scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାଲ୍ୟ ବିବାହ ରୋକିବାକୁ କିଶୋରୀ ଚମ୍ପିଆନଙ୍କ ସହ ଆନ୍ତର୍ଜାତୀୟ ପରିଦର୍ଶନକଙ୍କ ଆଲୋଚନା

3/11/2022 at 9:07 PM

ଭୁବନେଶ୍ୱର ୦୩/୧୧: ବାଲ୍ୟ ବିବାହ ରୋକିବାକୁ ନେଇ ବୈଶ୍ୱିକ କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା ଆସିଥିବା ବିଭିନ୍ନ ଦେଶର ପ୍ରତିନିଧିମାନଙ୍କ ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଳାର କିଶୋରୀ ଚମ୍ପିଆନମାନେ ଆଲୋଚନା କରିଛନ୍ତି। ୨୦ ଜଣ ବାଳିକା ଆନ୍ତର୍ଜାତୀୟ ପରିଦର୍ଶନକଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅନେକ କିପରି ଉପଯୁକ୍ତ ବୟସ ପୂର୍ବରୁ ପରିବାର ଲୋକଙ୍କ ଦ୍ୱାରା ବିବାହ ପାଇଁ ଦିଆଯାଉଥିବା ଚାପକୁ ବିରୋଧ କରିବାର ସାହସ ଏବଂ ନିଷ୍ଠାର କାହାଣୀ ବର୍ଣ୍ଣନା କରିଥିଲେ। ଗ୍ଲୋବାଲ ଆଫାୟାର୍ସ୍ କାନାଡ଼ାର ଉପ ନିର୍ଦ୍ଦେଶିକା ଇସାବେଲୀ ସୋଲୋନ ହେଲାଲ, ୟୁକେ (ଏଫ୍‌ସିଡ଼ିଓ)ର ଶିଶୁ ସୁରକ୍ଷା ଏବଂ ବାଲ୍ୟ ବିବାହ ମୁଖ୍ୟ ଆଲି ହେନଡ଼ି, ନୋରାଡ଼ର ଲିଙ୍ଗଗତ ସମାନତାର ସହାୟିକା ନିର୍ଦ୍ଦେଶିକା ରୀତିକା ଧଳ, ନରୱେ ରାଜନୈତିକ ବିଭାଗର ମୁଖ୍ୟ ବିଏଟି ଗ୍ରାବିଏଲସେନ୍‌, ନେଦରଲ୍ୟାଣ୍ଡ ଦୂତାବାସ ଏସ୍‌ଏଚ୍‌ଏସ୍‌ଆର୍‌ର ବରିଷ୍ଠ ନୀତି ପରାମର୍ଶଦାତ୍ରୀ ମିକେ ଭୋଗେଲ୍ସ, ଜୋଣ୍ଟା ଇଣ୍ଟରନେସନାଲର ପ୍ରେସିଡ଼େଣ୍ଟ୍ ଉଟେ ସ୍କୋଲଜ ଏବଂ ବାଲ୍ୟ ବିବାହ ରୋକିବାକୁ ଗଠିତ ଆନ୍ତର୍ଜାତୀୟ ଷ୍ଟିଅରିଂ କମିଟିରେ ଥିବା ୟୁନିସେଫ୍ ଓ ୟୁଏନ୍‌ଏଫ୍‌ପିଏର କର୍ମକତ୍ତାମାନଙ୍କର ଏକ ଦଳ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଏହି ବୈଶ୍ୱିକ କାର୍ଯ୍ୟକ୍ରମ କିଶୋରୀମାନଙ୍କୁ ବାଲ୍ୟ ତଥା ଶୀଘ୍ର ଓ ବଳପୂର୍ବକ ବିବାହ ଏବଂ ଗର୍ଭଧାରଣ ସମ୍ପର୍କିତ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରିବା ସହିତ ଶିକ୍ଷା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କର ଲକ୍ଷ୍ୟକୁ ହାସଲ କରିବାରେ ସକ୍ଷମ କରେ। ଆହୁରି ମଧ୍ୟ ଏହି କାର୍ଯ୍ୟକ୍ରମ ସକରାତ୍ମକ ମନୋଭାବ ଥିବା ପରିବାରଗୁଡ଼ିକୁ ସମର୍ଥନ କରିବା ସହିତ ଝିଅମାନଙ୍କୁ ଭବିଷ୍ୟତ ପାଇଁ ସଶକ୍ତ କରିବା ଏବଂ ସେମାନଙ୍କୁ ଦୃଢ଼ କରିବାରେ ସକ୍ଷମ କରିଥାଏ। କିଶୋରୀମାନେ ସେମାନଙ୍କର ସାହସର କାହାଣୀ ବର୍ଣ୍ଣନା କରିବା ସହିତ ପରିଦର୍ଶକମାନଙ୍କୁ ମଧ୍ୟ ପ୍ରଶ୍ନ ପଚାରିଥିଲେ। ନବରଙ୍ଗପୁରର ମାଳତୀ ପୂଜାରୀ କହିଥିଲେ, “ମୁଁ ୧୫ ବର୍ଷ ବୟସର ହୋଇଥିବା ବେଳେ ମାତାପିତା ମୋର ବିବାହ କରିବାକୁ ଚାହୁଁଥିଲେ। ମୁଁ ମନା କରିବାର ପରିଣାମ ବିଷୟରେ ଭୟଭୀତ ଥିଲି। କିନ୍ତୁ, ମୁଁ ଅଙ୍ଗନୱାଡ଼ି ଦିଦିଙ୍କ ସହିତ କଥା ହେଲି ଏବଂ ଉଭୟ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ଭେଟିଲୁ, ଫଳରେ ସେମାନେ ମୋର ମାତାପିତାଙ୍କୁ ମୋର ଶୀଘ୍ର ବିବାହ ନକରାଇବାକୁ ମନାଇଥିଲେ। ସେମାନେ ମୋତେ ଔଦ୍ୟୋଗିକ ପ୍ରଶିକ୍ଷଣ କେନ୍ଦ୍ରରେ ସିଲାଇ ତାଲିମ ଗ୍ରହଣ କରିବାରେ ସାହାଯ୍ୟ କରିଥିଲେ। ଆଜି ମୁଁ ମାସିକ ୮୦୦୦ ଟଙ୍କା ଉପାର୍ଜନ କରୁଛି ଏବଂ ମୋ ପରିବାରକୁ ଆର୍ଥିକ ସହଯୋଗ ଯୋଗାଉଛି।”

