‘ମନ କି ବାତ’କୁ ରାହୁଲ ଗାନ୍ଧୀଙ୍କ ତାତ୍ସଲ୍ୟ, କହିଲେ- ପରୀକ୍ଷା ଉପରେ ଚର୍ଚ୍ଚା କରିବା ବଦଳରେ ପ୍ରଧାନମନ୍ତ୍ରୀ ଖେଳଣା ଉପରେ କଲେ ଚର୍ଚ୍ଚା
30/08/2020 at 3:34 PM

ନୂଆଦିଲ୍ଲୀ ୩୦।୦୮: କଂଗ୍ରେସର ପୂର୍ବତନ ସଭାପତି ତଥା କେରଳର ଓ୍ଵାୟନାଡରୁ ସାଂସଦ ରାହୁଲ ଗାନ୍ଧୀ ରବିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କି ବାତ’କୁ ନେଇ ଆକ୍ଷେପ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଖେଳଣା ଉପରେ ଆଲୋଚନାକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି ଜେଇଇ-ନିଟ୍ ଦେଉଥିବା ପରୀକ୍ଷାର୍ଥୀ ପରୀକ୍ଷା ଉପରେ ଆଲୋଚନା ଚାହୁଁଛନ୍ତି ମାତ୍ର ପ୍ରଧାନମନ୍ତ୍ରୀ ଖେଳଣା ଉପରେ ଆଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ରାହୁଲ ଗାନ୍ଧୀ ଟ୍ଵିଟ୍ କରିଛନ୍ତି, ଜେଇଇ-ନିଟ୍ ଦେଉଥିବା ବିଦ୍ୟାର୍ଥୀ ଚାହୁଁଥିଲେ ପ୍ରଧାନମନ୍ତ୍ରୀ ‘ପରୀକ୍ଷା ପେ ଚର୍ଚ୍ଚା’ କରନ୍ତୁ, ମାତ୍ର ପ୍ରଧାନମନ୍ତ୍ରୀ ‘ଖେଳଣା ପେ ଚର୍ଚ୍ଚା’ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ‘ମନ କି ବାତ’ରେ ସ୍ଥାନୀୟ ଖେଳଣାର ସମୃଦ୍ଧ ଭାରତୀୟ ପରମ୍ପରା ଉପରେ ବିସ୍ତୃତ ଆଲୋଚନା କରି ଷ୍ଟାର୍ଟ ଅପ ଏବଂ ନୂତନ ଉଦ୍ୟୋଗୀଙ୍କୁ ଖେଳଣା ଉଦ୍ୟୋଗ ସହ ବ୍ୟାପକ ଭାବେ ଯୋଡି ହେବାକୁ ଆହ୍ଵାନ କରିଛନ୍ତି। ସେ କହିଛନ୍ତି ଏବେ ସ୍ଥାନୀୟ ଖେଳଣା ପାଇଁ ସ୍ଵର ଉଠାଇବାର ସମୟ ଆସି ଯାଇଛି।
JEE-NEET aspirants wanted the PM do ‘Pariksha Pe Charcha’ but the PM did ‘Khilone Pe Charcha’.#Mann_Ki_Nahi_Students_Ki_Baat
— Rahul Gandhi (@RahulGandhi) August 30, 2020
ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ଵ ଖେଳଣା ଉଦ୍ୟୋଗ ସାତ ଲକ୍ଷ କୋଟି ଟଙ୍କାରୁ ବି ଅଧିକ ରହିଛି ମାତ୍ର ଏଥିରେ ଭାରତର ଭାଗିଦାରୀ ବହୁତ କମ ରହିଛି। ଦେଶରେ ସ୍ଥାନୀୟ ଖେଳଣାର ସମୃଦ୍ଧ ପରମ୍ପରା ରହିଛି। ଅନେକ ପ୍ରତିଭାଶାଳୀ ଏବଂ କୁଶଳ କାରିଗର ଅଛନ୍ତି ଯେଉଁମାନେ ଭଲ ଭଲ ସୁନ୍ଦର ଖେଳଣା ତିଆରି କରିବାରେ ସିଦ୍ଧହସ୍ତ। ମାତ୍ର ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବ ଯେ ବିଶ୍ଵ ଖେଳଣା ଉଦ୍ୟୋଗ ସାତ ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ। ସାତ ଲକ୍ଷ କୋଟି ଟଙ୍କାର ବିଶାଳ କାରବାରରେ ଭାରତର ଭାଗିଦାରୀ ନଗଣ୍ୟ ରହିଛି।
ଉଲ୍ଲେଖଯୋଗ୍ୟ, ଲକ୍ଷାଧିକ ଛାତ୍ର-ଛାତ୍ରୀ ଗତ କିଛି ସମୟରୁ ଜେଇଇ-ନିଟ୍ ପରୀକ୍ଷା ଘୁଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପଟେ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ମଧ୍ୟ କେନ୍ଦ୍ର ସରକାରଙ୍କୁ ଲଗାତାର ପରୀକ୍ଷା ଗୁଞ୍ଚାଇବା ଉପରେ ଯୁକ୍ତି ବାଢୁଛନ୍ତି।