ଋଣ ଜାଲରେ ଫଶାଇ ଲୋକଙ୍କୁ ଆତ୍ମହତ୍ୟା ଲାଗି ବାଧ୍ୟ କରୁଛନ୍ତି ଇନଷ୍ଟାଣ୍ଟ ଲୋନ ଆପ୍, ଦେଶବ୍ୟାପୀ ଚଢଉ, ୧୯ ଗିରଫ

Published By : Prameya-News7 Bureau | December 23, 2020 IST

ଗୁରଗାଓଁ/ସାଇବରାବାଦ/ହାଇଦ୍ରାବାଦ୨୩।୧୨: ସାଇବରାବାଦ ଓ ହାଇଦ୍ରାବାଦ ପୋଲିସ ମଙ୍ଗଳବାର  ବିଭିନ୍ନ ସ୍ଥାନରେ ଚଢଉ କରି ୧୯ ଜଣଙ୍କୁ ଗିରଫ କରିଛି। ହାଇଦ୍ରାବାଦ ଓ ଗୁରୁଗାଓଁ ଅଞ୍ଚଳରୁ ଏମାନଙ୍କୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତମାନେ ଦେଶରେ  ଇନଷ୍ଟାଣ୍ଟ ମନି ଲେଣ୍ଡିଂ ଆପ୍‌ ସ୍କାମ୍‌ ସହ ଜଡିତ ବୋଲି ଜଣାପଡିଛି। ଏମାନଙ୍କ ପଛରେ ଚୀନ୍‌ର ଠକମାନଙ୍କ ହାତ ଥିବାର ମଧ୍ୟ ସନ୍ଦେହ କରାଯାଉଥିବା ହାଇଦ୍ରାବାଦ ପୋଲିସ କହିଛି।

ମୋବାଇଲରେ ଇନଷ୍ଟାଣ୍ଟ ଲୋନ୍‌ ଆପ୍‌ ପ୍ରସାର କରି ଏମାନେ ଲୋକଙ୍କୁ ସହଜ ଋଣ ଜାଲରେ ଫଶାଉଛନ୍ତି। ଋଣି କିସ୍ତି ପୈଠରେ ସାମାନ୍ୟ ଅବହେଳା ହେଲେ ଋଣିଙ୍କ ଉପରେ ଏମାନେ ନାନା ଚାପ ପକାଉଥିଲେ। ଫଳରେ ଏପରି ସହଜ ଋଣ ଜାଲରେ ଫଶି ଦେଶର ବିଭିନ୍ନ ରାଜ୍ୟରେ ଲୋକେ ଆତ୍ମହତ୍ୟା କରିଥିବାର ଅନେକ ଅଭିଯୋଗ ମଧ୍ୟ ରହିଛି। ଏପରି ମାମଲାର ତଦନ୍ତ କରି ସାଇବରାବାଦ ଓ ହାଇଦ୍ରାବାଦ ପୋଲିସ  ହାଇଦ୍ରାବାଦ, ଗୁରଗାଓଁ ଏବଂ ଇନ୍ଦୋରର ବିଭିନ୍ନ ସ୍ଥାନରୁ ଏପର୍ଯ୍ୟନ୍ତ ୧୯ ଜଣଙ୍କୁ ଗିରଫ କରିଛନ୍ତି।

ମୋବାଇଲ ଲୋନ ଆପ ଦେଶରେ ବହୁକୋଟି ଟଙ୍କାର ସ୍କାମ ବୋଲି ସନ୍ଦେହ କରାଯାଉଥିବା ବେଳେ ମାମଲାର ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଆୟକର ବିଭାଗ(ଆଇଟି)ଙ୍କୁ ସାମିଲ କରାଯିବ ବୋଲି ହାଇଦ୍ରାବାଦ ପୋଲିସ କହିଛି। ଦେଶରେ ଏଇଭଳି ପ୍ରାୟ ୩୦ଟି ଲୋନ ଆପ୍‌ ଋଣ କାରବାର ଚଳାଇଛନ୍ତି।  ଏପରି ଆପଙ୍କ ସମ୍ପର୍କରେ ପୋଲିସ ବିଭିନ୍ନ ବ୍ୟାଙ୍କଙ୍କୁ ସୂଚିତ କରି ଏପର୍ଯ୍ୟନ୍ତ ୧୮ଟି ଆକାଉଣ୍ଟକୁ ଫ୍ରିଜ କରିଥିବା ବେଳେ ଏହି ସବୁ ଆକାଉଣ୍ଟରେ ଅନୁନ୍ୟ ଦେଢକୋଟି ଟଙ୍କା ଥିବା  ଜଣାପଡିଛି।

