ଅସହାୟ ଜାଡରେ ଥରୁଛି ଫୁଲବାଣୀ ସମେତ ପୁରା କନ୍ଧମାଳ
27/11/2018 at 5:01 PM

କନ୍ଧମାଳ ୨୭|୧୧: ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଆଜି ବି ଶୀତର ଲହରୀ ଜାରି ରହିଛି। ଆଜି ଫୁଲବାଣୀରେ ତାପମାତ୍ରା ୭.୮ ଡିଗ୍ରୀ ସେଲସିୟସ ଥିବାବେଳେ ଦାରିଙ୍ଗବାଡିରେ ତାପମାତ୍ରା ୮.୨ ଡିଗ୍ରୀ ସେଲସିୟସକୁ ଖସିଆସିଛି। ସୋମବାର ଫୁଲବାଣୀରେ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରହିଥିବାବେଳେ ଦାରିଙ୍ଗବାଡିରେ ତାପମାତ୍ରା ୯.୨ ଡିଗ୍ରୀ ସେଲସିୟସ ଥିଲା। ତାପମାତ୍ରା ଦିନକୁ ଦିନ ଖସୁଥିବାରୁ ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ପ୍ରବଳ ଶୀତ ଯୋଗୁଁ ଜନଜୀବନ ପ୍ରଭାବିତ ହେଉଛି। ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳି ନିଆଁ ପାଖରେ ବସି ରହୁଛନ୍ତି। ଜିଲ୍ଲାର ବାଲିଗୁଡା, ତୁମୁଡିବନ୍ଧ, ବେଲଘର, ଜି.ଉଦୟଗିରି, କୋଟଗଡ, ଟିକାବାଲି, ଚକାପାଦ, ଖଜୁରୀପଡା, ଫିରିଙ୍ଗିଆ, ରାଇକିଆ ଆଦି ବ୍ଲକର ଆଭ୍ୟାନ୍ତରୀଣ ଅଞ୍ଚଳ ଗୁଡିକରେ ତାପମାତ୍ରା ବହୁତ କମ୍ ରହୁଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପଟେ ଶୀତର ମଜା ନେବା ପାଇଁ ସହରିଆ ବାବୁମାନେ ମର୍ଣ୍ଣିଂ ଓ୍ବାକ୍ ଆଉ ଏକ୍ସରସାଇଜ କରି ନିଜକୁ ଫିଟ୍ ରଖୁଛନ୍ତି। ଥଣ୍ଡା ଯୋଗୁଁ ଚା ଦୋକାନ ଗୁଡିକରେ ପ୍ରବଳ ଭିଡ ଜମୁଛି। ଶୀତବସ୍ତ୍ରର ମଧ୍ୟ ଚାହିଦା ବଢିବାରେ ଲାଗିଛି। ସକାଳ ୮ଟା ଯାଏଁ ଫୁଲବାଣୀ ସମେତ ଅନ୍ୟାନ୍ୟ ଅଂଚଳରେ ଆଜି ବି ଘନ କୁହୁଡି ଦେଖିବାକୁ ମିଳିଥିଲା। ହାଲକା ଥଣ୍ଡା ସାଙ୍ଗକୁ ପ୍ରାକୃତିକ ମନୋରମ ପରିବେଶକୁ ମନଭରି ଉପଭୋଗ କରିବା ଲାଗି ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କ ଜିଲ୍ଲାକୁ ସୁଅ ଛୁଟୁଛି।