ପୁରୀରେ ଅନୁଷ୍ଠିତ ହେବ "ଆନ୍ତ‍ଃବିଦ୍ୟାଳୟ ବାଳକ ଓ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ", ସାମିଲ୍ ହେବେ ୧୮ଟି ଦଳ

Published By : Prameya-News7 Bureau | October 11, 2022 IST

ପୁରୀ: ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଆସନ୍ତାକାଲି ଠାରୁ ଜିଲ୍ଲା "ଆନ୍ତ‍ଃବିଦ୍ୟାଳୟ ବାଳକ ଓ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ" ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମେ ପୁରୀ ଜିଲ୍ଲାର ସମସ୍ତ ବ୍ଲକ୍ ମାନଙ୍କରେ ବ୍ଲକ ସ୍ତରୀୟ ଫୁଟବଲ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବଛା ବଛା ଖେଳାଳିଙ୍କୁ ନେଇ ଗୋଟିଏ ଲେଖାଏଁ ଟିମ୍ ଗଠନ କରାଯାଇଛି। ଏଥିରେ ୧୧ ଟି ବ୍ଲକ ଓ ପୁରୀ ମ୍ୟୁନିସିପାଲିଟିର ସମୁଦାୟ ୧୨ଟି ବାଳକ ଓ ୬ ଟି ବାଳିକା ଟିମକୁ ମିଶାଇ ସମୁଦାୟ ୧୮ ଟି ଟିମ୍ ଗଠନ କରାଯାଇଛି।

ଏଥିରେ ଜିଲ୍ଲାର ୧୮୦ ଜଣ ବାଳକ ଓ ୯୦ ଜଣ ବାଳିକା ଅଂଶଗ୍ରହଣ କରିବେ। ଏହାକୁ ୩୫ ଜଣ ବରିଷ୍ଠ କ୍ରୀଡା ଶିକ୍ଷକ ପରିଚାଳନା କରିବେ। ଫୁଟବଲ ଖେଳକୁ ଜନ ଆଦୃତ କରିବା ପାଇଁ ଆସନ୍ତାକାଲି ସକାଳ ୧୦ଟା ସମୟରେ କ୍ରୀଡାବିତ୍ ମାନଙ୍କ ଦ୍ବାରା ଶ୍ରୀମନ୍ଦିର ଠାରୁ ବାହାରି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏକ ମଶାଲ ଶୋଭାଯାତ୍ରା ବାହାରିବ। ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଓ ଜୀବନ ବିନ୍ଦୁ ସଂଯୋଜକ ଶୁଭାଶିଷ ଖୁଣ୍ଟିଆ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ଏହି ପ୍ରତିଯୋଗିତା ୬ ଦିନ ଧରି ଚାଲିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.