କନ୍ଧମାଳର ୧୬ ବର୍ଷୀୟ ସୁପ୍ରଭା ଶୁଭଦର୍ଶିନୀ ବେହେରା ଇଲେକ୍ଟ୍ରିସିଆନ ଭାବେ ତାଲିମ ନେଉଛନ୍ତି। ମାଳତୀଙ୍କ ପରି ତାଙ୍କ ବିବାହ ମଧ୍ୟ ଏହି ବର୍ଷ ଜୁଲାଇ ମାସରେ ସ୍ଥିର ହୋଇଥିଲା। ସେ ମଧ୍ୟ ଅଙ୍ଗନୱାଡ଼ି ଦିଦିଙ୍କୁ ଏହି ବିଷୟରେ କହିବାରୁ ଦିଦିଙ୍କ ହସ୍ତକ୍ଷେପ ଦ୍ୱାରା ତାଙ୍କ ବିବାହ ସ୍ଥଗିତ ହୋଇଥିଲା। ଏମାନଙ୍କ ପରି ରାଜ୍ୟରେ ଥିବା ଅନେକ ବାଳିକା ଆଡ଼ଭିକା ଦ୍ୱାରା ଉପକୃତ ହେବା ସହିତ ଅଙ୍ଗନୱାଡ଼ି କେନ୍ଦ୍ରରେ ହେଉଥିବା ସାପ୍ତାହିକ ସମ୍ମିଳନୀ ମାଧ୍ୟମରେ ଜୀବନ ବଞ୍ଚାଇବାର କୌଶଳ ସମ୍ପର୍କରେ ଶିକ୍ଷାଲାଭ କରୁଛନ୍ତି। ପାଶ୍ଚାତ୍ୟ ଦେଶରେ ଥିବା ଲିଙ୍ଗଗତ ଅସମାନତା ସମ୍ପର୍କରେ ବାଳିକାମାନେ ଏହି ଦଳକୁ ପ୍ରଶ୍ନ କରିବା ସହିତ ଅନ୍ୟ ଦେଶରେ ଶିକ୍ଷାର ସଫଳତା ଏବଂ ବିବାହର ଉପଯୁକ୍ତ ବୟସ ବିଷୟରେ ମଧ୍ୟ ପ୍ରଶ୍ନ କରିଥିଲେ। “ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଜଣେ ନିଜ ଅଭିଜ୍ଞତାରୁ ଅନେକ କିଛି ଶିଖିଥାଏ” ବୋଲି ଗ୍ଲୋବାଲ ଆଫାୟାର୍ସ୍ କାନାଡ଼ାର ଉପ ନିର୍ଦ୍ଦେଶିକା ଇସାବେଲୀ ସୋଲୋନ ହେଲାଲ କହିଥିଲେ । ଆହୁରି ମଧ୍ୟ ସେ କହିଥିଲେ ପିଲାମାନେ ସେମାନଙ୍କ ଗୋଷ୍ଠୀରେ ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରିପାରିବା ସହିତ ନୂତନ କୌଶଳ ମଧ୍ୟ ଶିଖିପାରିବେ, ଯାହା ବିଦ୍ୟାଳୟ କିମ୍ବା କଲେଜ ମାଧ୍ୟମରେ ହୋଇପାରିବ ନାହିଁ।

ଓଡ଼ିଶାରେ ୟୁନିସେଫ୍ ଏବଂ ୟୁଏନ୍‌ଏଫ୍‌ପିଏ ଜିପିଇଏମ୍‌ସିର ସମର୍ଥନରେ କିଶୋରୀମାନଙ୍କୁ ଜୀବନଶୈଳୀ କୌଶଳ ପ୍ରଦାନ କରିବା, ଯୌନ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସାମଗ୍ରିକ ସୁସ୍ଥତାକୁ ସୁଦୃଢ଼ କରିବା ଏବଂ ବାଲ୍ୟ ବିବାହକୁ ରୋକିବାକୁ ସରକାରୀ ବ୍ୟବସ୍ଥାକୁ ଅଧିକ ଦକ୍ଷ କରିବା ଏବଂ ଦକ୍ଷତା ଲିଙ୍କେଜ ସହିତ ଜୀବିକା ସୁଯୋଗ ସୃଷ୍ଟି କରିବା  ପାଇଁ ୩୦ଟି ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି। ଏହି କାର୍ଯ୍ୟକ୍ରମ ବାଳିକାମାନଙ୍କୁ ସଶକ୍ତ କରିବା ସହିତ ବାଳକ ଓ ବାଳିକାଙ୍କୁ ସମାନ ସୁଯୋଗ ପ୍ରଦାନ ଦେବା ପାଇଁ  ସକରାତ୍ମକ ଆଚରଣ ପରିବର୍ତ୍ତନ ଏବଂ ସାମାଜିକ ଆଦର୍ଶକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ।

   Related Posts