ନୂଆଦିଲ୍ଲୀ: ପରାଧୀନତା ସମୟ, ବ୍ରିଟିଶଙ୍କ ଶାସନ । ଇଂରେଜ ଇଂଲଣ୍ଡରୁ ଜୀବନ ବୀମା କନସେପ୍ଟ ଧରି ଭାରତ ଆସିଥିଲେ । କିନ୍ତୁ ଭାରତୀୟଙ୍କ ବୀମା କରୁ ନଥିଲେ । ଦେଶ ସ୍ୱାଧୀନ ହେବା ପରେ, ୧୯୫୬ ଜାନୁଆରୀରେ ସରକାର ଦେଶରେ କାମ କରୁଥିବା ୨୪୫ ବୀମା କମ୍ପାନିର ରାଷ୍ଟ୍ରୀୟକରଣ କଲେ । ଏବେ ସୁଦ୍ଧା ଏହା ଏକ ସଂଗଠନ ଅଧିନରେ କାମ କରୁନଥିଲା । ପରେ ୧୯୫୬ ଜୁନ୍ ୧୯ରେ ଏଲ୍ଆଇସି ଆକ୍ଟ ପାରିତ ହେଲା । ଏହି ଆକ୍ଟ ଆଧିନରେ ଜୀବନ ବୀମା ନିଗମ ଅର୍ଥାତ୍ ଏଲଆଇସିର ଗଠନ ହେଲା । ଏହାସହ ଭାରତରେ ଜୀବନ ବୀମା ନିଗମର ପୂରା ଦୃଶ୍ୟପଟ ବଦଳିଗଲା ।
ଆଧୁନିକ ଭାବେ ଜୀବନ ବୀମାକୁ ୧୮୧୮ ମସିହାରେ ଇଂରେଜ ଭାରତକୁ ଆଣିଥିଲେ । ଭାରତରେ ଇଂରେଜଙ୍କ ଦ୍ୱାରା ପ୍ରଥମ କମ୍ପାନି ଓରିଅଣ୍ଟେଲ ଲାଇଫ୍ ଇନ୍ୟୁରାନ୍ସ କମ୍ପାନି ସର୍ବପ୍ରଥମେ କୋଲକାତାରେ ଆରମ୍ଭ ହୋଇଥିଲା । ପରେ ଆହୁରି ଅନେକ କମ୍ପାନି ଆରମ୍ଭ କରାଗଲା । କିନ୍ତୁ କେବଳ ୟୁରୋପୀୟ ଲୋକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖାଗଲା ଏବଂ ଭାରତୀୟଙ୍କ ବୀମା କରାଗଲା ନାହିଁ ।
ପରେ ବାବୁ ମୁତିଲାଲ ସିଲ ପରି କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଉଦ୍ୟମରେ ବିଦେଶୀ ଜୀବନ ବୀମା କମ୍ପାନିମାନେ ଭାରତୀୟଙ୍କ ବୀମା କରିବା ଆରମ୍ଭ କଲେ । କିନ୍ତୁ ସେମାନେ ଭାରତୀୟଙ୍କ ଜୀବନକୁ ଉପ-ମାନକ (ସବ୍-ଷ୍ଟାଣ୍ଡାର୍ଡ) ଭାବେ ବିବେଚନା କରି ବିପୁଳ ଅତିରିକ୍ତ ପ୍ରିମିୟମ ଆଦାୟ କଲେ । ୧୮୭୦ ମସିହାରେ, ବମ୍ବେ ମ୍ୟୁଚୁଆଲ୍ ଲାଇଫ୍ ଆସୁରାନ୍ସ ସୋସାଇଟି ପ୍ରଥମ ଭାରତୀୟ ଜୀବନ ବୀମା କମ୍ପାନି ଆରମ୍ଭ କରି ଭାରତୀୟଙ୍କୁ ସୁଲଭ ହାରରେ ବୀମା ପାଇବା ଦେବା ଆରମ୍ଭ କଲା । ରାଷ୍ଟ୍ରବାଦୀ ବିଚାରଧାରା ସହ ୧୮୯୬ରେ ଏକ କମ୍ପାନି ଆରମ୍ଭ ହୋଇଥିଲା, ଯାହାର ନାଁ ଥିଲା ଭାରତ ଇନସ୍ୟୁରାନ୍ସ କମ୍ପାନି ।
୧୯୦୫ ରୁ ୧୯୦୭ ମଧ୍ୟରେ ସ୍ୱଦେଶୀ ଆନ୍ଦୋଳନ ବେଳେ ଆହୁରି ଅନେକ ବୀମା କମ୍ପାନି ଆରମ୍ଭ ହେଲା । ମାଡ୍ରାସରେ ଦ ୟୁନାଇଟେଡ୍ ଇଣ୍ଡିଆ, କଲିକତାରେ ନ୍ୟାସନାଲ ଇଣ୍ଡିଆନ ଏବଂ ନ୍ୟାସନାଲ ଇନ୍ସୋରାନ୍ସ ଏବଂ ଲାହୋରରେ କୋଅପରେଟିଭ୍ ଆସୋରାନ୍ସ ଆରମ୍ଭ ହୁଏ । ୧୯୦୭ ମସିହାରେ ହିନ୍ଦୁସ୍ତାନ କୋଅପରେଟିଭ୍ ଇନସ୍ୟୁରାନ୍ସ କମ୍ପାନୀ କଲିକତାର ଜୋରାସାନଙ୍କୁରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଏକ ଛୋଟିଆ ରୁମରୁ ଆରମ୍ଭ ହେଲା । ଏତିକି ବେଳକୁ ଦ ଇଣ୍ଡିଆନ୍ ମର୍କେଣ୍ଟାଇଲ୍, ଜେନେରାଲ୍ ଆସୁରାନ୍ସ ଏବଂ ସ୍ୱଦେଶୀ ଲାଇଫ୍ ଭଳି କମ୍ପାନି ପ୍ରତିଷ୍ଠା ହୋଇଥିଲା ।
