ଗ୍ରାମ୍ୟ ବ୍ୟାଙ୍କ୍ରୁ ଡକାୟତି ଘଟଣାର ପର୍ଦ୍ଦାଫାସ; ଆନ୍ତଃଜିଲ୍ଲା ଡକାୟତି ରାକେଟ ଠାବ, ୯ ଅଭିଯୁକ୍ତ ଗିରଫ
9/02/2023 at 5:25 PM

ଢେଙ୍କାନାଳ ୦୯/୦୨: ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଘଟଣାରେ ପୋଲିସକୁ ମିଳିଛି ସଫଳତା। ଏହି ଲୁଟ୍ରେ ସମ୍ପୃକ୍ତ ଆନ୍ତଃଜିଲ୍ଲା ଡକାୟତି ରାକେଟ ଠାବ କରିଛି ପୁଲିସ। ଏହି ଅଭିଯୋଗରେ ୯ ଜଣଙ୍କୁ ଗିରଫ କରାଇଛି। ସେମାନଙ୍କ ଠାରୁ ୫ଟି ବାଇକ, ଗୋଟିଏ ବୋଲେରୋ ସହ ୩ଟି ବନ୍ଧୁକ, ୧୧ଟି ଜୀବନ୍ତ ଗୁଳି ଜବତ କରାଯାଇଛି।
କେବଳ ସେତିକି ନୁହେଁ ଅପରାଧିଙ୍କ ଠାରୁ ୪ଲକ୍ଷ ୩୨ହଜାର ଟଙ୍କା ଓ ୬କେଜି ୧୨୦ ଗ୍ରାମ ସୁନା ଗହଣା ପୋଲିସ ଜବତ କରିଛି। ସୂଚନାଥାଉକି, ଗତ ୩ ତାରିଖ ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଲୁଟେରାମାନେ ୫୨୮ ପ୍ୟାକେଟ ସୁନା ଗହଣା ଓ ୬ଲକ୍ଷ ୪୦ହଜାର ଟଙ୍କା ଲୁଟିନେଥିଲେ। ସେପଟେ ପରଜଙ୍ଗ ଥାନାର ଦୁଇଟି ଡକାୟତି ମାମଲାରେ ଏହି ଲୁଟେରାମାନେ ସଂପୃକ୍ତ ଥିବା ଜଣାପଡ଼ିଛି।

ଏହି ଡାକାୟତି ଘଟଣାରେ ପୋଲିସ ଢେଙ୍କାନାଲ ଅନୁଗୁଳ ଓ ତାଳଚେର ଇତ୍ୟାଦି ରାଜ୍ୟର ବିଭିନ୍ନ ଜାଗାରେ ଚଢ଼ାଉ କରି ଏକ ଲୁଟେରା ଗ୍ୟାଙ୍ଗର ୯ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା ଲୁଟେରା ଥିବା ଜଣାପଡିଛି। ଉଦ୍ଧାର ସୁନା ଅଲଙ୍କାରର ମୂଲ୍ୟ ସାଢ଼େ ୩କୋଟି ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ମାନଙ୍କ ମଧ୍ୟରେ ପରଜଙ୍ଗ କନ୍ଦରସିଂ ହା ଗାଁର ଜିତେନ୍ଦ୍ର ପ୍ରଧାନ ହୋଇଥିବା ବେଳେ ଅନୁଗୁଳ ବନରପାଳ, ବିକ୍ରମପୁର, ଠାକୁରଗଡ଼ ର ୮ଜଣ ବୋଲି ଜଣାପଡିଛି।
ତେବେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କ ତତ୍ୱବାଧାନରେ ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଥିଲେ। ଏଥିରେ ବଛାବଛା ପୋଲିସ ଅଧିକାରୀଙ୍କୁ ରଖାଯାଇଥିଲା। ଏହି ବ୍ୟାଙ୍କ ଲୁଟ ଘଟଣାରେ ସିସିଟିଭି ଫୁଟେଜ ଆଧାରରେ ବିଭିନ୍ନ ଜାଗାରେ ଚଢ଼ଉ ପରେ ଏହି ଲୁଟେରା ଗ୍ୟାଙ୍ଗକୁ ଠାବ କରାଯାଇଛି ବୋଲି ସାମ୍ୱାଦିକ ସମ୍ମିଳନୀରେ ଡ଼ିଆଇଜି ଜଣାଇଛନ୍ତି।