ନୂଆଦିଲ୍ଲୀ: ମଣିପୁର ସରକାର ରାଜ୍ୟରେ ବିଗୁଡ଼ୁଥିବା ଆଇନ-ବ୍ୟବସ୍ଥାକୁ ନଜରରେ ରଖି ୫ ଦିନ ଯାଏ ଇଣ୍ଟରନେଣ୍ଟ ବନ୍ଦ ପାଇଁ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଆଶଂକା ଯେ ଅସାମାଜିକ ଲୋକ ସୋସିଆଲ୍ ମିଡିଆକୁ ବ୍ୟବହାର କରି ଘୃଣା ସୃଷ୍ଟିକାରୀ ସନ୍ଦେଶ ଏବଂ ଫଟୋ ପ୍ରସାରଣ କରିପାରନ୍ତି । ଏହାରି ଭିତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନେଇ ସରକାର ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।
ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ଜାରି ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ ସୋସିଆଲ୍ ମିଡିଆ ଏବଂ ମ୍ୟାସେଜିଂ ସେବା ଜରିଆରେ ଘୃଣା ସୃଷ୍ଟିକାରୀ ସନ୍ଦେଶ ଏବଂ ଫଟୋ ପ୍ରସାରଣ ଦ୍ୱାରା ରାଜ୍ୟରେ ଶାନ୍ତି ଏବଂ ସଦଭାବନା ପାଇଁ ବିପଦ ହୋଇପାରେ । ଏହି ସ୍ଥିତିକୁ ଦେଖି ଇଣ୍ଟରନେଟ୍ ଏବଂ ମୋବାଇଲ୍ ଡାଟା ସେବାକୁ ସେପ୍ଟେମ୍ୱର ୧୦ ଅପରାହ୍ଣ ୩ଟାରୁ ସେପ୍ଟେମ୍ୱର ୧୫ ଦିନ ୩ଟା ଯାଏ ବନ୍ଦ ରଖିବାକୁ ଆଦେଶ ଦିଆଯାଇଛି ।
ମଙ୍ଗଳବାର ସଂଧ୍ୟାରେ ରାଜ୍ୟ ସରକାର ଏକ ନୂଆ ଆଦେଶରେ ସମସ୍ତ ସ୍କୁଲ ଏବଂ କଲେଜ ଗୁରୁବାର ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଆଦେଶରେ କୁହାଯାଇଛି ଯେ ଛାତ୍ର ଆନ୍ଦୋଳନ ଏବଂ ବାହାର ଆକ୍ରମଣକାରୀଙ୍କ ବିରୋଧରେ ଆକ୍ସନ ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
ସେପଟେ କେନ୍ଦ୍ର ସରକାର ମଣିପୁରରେ ସୁରକ୍ଷା ପାଇଁ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ)ର ଦୁଇ ନୂଆ ବାଟାଲିୟନ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ବାଟାଲିୟନରେ ପ୍ରାୟ ୨ ହଜାର ଯବାନ ରହିବେ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବାଟାଲିୟନ ସଂଖ୍ୟା-୫୮କୁ ୱାରଙ୍ଗଲ (ତେଲଙ୍ଗାନା)ରୁ, ବାଟାଲିୟନ ସଂଖ୍ୟା-୧୧୨କୁ ଲାତେହାର (ଝାଡ଼ଖଣ୍ଡ)ରୁ ପଠାଯାଇଛି ।