ଏପରି ଲୋନ ଆପଙ୍କ ଯୋଗୁ କେବଳ ଚଳିତମାସରେ ତେଲେଙ୍ଗାନାରେ ୩ ଜଣ ଆତ୍ମହତ୍ୟା କରିଥିବା ବେଳେ ଏମାନଙ୍କ ମଧ୍ୟରେ ଜଣେ କୃଷି ସମ୍ପ୍ରସାରଣ ଅଧିକାରୀ ମଧ୍ୟ ଥିଲେ। ଏପରି ତ୍ୱରିତ ଋଣ ପ୍ରଦାନ କରୁଥିବା ସଂସ୍ଥାମାନେ ଆଧାରକାର୍ଡ, ପାନକାର୍ଡ ଓ ଲୋକଙ୍କ ସୋସିଆଲ ମିଡିଆ ଏବଂ ଫୋନ କଣ୍ଟାକ୍ଟ ଲିଷ୍ଟ ଆକ୍ସେସ୍‌ ନେଇ ଲୋକଙ୍କୁ ସହଜରେ ଋଣ ମଞ୍ଜୁର କରୁଛନ୍ତି। ଋଣ ରାଶି ଫେରାଇବା ଲାଗି ମାତ୍ର ୭ ଦିନ ସମୟ ଦେଉଥିବା ବେଳେ ଏଥିରେ ସାମାନ୍ୟ ଖିଲାପ ହେଲେ ଆରମ୍ଭ  ହୋଇଯାଏ ଋଣିଙ୍କ ଦୁର୍ଦ୍ଦଶା।

ଏପରି ଫିନଟେକ୍‌ମାନେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ନୀତି ନିୟମ ମଧ୍ୟ ପାଳନ କରୁ ନାହାନ୍ତି। ଏମାନଙ୍କ ଦୈନିକ ସୁଧହାର ୦.୧ ପ୍ରତିଶତରୁ ଆରମ୍ଭ ହୋଇ ବାର୍ଷିକ ୩୬ ପ୍ରତିଶତ ପର୍ଯ୍ୟନ୍ତ ଆଦାୟ କରୁଛନ୍ତି। ଏପରି ଋଣ ଆପ୍‌ଙ୍କ ତଦନ୍ତ କାଳରେ ସେମାନେ ବିଭିନ୍ନ ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନବିଏଫସି)ଙ୍କ ସହ ସମ୍ପୃକ୍ତ ଥିବା ଦେଖାଯାଇଛି। ଏନବିଏଫସିମାନେ ଏପରି ଆପଙ୍କୁ ଆର୍ଥିକ ସହଯୋଗ ଦେଉଥିବା ବେଳେ ନିତ୍ୟାନ୍ତ ଆର୍ଥିକ ସଂକଟରେ ଥିବା ଲୋକଙ୍କୁ ଏପରି ଆପ୍‌ ମାନେ ଆର୍ଥିକ ଋଣ ଯୋଗାଇ ସେମାନଙ୍କୁ ଶୋଷଣ କରୁଥିଲେ ବୋଲି ଜଣାପଡିଛି।  ଏଥିରେ ଏନବିଏଫସିମାନଙ୍କ ଭୂମିକାକୁ ନେଇ ମଧ୍ୟ ଏବେ ସନ୍ଦେହ କରାଯାଉଛି। ଏଣୁ ମୋଟ ମାମଲା ଏକ ବୃହତ୍ତ ଆର୍ଥିକ ଅନିୟମିତତା ପ୍ରତୀତ ହେଉଥିବା ବେଳେ ମାମଲାରେ ଇଡି ଓ ଆୟକର ବିଭାଗଙ୍କୁ ସାମିଲ କରିବା ଏବେ ଜରୁରି ବୋଲି ତଦନ୍ତକାରୀ ଅଧିକାରୀ ସୂଚିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.