୟାରରେ କିଣାରେ ଉତ୍ସାହ ଦେଖିବାକୁ ମିଳିଛି । ଏଫଏମସିଜି ଏବଂ ଅଟୋ ସେୟାରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ସେନସେକ୍ସର ୩୦ରୁ ୨୮ ସେୟାର ଭଲ ପ୍ରଦର୍ଶନ କରିଛି ।  ନିଫ୍ଟୀର ୫୦ରୁ ୪୮ ସେୟାରର ମୂଲ୍ୟ ବଢିଛି । ଅନ୍ୟପଟେ ନିଫ୍ଟୀ ବ୍ୟାଙ୍କର ସମସ୍ତ ୧୨ ସେୟାରରେ ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.