ବୁର୍ଲା ଭୀମ୍‌ସାରରେ ଏଚ୍‌ଆଇଭି ରୋଗୀଙ୍କ ଅସ୍ତ୍ରୋପଚାର ଘଟଣା : ଆଜି ରିପୋର୍ଟ ଦେବେ ତଦନ୍ତକାରୀ ଟିମ୍

Published By : Prameya-News7 Bureau | October 31, 2019 IST

ସମ୍ବଲପୁର ୩୧।୧୦: ବୁର୍ଲା ଭୀମସାରରେ ଏଚଆଇଭି ରୋଗୀଙ୍କ ଅସ୍ତ୍ରୋପ୍ରଚାର ଘଟଣାରେ ଆଜି ରିପୋର୍ଟ ଦେବ ତଦନ୍ତକାରୀ ଟିମ୍ । ତଦନ୍ତ ପାଇଁ ଗଠନ ହୋଇଥିବା ୫ ଜଣିଆ ଟିମ୍ ଆଜି ଅପରାହ୍ନରେ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ତଦନ୍ତ ରିପୋର୍ଟ ଦେବେ । ଗତକାଲି ଦନ୍ତଶଲ୍ୟ ବିଭାଗର ୩ ଜଣ ଷ୍ଟାଫ୍ଙ୍କୁ ପଚରାଉଚରା କରାଯାଇଥିଲା । ଆଜି ଆଉ କିଛି ଡାକ୍ତର ଓ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ।

ଦୁଇଟି ଦିଗକୁ ନେଇ ଟିମ୍ ତଦନ୍ତ କରୁଥିବା ଜଣାପଡୁଛି । ପ୍ରଥମତଃ ଦନ୍ତଶଲ୍ୟ ବିଭାଗ ମୁଖ୍ୟଙ୍କ ନିର୍ଦ୍ଦେଶକୁ ଅବମାନନା ଏବଂ ଦ୍ବିତୀୟରେ ଅସ୍ତ୍ରୋପ୍ରଚାର ସମୟରେ ସମସ୍ତ ପ୍ରୋଟୋକଲ୍ ପାଳନ କରାଯାଇଛି କି ନାହିଁ, ସେନେଇ ତଦନ୍ତ କରାଯାଉଛି । ତଦନ୍ତ ରିପୋର୍ଟ ସୁପରିଟେଣ୍ଡେଣ୍ଟଙ୍କ ହସ୍ତଗତ ହେବା ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ।

ଦୁର୍ଘଟଣାରେ ଆହତ ଜଣେ ଏଚଆଇଭି ସଂକ୍ରମିତ ରୋଗୀଙ୍କ ଅପରେସନ କରିଥିଲେ ପ୍ରଫେସର ଡାକ୍ତର ପ୍ରଶାନ୍ତ ସ୍ବାଇଁ । ଏହି ଅପରେସନ ପରେ କୌଣସି ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ନକରି ଅନ୍ୟ ୨ଜଣ ରୋଗୀଙ୍କ ଅପରେସନ କରାଯାଇଥିଲା । ତେଣୁ ଏଭଳି ଅସାବଧାନତା ଯୋଗୁଁ ଅପରେସନ କରିଥିବା ଡାକ୍ତର ଓ ତାଙ୍କର ସହଯୋଗୀଙ୍କ ସହ ଅପରେସନ ହୋଇଥିବା ୨ରୋଗୀଙ୍କୁ ଏଚଆଇଭି ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ସେପଟେ ଏଚଆଇଭି ସଂକ୍ରମିତ ରୋଗୀଙ୍କ ଅପରେସନ ପରେ ଏଥିରେ ବ୍ୟବହାର କରାଯାଇଥିବା ଉପକରଣଗୁଡ଼ିକୁ ବିଶୋଧନ ପାଇଁ ପଠାଯାଇଥିବା ଏବଂ ଏଥିରେ କୌଣସି ଭୁଲ୍ ହୋଇନଥିବା କହିଛନ୍ତି ଡାକ୍ତର ପ୍ରଶାନ୍ତ ସ୍ବାଇଁ । ଏହା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି ପାଲଟା ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.