ସମୀର ଓ୍ବାଙ୍ଖେଡେଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ କଲା NCBର ୫ ଜଣିଆ ଟିମ, ଆର୍ଯ୍ୟନ ଡ୍ରଗ୍ସ ଲିଙ୍କ ମାମଲାରେ ୨୫ କୋଟି ଟଙ୍କାର ଡିଲ ଅଭିଯୋଗର ଖୋଳତାଡ୍‌

Published By : Prameya-News7 Bureau | October 27, 2021 IST

ମୁମ୍ବାଇ ୨୭/୧୦ : ବଲିଉଡ ଡ୍ରଗ୍ସ ମାଫିଆଙ୍କ ବିରୁଦ୍ଧରେ ଦମନ ଅଭିଯାନ ଚଳାଇଥିବା ଏନ୍‌ସିବି ଜୋନାଲ ଅଫିସର ସମୀର ଓ୍ବାଙ୍ଖେଡେଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ତାଙ୍କ ବିରୁଦ୍ଧରେ ଆସିଥିବା ସାଂଘାତିକ ଅଭିଯୋଗର ତଦନ୍ତ ଆରମ୍ଭ କରିଛି ତାଙ୍କରି ବିଭାଗ । କ୍ରୁଜ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇ ଜେଲରେ ଥିବା ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ମାମଲାର ତଦନ୍ତ କରୁଛନ୍ତି ସିଂଘମ ଅଫିସର ସମୀର ଓ୍ବାଙ୍ଖେଡେ । ତେବେ ଆର୍ଯ୍ୟନ ଡ୍ରଗ୍ସ ଲିଙ୍କ ମାମଲାରେ ସାକ୍ଷୀ ଦେଇଥିବା ପ୍ରଭାକର ସେଲ ଦେଇଥିବା ବିସ୍ଫୋରକ ବୟାନ ଚର୍ଚ୍ଚାର ବିଷୟ ପାଲଟିଥିଲା । ପ୍ରଭାକର ଅଭିଯୋଗ କରିଥିଲେ ଯେ, ଶାହାରୁଖଙ୍କ ପୁଅକୁ ଛାଡିବା ପାଇଁ ସମୀର ଓ୍ବାଙ୍ଖେଡେ ୨୫ କୋଟି ଟଙ୍କାର ଡିଲ କରିଛନ୍ତି ।  

ପ୍ରଭାକର ସେଲଙ୍କ ଏଭଳି ବିସ୍ଫୋରକ ବୟାନ ପରେ ଏବେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ଏନ୍‌ସିବିର ଭିଜିଲାନ୍ସ ବିଭାଗ । ଏହା ପୂର୍ବରୁ ମୁମ୍ବାଇ ପୋଲିସ ମଧ୍ୟ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା । ଏନ୍‌ସିବି ଅଫିସର ସମୀର ଓ୍ବାଙ୍ଖେଡେଙ୍କ ବିରୁଦ୍ଧ​‌ରେ ଜାଣିଶୁଣି ଏଭଳି ଅଭିଯୋଗ ଅଣାଯାଇଥିବା ସେ କହିଛନ୍ତି ।

