ହିଜାବ ମାମଲା: ଶିକ୍ଷାନୁଷ୍ଠାନକୁ ନିଜର ୟୁନିଫର୍ମ ଲାଗୁ କରିବାର ଅଧିକାର ରହିଛି- ସୁପ୍ରିମକୋର୍ଟ

Published By : Prameya-News7 Bureau | September 15, 2022 IST

ନୂଆଦିଲ୍ଲୀ:  ସୁପ୍ରିମକୋର୍ଟ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ମାମଲାରେ ଶୁଣାଣି କରି ଗୁରୁବାର ଗୁରୁତ୍ଵପୂର୍ଣ୍ଣ ଟିପ୍ପଣି କରିଛନ୍ତି। ନିୟମ ଅନୁଯାୟୀ, ଶିକ୍ଷାନୁଷ୍ଠାନଗୁଡିକୁ ନିଜର ୟୁନିଫର୍ମ ସ୍ଥିର କରିବାର ଅଧିକାର ରହିଛି ଏବଂ ହିଜାବ ଏଥିରୁ ଭିନ୍ନ ଅଟେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ସୁପ୍ରିମକୋର୍ଟରେ ଲଗାତାର ଏହି ମାମଲାରେ ଶୁଣାଣି ଜାରି ରହିଛି ଏବଂ ସୋମବାର ମଧ୍ୟ ମାମଲାର ଶୁଣାଣି ଜାରି ରହିବ।

ସୁପ୍ରିମକୋର୍ଟ ଟିପ୍ପଣୀ କରି କହିଛନ୍ତି, ନିୟମ ଅନୁସାରେ ଶିକ୍ଷାନୁଷ୍ଠାନଗୁଡିକୁ ୟୁନିଫର୍ମ ନିର୍ଦ୍ଧାରଣ କରିବାର ଅଧିକାର ରହିଛି। ହିଜାବ ସଂପୂର୍ଣ୍ଣ ଭିନ୍ନ ମାମଲା। ଏହି ମାମଲା ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ବୁଧବାର ପ୍ରଶ୍ନ କରିଥିଲେ ଯେ, କଣ  ହିଜାବ କଟକଣା ଏବଂ ଏହି ପ୍ରସଙ୍ଗରେ ହାଇକୋର୍ଟର ନିଷ୍ପତ୍ତି କାରଣରୁ କର୍ଣ୍ଣାଟକରେ ଶିକ୍ଷାନୁଷ୍ଠାନଗୁଡିକରେ ଛାତ୍ରୀମାନେ ପାଠପଢା ଛାଡିବା ନେଇ କୌଣସି ବଳିଷ୍ଠ ତଥ୍ୟ ରହିଛି। ଆବେଦନକାରୀଙ୍କ ପକ୍ଷରୁ ହାଜର ଓକିଲ ସୁପ୍ରିମକୋର୍ଟରେ ଛାତ୍ରୀମାନେ ପାଠପଢା ଛାଡୁଥିବା ପ୍ରସଙ୍ଗ ଉଠାଇଥିଲେ। ଏହା ଉପରେ ବିଚାରପତି ହେମନ୍ତ ଗୁପ୍ତା ଏବଂ ବିଚାରପତି ସୁଧାଂଶୁ ଧୂଲିଆଙ୍କ ପୀଠ କହିଛନ୍ତି, କଣ ଆପଣଙ୍କ ନିକଟରେ ଏ ନେଇ କୌଣସି ବଳିଷ୍ଠ ପ୍ରମାଣ ଅଛି କି, ଯେ ହିଜାବ କଟକଣା ଏବଂ ହାଇକୋର୍ଟଙ୍କ ନିଷ୍ପତ୍ତି କାରଣରୁ ୨୦, ୩୦, ୫୦ କିମ୍ବା ୫୦ ବିଦ୍ୟାର୍ଥୀ ପାଠପଢା ଛାଡି ଦେଲେ ?

ଗତ ସପ୍ତାହରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ମୁସଲିମ ଏବଂ ଶିଖଙ୍କ ମଧ୍ୟରେ ସମାନତା ନେଇ ତୂଳନା ନକରିବାକୁ କହିଥିଲେ। ହିଜାବ ସହ ଶିଖ୍ ଧର୍ମର ପ୍ରଥାଙ୍କୁ ତୁଳନା କରିବା ଉଚିତ୍ ହେବ ନାହିଁ। କାରଣ ଶିଖଙ୍କ ପାଇଁ ପଗଡି ଏବଂ କୃପାଣ ପିନ୍ଧିବାର ଅନୁମତି ରହିଥିବା କୋର୍ଟ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.