୧୯୧୨ ମସିହାରେ ବ୍ରିଟିଶମାନେ ଜୀବନ ବୀମା କମ୍ପାନି ଅଧିନିୟମ ଏବଂ ପ୍ରୋଭିଡେଣ୍ଟ ଫଣ୍ଡ ଆକ୍ଟ ପାସ କରିଥିଲେ । ଲାଇଫ୍ ଇନସ୍ୟୁରାନ୍ସ କମ୍ପାନି ଆକ୍ଟ -୧୯୧୨ରେ ଭାରତୀୟ ଏବଂ ବିଦେଶୀ କମ୍ପାନି ମଧ୍ୟରେ ଭେଦଭାବ କରାଗଲା । ଏହା ପରେ, ପ୍ରଥମ ଥର ପାଇଁ ବୀମା ଅଧିନିୟମ 1938 ଜରିଆରେ ଜୀବନ ବୀମା ତଥା ଅଣ-ଜୀବନ ବୀମାକୁ କଡା ସରକାରୀ ନିୟନ୍ତ୍ରଣକୁ ଅଣାଯାଇଥିଲା । ଏତିକି ବେଳକୁ ବୀମା ଶିଳ୍ପର ରାଷ୍ଟ୍ରୀୟକରଣ ପାଇଁ ଦାବି ଆରମ୍ଭ ହୋଇଥିଲା । କିନ୍ତୁ ୧୯୪୪ ମସିହାରେ, ଯେତେବେଳେ ଜୀବନ ବୀମା ଅଧିନିୟମ ୧୯୩୮କୁ ପରିବର୍ତ୍ତନ କରିବା ପାଇଁ ବିଲ୍ ଉପସ୍ଥାପିତ ହୋଇଥିଲା, ସେତେବେଳେ ରାଷ୍ଟ୍ରୀୟକରଣ ଦାବି ଅଧିକ ଜୋର ଧରିଥିଲା, କିନ୍ତୁ ବ୍ରିଟିଶମାନେ ଏହି ଦିଗରେ କିଛି କଲେ ନାହିଁ ।
ଦେଶର ସ୍ୱାଧୀନତା ପରେ ୧୯୫୬ ଜାନୁୟାରୀ ୧୯ରେ ଭାରତ ସରକାର ଜୀବନ ବୀମା କମ୍ପାନିଗୁଡ଼ିକ ରାଷ୍ଟ୍ରୀୟକରଣ କଲେ । ସେହି ସମୟରେ ପ୍ରାୟ ୧୫୪ଟି ଭାରତୀୟ ବୀମା କମ୍ପାନି, ୧୬ଟି ବିଦେଶୀ କମ୍ପାନି ଏବଂ ୭୫ଟି ପ୍ରୋଭିଡେଣ୍ଟ ଫଣ୍ଡ କମ୍ପାନି ଥିଲା । ସରକାର ଏହି କମ୍ପାନିଗୁଡିକର ପରିଚାଳନାକୁ ପ୍ରଥମେ ଏକ ଅର୍ଡିନାନ୍ସ ମାଧ୍ୟମରେ ଏବଂ ପରେ ଏକ ବିଲ୍ ଜରିଆରେ ମାଲିକାନା ହାସଲ କଲେ । ଜୁନ୍ ୧୯, ୧୯୫୬ରେ ସଂସଦରେ ଜୀବନ ବୀମା ନିଗମ ଅଧିନିୟମ ପାରିତ ହେଲା ଏବଂ ଏହା ସହିତ ସେପ୍ଟେମ୍ବର ୧, ୧୯୫୬ରେ ଭାରତର ଜୀବନ ବୀମା ନିଗମର ଗଠନ ହେଲା ।
୧୯୫୬ ମସିହାରେ କର୍ପୋରେଟ୍ ଅଫିସ୍ ବ୍ୟତୀତ LICରେ ପାଞ୍ଚଟି ଜୋନାଲ ଅଫିସ୍, ୩୩ଟି ବିଭାଗୀୟ କାର୍ଯ୍ୟାଳୟ ଏବଂ ୨୧୨ଟି ଶାଖା କାର୍ଯ୍ୟାଳୟ ଥିଲା । ଅବଶ୍ୟ ପରେ ଆବଶ୍ୟକତା ବଢିବା ସହିତ ପ୍ରତ୍ୟେକ ଜିଲ୍ଲାରେ LICର ଏକ ଶାଖା ଖୋଲାଗଲା । LICର ୱେବ୍ସାଇଟ୍ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଏହାର ୨୦୪୮ କମ୍ପ୍ୟୁଟରାଇଜଡ୍ ଶାଖା କାର୍ଯ୍ୟାଳୟ, ୧୧୩ ଡିଭିଜନାଲ ଅଫିସ୍, ୮ ଜୋନାଲ୍ ଅଫିସ୍, ୧୩୮୧ ସାଟେଲାଇଟ୍ ଏବଂ କର୍ପୋରେଟ୍ ଅଫିସ୍ ଅଛି ।