ଏନ୍‌ସିବି ଏହି ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ ଗଠନ କରିଛି । ଏହି ଟିମ ବୁଧବାର ଦିନ ଦିଲ୍ଲୀରୁ ଆସି ମୁମ୍ବାଇରେ ପହଞ୍ଚିଛି। ଏନ୍‌ସିବି ଡେପୁଟି ଡାଇରେକ୍ଟର ଜେନେରାଲ୍ ଜ୍ଞାନେଶ୍ବର ସିଂ କହିଛନ୍ତି ଯେ,  ଘଟଣାର ଯାଞ୍ଚ ପାଇଁ ୫ ଜଣିଆ ଟିମ ଦିଲ୍ଲୀରୁ ମୁମ୍ବାଇରେ ପହଞ୍ଚିଛନ୍ତି। ପ୍ରଭାକର ସେଲଙ୍କ ଅଭିଯୋଗ ଆଧାରରେ ଅନୁସନ୍ଧାନ ପାଇଁ ଏହି ଟିମ୍ ଗଠନ କରାଯାଇଛି। କାଗଜପତ୍ର ଏବଂ ସମସ୍ତ ରେକର୍ଡ ଏନସିବି କାର୍ଯ୍ୟାଳୟରୁ ନିଆଯାଇଛି। ଏହା ବ୍ୟତୀତ ସାକ୍ଷୀମାନଙ୍କୁ ମଧ୍ୟ ଡକାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ଖୁବଶୀଘ୍ର ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବା ନେଇ ସୂଚନା ମିଳିଛି । ଘଟଣାକୁ ନେଇ ଯେଉଁମାନଙ୍କୁ ପଚରାଉଚରା କରାଯିବା କଥା ତାଙ୍କ ନାଁ ଏବେ ଗୁପ୍ତ ରହିଛି କହିଛନ୍ତି ଏନ୍‌ସିବି ଡେପୁଟି ଡାଇରେକ୍ଟର ଜେନେରାଲ୍ ଜ୍ଞାନେଶ୍ବର ସିଂ ।

ଜ୍ଞାନେଶ୍ୱର ସିଂ କହିଛନ୍ତି ଯେ, ସମୀର ଓ୍ବାଙ୍ଖେଡେଙ୍କ ବୟାନ ରେକର୍ଡ କରାଯାଉଛି । ପ୍ରଭାକର ସେଲ ହେଉଛନ୍ତି କିରଣ ଗୋସାଓ୍ବୀଙ୍କ ବଡିଗାର୍ଡ । ପ୍ରଭାକର ଅଭିଯୋଗ କରିଛନ୍ତି ଯେ, ଆର୍ଯ୍ୟନ ଖାନକୁ ମୁକ୍ତ କରିବା ପାଇଁ କିରଣ ଗୋସାଓ୍ବୀ ୨୫ କୋଟି ଟଙ୍କା ମାଗିଥିଲେ। ଗୋସାଓ୍ବୀ ହେଉଛନ୍ତି ସେହି ବ୍ୟକ୍ତି ଯିଏ କି ଆର୍ଯ୍ୟନ ଖାନ ସହ ସେଲଫି ନେଇ ଚର୍ଚ୍ଚାକୁ ଆସିଥିଲେ । ପୂର୍ବରୁ ସମୀର ଓ୍ବାଙ୍ଖେଡେ ସହ କିରଣ ଗୋସାଓ୍ବୀ ନଜର ଆସିଥିଲେ । ଯାହାକୁ ନେଇ ସମୀର ଓ୍ବାଙ୍ଖେଡେ ହିଁ ଲାଞ୍ଚ ନେଇ ଆର୍ଯ୍ୟନ ମାମଲାର ରଫାଦଫା କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ ହୋଇଛି ।

ପ୍ରଭାକର ଅଭିଯୋଗ କରିଛନ୍ତି ଯେ ଆର୍ଯ୍ୟନ ଖାନ ମାମଲାକୁ ନେଇ ୧୮ କୋଟି ଟଙ୍କାର ଡିଲ୍‌ ହୋଇଥିଲା । ଯେଉଁଥିରୁ ସିଂହ ଭାଗ ସମୀର ଓ୍ବାଙ୍ଖେଡେ ନେଇଥାନ୍ତେ । ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ବାବ ମଲୀକ ମଧ୍ୟ ସମୀର ଓ୍ବାଙ୍ଖେଡେ ମୋଟା ଅଙ୍କର ଟଙ୍କା ନେଇଥିବା ଅଭିଯୋଗ ଆଣିଥିଲେ । କିନ୍ତୁ ଏନ୍‌ସିବିର ଦବଙ୍ଗ ଅଫିସର କୁହାଯାଉଥିବା ସମୀର ଓ୍ବାଙ୍ଖେଡେ ସମସ୍ତ ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.