ଚିତ୍ରକୋଣ୍ଡା SDPOଙ୍କ ଦବଙ୍ଗଗିରି ଘଟଣା : କ୍ରାଇମବ୍ରାଞ୍ଚ ଆଇଜିଙ୍କ ନେତୃତ୍ୱରେ ହେବ ତଦନ୍ତ

Published By : Prameya-News7 Bureau | July 13, 2022 IST

ଭୁବନେଶ୍ବର ୧୩।୭: ଚିତ୍ରକୋଣ୍ଡା ଏସଡିପିଓଙ୍କ ଦବଙ୍ଗଗିରି ଘଟଣାର କ୍ରାଇମବ୍ରାଞ୍ଚ ଆଇଜିଙ୍କ ନେତୃତରେ ହେବ ତଦନ୍ତ । ଏ ନେଇ ଗୃହରେ ବିବୃତ୍ତି ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।

ଚିତ୍ରକୋଣ୍ଡା ଏସଡିପିଓ ଦବଙ୍ଗଗିରି ପ୍ରସଙ୍ଗରେ କମ୍ପିଥିଲା ବିଧାନସଭା । ପୋଲିସ ବାବୁ ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜ ଘଟଣାକୁ ନେଇ ଗୃହ ହୁଲସ୍ତୁଲ ହୋଇଥିଲା । ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜି କରିଥିଲେ । ଏସଡିପିଓଙ୍କୁ ସସପେଣ୍ଡ ସହ ଘଟଣାରେ ଜୁଡିସିଆଲ ତଦନ୍ତ ଦାବିରେ ବିରୋଧୀ ଅଟଳ ରହିଥିଲେ । ଗୃହ ବାରମ୍ବାର ମୁଲତବୀ ହୋଇଥିଲା ।

ବିଧାନସଭା ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରା ବାହନୀପତି ସ୍ବାଭିମାନ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଚିତ୍ରକୋଣ୍ଡା ଏସଡିପିଓଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ଉଠାଇଥିଲେ । ବିନା ସର୍ଚ୍ଚ ୱାରେଣ୍ଟରେ ବିନା ମହିଳା ପୋଲିସରେ ରାତି ଅଧରେ ମାଲକାନଗିରି RSC ୧୩ ଗାଁରେ ଫୋର୍ସ ସହ ପଶି ଗର୍ଭବତୀ ମହିଳା, ୮୦ ବର୍ଷୀୟ ବୃଦ୍ଧା, ନାବାଳିକାଙ୍କୁଏସଡିପିଓ ମାଡ଼ ମାରିଛନ୍ତି । ଏମିତିକି ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗରେ ମଧ୍ୟ ମାଡ ହୋଇଛି । ପ୍ରତିବାଦ କରିବାକୁ ଲୋକେ ଆସିଥିବାବେଳେ ନିଜ ଲୋକ ଲଗାଇ ଗଣ୍ଡଗୋଳ କରି ଭଙ୍ଗାରୁଜ୍ଜା କରାଇଛନ୍ତି ଆଉ ମିଛଟାରେ ଏହି ଘଟଣାରେ ସାମ୍ବାଦିକଙ୍କ ସମେତ ୧୮ ଜଣଙ୍କୁ ଗିରଫ କରିଛନ୍ତି । ଏସଡିପିଓଙ୍କ ଗୁଣ୍ଡାରାଜର ଏମିତି ମାଳ ମାଳ ଅଭିଯୋଗ ବିଧାନସଭାରେ ବାଚସ୍ପତିଙ୍କ ଆଗରେ ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଏ ସଂକ୍ରାନ୍ତୀୟ ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରି ଏସଡିପିଓଙ୍କୁ ସସପେଣ୍ଡ ସହ ଘଟଣାର ଜୁଡିସିଆଲ ତଦନ୍ତ ଦାବି କରିଛନ୍ତି ।

ଆଉ ତାରାଙ୍କ ପରେ ପରେ ସମାନ ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଥିଲେ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସାଲୁଜା କହିଥିଲେ, ଆଦିବାସୀଙ୍କ ଘରେ ଗଞ୍ଜେଇ ରଖି ତାକୁ ଧରିଛନ୍ତି ଏସଡିପିଓ । ଆଦିବାସୀଙ୍କ ଉପରେ ଦମଳୀଳା ଚଳାଇଛନ୍ତି ।  ଏତେସବୁ ପରେ ବି କାହିଁକି ଏସଡିପିଓଙ୍କ ବିରୋଧରେ ଏତଲା ହେଉନି । ସେପଟେ ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଘଟଣାରେ ଜୁଡିସିଆଲ ତଦନ୍ତ କିମ୍ବା କ୍ରାଇମବ୍ରାଞ୍ଜ ତଦନ୍ତ ଦାବି ସହ ଘଟଣାର ଅନୁଧ୍ୟାନ ଲାଗି ସର୍ବଦଳୀୟ ଗୃହକମିଟି ଗଠନ କରିବାକୁ ଦାବି କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ବି ସମାନ ପ୍ରସଙ୍ଗ ଉଠାଇଲେ । ରକ୍ଷକ ଯଦି ଭକ୍ଷକ ସାଜିବେ ଆଦିବାସୀଙ୍କୁ ସୁରକ୍ଷା ଦେବ କିଏ ବୋଲି ପ୍ରଶ୍ନ କରିବା ସହ ତଦନ୍ତ ଦାବି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.