ପୁରୀରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳିତ; ଶ୍ରେଷ୍ଠ ସିଡିପିଓ, ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀ ସମ୍ବର୍ଦ୍ଧିତ

Published By : Prameya-News7 Bureau | March 08, 2022 IST

ପୁରୀ ୦୮/୦୩ : ସ୍ଥାନୀୟ ସଦଭାବନା ସଭାଗୃହରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଛି। ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦିବସ ପାଳିତ ହୋଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ ଚଳିତ ବର୍ଷର ଆଲୋଚ୍ୟ ପ୍ରସଙ୍ଗ "ଆଜିର ଲିଙ୍ଗଗତ ସମାନତା କାଲିର ସୁରକ୍ଷା କବଚ" ଉପରେ ଆଲୋଚନା କରିଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ନିଜର ପାରଦର୍ଶିତା ପ୍ରତିପାଦିତ କରିଛନ୍ତି । ମହିଳାଙ୍କୁ ପୁରୁଷଙ୍କ ଭଳି ସମାନ ଗୁରୁତ୍ବ ଦିଆଗଲେ ଅନେକ ସାମାଜିକ ସମସ୍ୟାର ସମାଧାନ ହୋଇପାରିବ । ଏଥିପାଇଁ ମାନସିକ ସ୍ତରରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏହାଦ୍ବାରା ଭବିଷ୍ୟତ ସୁରକ୍ଷିତ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିଭଳି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ଓ ଅତିରକ୍ତ ଆରକ୍ଷୀ ଅଧିକ୍ଷକ ମନୋବ୍ରତା ଶତପଥି କନ୍ୟା ସନ୍ତାନମାନଙ୍କୁ ଉଚ୍ଚତର ଓ ଉନ୍ନତ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀ ବିଜୟ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଶ୍ରେଷ୍ଠ ସିଡିପିଓ, ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀ, ସ୍ବୟଂସହାୟକ ଗୋଷ୍ଠୀକୁ ସମ୍ବର୍ଦ୍ଧିତକରାଯାଇଛି। ଆନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଇଁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ସହ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକର ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.