ଅଶାନ୍ତ ମଣିପୁର: ପୁଣି ତେଜିଲା ହିଂସା, ଇଣ୍ଟରନେଟ୍ ବନ୍ଦ ଓ ସ୍କୁଲ୍‌ ଛୁଟି

Published By : Prameya-News7 Bureau | September 26, 2023 IST

ଇମ୍ଫାଲ: ମଣିପୁରରେ ହିଂସା ବନ୍ଦ ହେଉ ନାହିଁ। ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ହିଂସା ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଏକଥା ସ୍ୱୀକାର୍ଯ୍ୟ। ଇଣ୍ଟରନେଟ୍ ଖୋଲିବା ମାତ୍ରେ ହିଂସାମୂଳକ ଭିଡିଓ ଭାଇରାଲ୍ ହେଉଛି। ଫଳରେ ପୁଣି ହିଂସା ସୃଷ୍ଟି ହେଉଛି।

ଏବେ ପୁଣି ହିଂସା ବଢ଼ିଥିବା ବେଳେ ରାଜ୍ୟରେ ପୁଣିଥରେ ୫ ଦିନ ପାଇଁ ଇଣ୍ଟରନେଟ୍‌ ବନ୍ଦ କରାଯାଇଛି। ମଙ୍ଗଳବାର ବନ୍ଦ ହୋଇଥିବା ଇଣ୍ଟରନେଟ୍ ସେବା ଅକ୍ଟୋବର ୧ ରବିବାର ସନ୍ଧ୍ୟା ୭.୪୫ ମିନିଟ ପର୍ଯ୍ୟନ୍ଦ ରହିବ ବୋଲି ମଣିପୁର ସରକାର ସୂଚନା ଦେଇଛନ୍ତି। ହିଂସାର ପାଞ୍ଚମାସ ପରେ ରାଜ୍ୟରେ ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଥିଲା। ହେଲେ ପୁଣି ଉତ୍ତେଜନା ବଢ଼ିବା ପରେ ଇଣ୍ଟର୍‌ନେଟ୍ ବନ୍ଦ କରାଯାଇଛି।

ଏଥିସହିତ ରାଜ୍ୟର ସମସ୍ତ ବିଦ୍ୟାଳୟ ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ବୁଧବାର (୨୭ ସେପ୍ଟେମ୍ବର) ଏବଂ ୨୯ ସେପ୍ଟେମ୍ବର (ଶୁକ୍ରବାର)ରେ ସ୍କୁଲ ଛୁଟି ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ୨୮ ସେପ୍ଟେମ୍ବର (ଗୁରୁବାର) ଇଦ୍-ଇ-ମିଲାଦ କାରଣରୁ ଏକ ସରକାରୀ ଛୁଟି ବି ରହିଛି।

ପୁଣି କାହିଁକି ଉତ୍ତେଜେନା ?
ସୂଚନା ଅନୁସାରେ, ଗତ ଜୁଲାଇ ମାସରୁ ନିଖୋଜ ଥିବା ଦୁଇ ଛାତ୍ରଙ୍କ ମୃତଦେହର ଫଟୋ ସୋମବାର (ସେପ୍ଟେମ୍ବର ୨୫) ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ଇମ୍ଫାଲରେ ଅବସ୍ଥିତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠି ଚାର୍ଜ କରିଥିଲା। ଏଥିରେ ୩୦ରୁ ଅଧିକ ଛାତ୍ର ଆହତ ହୋଇଥିଲେ। ଫଳରେ ରାଜ୍ୟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି।

ସୂଚନା ଥାଉକି, ମଣିପୁରରେ ଦୁଇ ସମ୍ପ୍ରଦାୟ(କୁକୁ ମୈତେଇ) ମଧ୍ୟରେ ହିଂସା ମେ ୩ ତାରିଖରୁ ହିଂସା ଆରମ୍ଭ ହୋଇଛି ଏପର୍ଯ୍ୟନ୍ତ ଜାରି ରହିଛି। ମୈତେଇଙ୍କ ଏସ୍‌ଟି କୋଟାକୁ ବିରୋଧ କରି ଆରମ୍ଭ ହୋଇଥିବା ହିଂସା ଏପର୍ଯ୍ୟନ୍ତ ମଣିପୁରରେ ୧୭୫ ଲୋକଙ୍କ ଜୀବନ ନେଲାଣି। ହିଂସା ଆରମ୍ଭ ପରଠାରୁ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଯାଇସାରିଛି। ହେଲେ ହିଂସା ଥମିବାର ନାଁ ନେଉ ନାହିଁ। ହିଂସାରେ ଲୋକଙ୍କ ମୃତ୍ୟୁ ହେବା ସହ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ଜଘନ୍ୟ ଅପରାଧ ମାମଲାର ମଧ୍ୟ ସିବିଆଇ ତଦନ୍ତ କରୁଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.