ଦେଶର ସବୁଠୁ ବଡ଼ ଷ୍ଟକ୍ ଏକ୍ସଚେଞ୍ଜ NSE, ଜାଣନ୍ତୁ ଏହା କେତେ ବଡ଼ ଏବଂ ଏହାର ଇତିହାସ
8/02/2023 at 10:21 PM

ନୂଆଦିଲ୍ଲୀ: ସେୟାର ମାର୍କେଟ ବିଷୟରେ ଆଲୋଚନା କରିବା ସମୟରେ ପ୍ରାୟ ସମସ୍ତେ ଏନଏସଇ (ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ)ର ନାଁ ଶୁଣିଥିବେ । କିନ୍ତୁ ଆପଣ ଜାଣିଛନ୍ତି କି ଏନଏସଇ କଣ ? ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ହେଉଛି ଦେଶର ସବୁଠୁ ବଡ଼ ଷ୍ଟକ ଏକ୍ସଚେଞ୍ଜ । ଏହା ଜରିଆରେ ବିଭିନ୍ନ କମ୍ପାନି ଗୁଡିକର ଷ୍ଟକ୍ କିଣା ବିକା ହୋଇଥାଏ । କିନ୍ତୁ NSEର ଆରମ୍ଭ କେବେଠୁ ହୋଇଛି ଏବଂ କୌଣସି କମ୍ପାନି କିପରି ଏଥିରେ ନିଜକୁ ସୂଚୀବଦ୍ଧ କରିଥାନ୍ତି ?
ଏନଏସଇକୁ ୧୯୯୩ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ନିବେଶକଙ୍କ ପାଇଁ ସେୟାର ବଜାରରେ ନିବେଶର ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ କରାଇବ । ଏହା ଭାରତର ସବୁଠୁ ବଡ଼ ଷ୍ଟକ୍ ଏକ୍ସଚେଞ୍ଜ ଏବଂ ସାରା ବିଶ୍ୱର ଏକ୍ସଚେଞ୍ଜରେ ଏହା ୧୧ତମ ସ୍ଥାନରେ ରହିଛି । ଏହା ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇରେ ରହିଛି । ଭାରତ ସରକାରଙ୍କ ୨୫ କୋଟି ଟଙ୍କାର ପୁଞ୍ଜି ସହ ଏହାର ପ୍ରତିଷ୍ଠା କରାଯାଇଥିଲା । ବର୍ତ୍ତମାନ ସମୟରେ ଏଥିରେ ୨୦୦୦ରୁ ଅଧିକ କମ୍ପାନି ଲିଷ୍ଟେଡ୍ ରହିଛି ।
NSEର ନିଜ ସେୟାରକୁ ଆଣିବା ପାଇଁ କମ୍ପାନି ଗୁଡିକୁ ପ୍ରଥମେ ସେବି ଅଧିନରେ ପଞ୍ଜିକରଣ କରିବାକୁ ପଡିଥାଏ, ଯାହା ଏକ ନିୟାମକ ସଂସ୍ଥା । ସେବିରେ ପଞ୍ଜିକରଣ କରିବା ପରେ କମ୍ପାନିକୁ NSEରେ ସାମିଲ ହୋଇଥାଏ । NSE ସହ ଆପଣ ନିଫ୍ଟି ବିଷୟରେ ମଧ୍ୟ ଶୁଣିଥିବେ । ଉଲ୍ଲେଖଯୋଗ୍ୟ ଯେ ନିଫ୍ଟି NSEର ପ୍ରମୁଖ ସୂଚକାଙ୍କ ବା ବେଞ୍ଚମାର୍କ ଅଟେ, ଏହା ଆଧାରରେ ବଜାର ତଥା କମ୍ପାନି ଗୁଡିକର ସେୟାର ମୂଲ୍ୟ ବିଷୟରେ ନିବେଶକଙ୍କୁ ଅବଗତ କରାଯାଇଥାଏ ।
NSEର ମାର୍କେଟ୍ କ୍ୟାପିଟଲାଇଜେସନ ୨୦୨୧-୨୨ର ଡାଟା ଅନୁସାରେ ଏହାର ମାର୍କେଟ୍ କ୍ୟାପ ପ୍ରାୟ ୩ ଟ୍ରିଲିୟନ ଡାଲାର ଥିଲା । ଯାହା ସାରା ବିଶ୍ୱର ୧୦ମ ସବୁଠୁ ବଡ଼ ମାର୍କେଟ୍ କ୍ୟାପ ଅଟେ ।