ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ୍ ଗିରଫ; ଲୁଟ୍ ଟଙ୍କା ସହିତ ବହୁ ସୁନା ଓ ରୁପା ଅଳଙ୍କାର ଜବତ
17/02/2023 at 5:58 PM

ଚଣ୍ଡିଖୋଲ ୧୭/୦୨: ବନ୍ତଳା ଚୋରି ମାମଲାରେ ଅଭିଯୁକ୍ତ ଗ୍ୟାଙ୍ଗ୍କୁ ଧରିବାରେ ପୋଲିସ୍ ସଫଳ ହୋଇଛି। ଏନେଇ ଯାଜପୁର ରୋଡ ଏସଡିପିଓ ଜଞ୍ଜୟ ପଟ୍ଟନାୟକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଡକାୟତମାନଙ୍କ ଠାରୁ ୨୫ ହାଜର ଟଙ୍କା, ବହୁ ସୁନା ଓ ରୁପା ଅଳଙ୍କାର ୫ଟି ପିତଳ ମୂର୍ତ୍ତି ଓ ଘଣ୍ଟି , ୨ଟି ଘୋଡ଼ା ଓ ହାତୀର ମୂର୍ତ୍ତୀ, ୫ଟି ମୋବାଇଲ, ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଅଭିଯୁକ୍ତମାନଙ୍କ ପରିଚୟ ବଚନ ପ୍ରଧାନ(୨୫), ରାଜୁ ପ୍ରଧାନ (୩୦), ଚନ୍ଦନ ପ୍ରଧାନ (୨୩), ଅଭି ଦାସବୟସ (୩୩), କୁମ୍ପା ପ୍ରଧାନ (୨୫)। ସେମାନେ ସମସ୍ତେ ଉପୁଳା କେଳା ସାହିର ବାସିନ୍ଦା ହୋଇଥିବା ବେଳେ ଅଭିଯୁକ୍ତ ଝରିଆ ପ୍ରଧାନ (୪୫) ଖୋର୍ଦ୍ଧା ଜିଲ୍ଲାର ବାସିନ୍ଦା।

ଖବର ଅନୁସାରେ, ଗତ ୧୪ ତାରିଖ ରାତିରେ ବଇରୀ ଥାନା ବନ୍ତଳା ଗାଁର ଅଜୟ ସିଂହଙ୍କ ଘରୁ ଡକାୟତମାନେ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ। ସକାଳୁ ବଇରୀ ଥାନାରେ ଏନେଇ ଅଜୟ ସିଂ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ବଇରୀ ପୋଲିସ ସନ୍ଧାନୀ କୁକୁର ମାଧ୍ୟମରେ ତଦନ୍ତ କରିଥିଲା ସନ୍ଧନୀ କୁକୁର ସେଠାରୁ ଉପୁଳା ହାଇ ଲେବୁଲ୍ କେନାଲ ପାଖ କେଳା ବସ୍ତିରେ ପହଞ୍ଚି ଥିଲା। ପରେ ବଇରୀ ପୋଲିସ କେଳା ବସ୍ତିରେ ଖୋଲତାଡ଼ କରି ୭ ଚୋରଙ୍କୁ ଧରିବାରେ ସଫଳ ହୋଇଛି। ଏହି ଡକାୟତମାନଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି।